କୃତ୍ରିମ ବୁଦ୍ଧିମତ୍ତାର ଯୁଦ୍ଧ

ଭାରତର କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ୨୦୧୭ରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, ଯଦି ଭବିଷ୍ୟତରେ ଭାରତର କାହା ସହ ଯୁଦ୍ଧ ହୁଏ ତେବେ ଏହାର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମାତ୍ର ୧୦ ଦିନରେ ସରିଯିବ। ଅର୍ଥାତ୍‌ ଦୀର୍ଘକାଳୀନ ଯୁଦ୍ଧ ଭାରତ ଲଢ଼ିବାକୁ ଅସମର୍ଥ ବୋଲି ଏଥିରୁ ବୁଝି ହୋଇଯାଇଥିଲା। ଏବେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତର ଅପଡ଼ ରହିଥିବା ବିଷୟ ସମସ୍ତେ ଜାଣନ୍ତି। ଏହା ସତ୍ତ୍ୱେ ବିଗତ ୫ ବର୍ଷ ମଧ୍ୟରେ ଭାରତ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଦିଗରେ ସେଭଳି ଅଭିନବ ପଦକ୍ଷେପ ନେଇପାରି ନାହିଁ। ୨୦୨୨ରେ କୁହାଗଲାଣି, ଭାରତ ଭବିଷ୍ୟତ ଯୁଦ୍ଧରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଉପଯୋଗ କରିବା ସକାଶେ ପଦକ୍ଷେପ ନେଉଛି। ଏଭଳି ଅନେକ କଥା ଲୋକଙ୍କ ସମ୍ମୁଖରେ ରଖାଯାଉଛି, ଯାହାକୁ ଆସନ୍ତା ୨୫ ବର୍ଷରେ ହାସଲ କରାଯିବ ବୋଲି କୁହାଯାଉଛି। ଏହା ନିଶ୍ଚିତ ଭାବେ ସ୍ବୀକାରଯୋଗ୍ୟ ଯେ, ଦୀର୍ଘମିଆଦୀ ଯୋଜନା କରାଗଲେ ଦେଶର ଉନ୍ନତି ଘଟିପାରିବ। ଅନ୍ୟପଟେ ଦୀର୍ଘ ୨୫ ବର୍ଷର ଚକ୍‌ମା ଦେଖାଇ ଆଜିର ସମସ୍ୟାକୁ ଏବେ ସମାଧାନ କରା ନ ଗଲେ, ଭବିଷ୍ୟତରେ ତାହା ସମସ୍ୟାପୂର୍ଣ୍ଣ ହେବାର ସବୁ ଆଶଙ୍କା ରହିଛି। ଯେଉଁ ସମୟରେ ଚାଇନା ଏଆଇ, ମେଶିନ୍‌ ଲର୍ନିଂ (କମ୍ପ୍ୟୁଟର ଆଲ୍‌ଗୋରିଦିମ୍‌ ଉପରେ ଅନୁଧ୍ୟାନ କରି ସ୍ବୟଂଚାଳିତ ଭାବେ ମେଶିନ୍‌ ଚଳାଇବାର ଦକ୍ଷତା ରଖିଛି), ସ୍ବୟଂଶାସିତ ବିଷାକ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା, ରୋବୋଟିକ୍ସ ଓ ସାଇବରଓ୍ବାର୍‌ ଦିଗରେ କାର୍ଯ୍ୟ କରୁଛି, ସେତେବେଳେ ଭାରତ ଏହିସବୁ କ୍ଷେତ୍ରରେ ୨୫ ବର୍ଷର ସ୍ବପ୍ନ ଦେଖାଇଲେ ଆଜିର ବୈଷୟିକ ଜ୍ଞାନ ସେତେବେଳକୁ ପୁରୁଣା ଓ ଅକାମୀ ହୋଇସାରିଥିବ। କୌତୂହଳର ବିଷୟ ହେଲା ଯେ, ଏସବୁ ବୈଷୟିକ ଜ୍ଞାନ ଏବେ ମଧ୍ୟ ଗୁଗ୍‌ଲ, ଫେସ୍‌ବୁକ୍‌, ଆମାଜନ ଭଳି ଘରୋଇ କମ୍ପାନୀ ବ୍ୟବହାର କରୁଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ‘ବିଟିଂ ଦି ରିଟ୍ରିଟ୍‌’ କାର୍ଯ୍ୟକ୍ରମ ଶେଷ ହେବା ପରେ କାନପୁରସ୍ଥିତ ଆଇଆଇଟି ଦ୍ୱାରା ଡ୍ରୋନ୍‌ ଉଡ଼ାଣ ଦେଖଣାହାରୀଙ୍କ ଦେହକୁ କାଳେ ଶୀତେଇ ଦେଲା ବୋଲି କୁହାଯାଉଛି। କିନ୍ତୁ ପ୍ରାୟ ଅଧିକାଂଶ ଦେଶ ଡ୍ରୋନ୍‌ ମାଧ୍ୟମରେ ବଢ଼ଇଞ୍ଚଳରୁ ଲୋକଙ୍କୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି କୋଭିଡ୍‌ଜନିତ ଲକ୍‌ଡାଉନ୍‌ ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ କରୁଛି। ଭାରତୀୟମାନେ ମାନ୍ଧାତା ସମୟର ଆଭିମୁଖ୍ୟ ରଖି ଏହି ଦେଶକୁ ଆଗେଇ ନେଇପାରିବେ ନାହିଁ। ସେଥିପାଇଁ ଗବେଷଣା ଓ ବିକାଶ (ଆର୍‌ ଏଣ୍ଡ୍‌ ଡି) ଦିଗରେ ଶକ୍ତିଶାଳୀ ହେବାକୁ ହେଲେ ଭାରତକୁ ଆହୁରି ଦ୍ରୁତଗତିରେ ଧାବମାନ ହେବାକୁ ପଡ଼ିବ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ୫.୨୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ତାହା ପୂର୍ବ ଆର୍ଥିକ ବର୍ଷଠାରୁ ଅଧିକ ରହିଛି। ୨୦୨୧-୨୨ରେ ଏହି ପାରିମାଣ ଥିଲା ୪.୭୮ ଲକ୍ଷ କୋଟି ଟଙ୍କା। ୨୦୨୨-୨୩ ବଜେଟରେ ୩୨ ହଜାର ୧୫ କୋଟି ଟଙ୍କା ସ୍ଥଳସେନା ଲାଗି ବ୍ୟୟବରାଦ କରାଯାଇଛି। ଗତବର୍ଷ ଏହା ଥିଲା ୩୬ ହଜାର ୪୮୧ କୋଟି ଟଙ୍କା। ସ୍ଥଳସେନା ପ୍ରତି ବ୍ୟୟବରାଦ କମାଇ ଦିଆଯିବା ଦ୍ୱାରା ବିପଦ ଡାକିଆଣିବା ଭଳି ମନେହେଉଛି। କାରଣ ଭାରତ ଏବେ ଚାଇନା ଭଳି ଯୁଦ୍ଧ କ୍ଷେତ୍ରରେ ଏଆଇ ବ୍ୟବହାର କରି ଲଢ଼ିବାର ସମ୍ବଳ ସୃଷ୍ଟି କରିପାରିନାହିଁ।
ଏଠାରେ ମନେରଖିବାକୁ ହେବ, ଏଆଇ ମାଧ୍ୟମରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ଯେ ପରିଚାଳନା କରାଯାଇପାରିବ ତାହା ନୁହେଁ, ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଶତ୍ରୁ ଦେଶରେ ମିଥ୍ୟା ପ୍ରଚାର, ସାଇବର ଆକ୍ରମଣ, ଯାହାଦ୍ୱାରା ଶତ୍ରୁର ଯୁଦ୍ଧ ସମ୍ବନ୍ଧୀୟ କମ୍ପ୍ୟୁଟରକୁ ଅକାମୀ କରିଦିଆଯିବା ଭଳି ଅନେକ ପ୍ରକାର ବୌଦ୍ଧିକ ଯୁଦ୍ଧ ମଧ୍ୟ ଘଟାଯାଇଥାଏ। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଏବେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ତିକ୍ତ ସ୍ଥିତିରୁ ଅନୁଭବ କରିହେଉଛି। ବିନା ଯୁଦ୍ଧ ଘଟାଇ ପ୍ରଚାର ମାଧ୍ୟମରେ ରୁଷିଆ ତା’ର ଶତ୍ରୁ ଭାବେ ୟୁକ୍ରେନ୍‌କୁ ପରାସ୍ତ କରିସାରିଲାଣି। ବିଶ୍ୱବ୍ୟାପୀ ସାଧାରଣ ଲୋକ ଜାଣିଛନ୍ତି ଯେ ରୁଷିଆର ବିରାଟକାୟ ଶକ୍ତି ସମ୍ମୁଖରେ ୟୁକ୍ରେନ୍‌ ବାମନ। ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ହାତ ଟେକିଦେଲେଣି। ଏହା ହେଉଛି ଆଧୁନିକ ଯୁଦ୍ଧର ସଦ୍ୟତମ ରଣନୀତି। ଭାରତକୁ ଯଦି ଚାଇନା ତରଫରୁ ଏଇଭଳିଆ ଆକ୍ରମଣ କରାଯାଏ, ତେବେ ଗୋଟିଏ ଗୁଳି ମଧ୍ୟ ଫୁଟିବାର ପ୍ରୟୋଜନ ଉଠିବ ନାହିଁ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ କହିଥିଲେ, ୨୦୨୪ ସୁଦ୍ଧା ୨୫ଟି ଏଆଇ ସଂଯୁକ୍ତ ପ୍ରତିରକ୍ଷା ସାମଗ୍ରୀ ବିକଶିତ ହେବ। ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ଏଆଇକୁ କିଭଳି ବୁଝୁଛନ୍ତି, ତାହା ସାଧାରଣରେ ବୁଝିବା କଷ୍ଟକର। ଏଆଇ ଏକ ସାମଗ୍ରୀ ବା ଯନ୍ତ୍ରପାତି ନୁହେଁ। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଯୁଦ୍ଧ ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇପାରେ। ଆଜି ପର୍ଯ୍ୟନ୍ତ ଭାରତ ଚିପ୍‌ ନିର୍ମାଣ କରିବାରେ ସ୍ବୟଂସମ୍ପୂର୍ଣ୍ଣ ହୋଇପାରିନାହିଁ। ଭାରତ ହେଉଛି ଆସେମ୍ବ୍ଲିଂ ବା ଯୋଡ଼ିବା ଖଞ୍ଜିବାର ଦେଶ। ସେଥିପାଇଁ ବିଦେଶରୁ ଯାହା କିଛି କିଣା ହେବ ସେସବୁ ସାମଗ୍ରୀର ରିମୋଟ୍‌ କଣ୍ଟ୍ରୋଲ୍‌ କେଉଁଠି ରହିଛି ଜାଣିବା କଷ୍ଟକର ନୁହେଁ। ଏପରି କି ଆଧୁନିକ ସାଇବର ଯୁଦ୍ଧରେ ବିଦେଶରୁ ଆସିଥିବା ଉଡ଼ାଜାହାଜକୁ ବିଦେଶରେ ବସି ଅକାମୀ କରିଦେବାର କ୍ଷମତା ଚାଇନା, ରୁଷିଆ ଓ ଆମେରିକା ଭଳି ରାଷ୍ଟ୍ରର ରହିଛି। ଭାରତରେ ମଧ୍ୟ ଏହିଭଳି ସାଇବର ଆକ୍ରମଣର ଆଭାସ ମିଳିଥିଲା କିଛିବର୍ଷ ପୂର୍ବେ ଯେତେବେଳେ ଉତ୍ତର ଭାରତର ବିଦ୍ୟୁତ୍‌ ଗ୍ରୀଡ୍‌କୁ ଅନେକ ସମୟ ପର୍ଯ୍ୟନ୍ତ ଅକାମୀ କରିଦିଆଯାଇଥିଲା। ସେତେବେଳେ କୁହାଯାଇଥିଲା, ତାହା ଚାଇନାର ପରୀକ୍ଷାମୂଳକ ଯୁଦ୍ଧ ଥିଲା।
ଏଭଳି ପ୍ରଚ୍ଛଦପଟରେ ଭାରତକୁ ଶକ୍ତିଶାଳୀ କରିବାକୁ ହେଲେ ପ୍ରଥମେ ଦେଶର ଆଭ୍ୟନ୍ତରୀଣ ସ୍ଥିତିରେ ସୁଧାର ଆଣିବାକୁ ହେବ। ଏକ ବିଭାଜିତ ସମାଜକୁ ପରାସ୍ତ କରିବା ଅତ୍ୟନ୍ତ ସହଜ ହୋଇଥାଏ। ସେହି ସ୍ଥିତିର ଊର୍ଦ୍ଧ୍ୱକୁ ଯାଇପାରିଲେ ଭାରତ ବାସ୍ତବରେ ଶକ୍ତିଶାଳୀ ହୋଇପାରନ୍ତା। ୟୁକ୍ରେନ୍‌ ଉଦାହରଣ ପୁଣି ଦେଖାଯାଉ। ସେଠାକାର ପୂର୍ବ ୟୁକ୍ରେନ୍‌ରେ ଥିବା ବିଦ୍ରୋହୀମାନେ କିଭ୍‌ର ଶାସନ ବିରୋଧରେ ଦୀର୍ଘଦିନ ଧରି ଲଢ଼ି ଆସୁଛନ୍ତି। ରୁଷିଆ ଏବେ ସେହି ବିଦ୍ରୋହୀମାନଙ୍କୁ ବ୍ୟବହାର କରିବାରେ ଚିନ୍ତାକରି କାର୍ଯ୍ୟ ଆରମ୍ଭ କରିଦେଲାଣି। ଅନ୍ୟପକ୍ଷରେ ଇସ୍ରାଏଲ ଏକ ସୁନ୍ଦର ଦୃଷ୍ଟାନ୍ତ ଯେଉଁଠାରେ ସେହି ଦେଶର ସମାଜ ଅଖଣ୍ଡିତ। ସେଥିପାଇଁ ଏଆଇ ଦ୍ୱାରା ସବୁ ପ୍ରକାରର ସୁରକ୍ଷା ଦିଗରେ ଇସ୍ରାଏଲ ଏବେ ପୃଥିବୀର ଏକନମ୍ବର ଦେଶ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?