ଗାଁ ହିଁ ସ୍ବର୍ଗ

ପ୍ରଭଞ୍ଜନ ଦାଶ

ମୋ ଗାଁ, ଯେଉଁଠି ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ବର କୁଆଁ କୁଆଁ। ମୋ ଘରର ସେହି ଅନ୍ତୁଡ଼ିଶାଳ ଓ ଷଠିଘର ଆଜି ବି ମୋ ଜନ୍ମର ଚିର ସାକ୍ଷୀ ଏବଂ ଦାଣ୍ଡର ସେହି ଏରୁଣ୍ଡି ବନ୍ଧ କହିବ ମୁଁ କେତେଥର ଝୁଣ୍ଟିଛି ତାକୁ, ଆଜି ଯଦି ସେହି ଗାଁର ମଶାଣି ମୋ ଜୀବନର ଶେଷ ପରିଚୟ ସାଜିବ ତା’ ହେଲେ ଅସୁବିଧା କ’ଣ?

ଆଜିର ଦିନରେ ଆଧୁନିକ ସଭ୍ୟତାର ବ୍ୟୟବହୁଳ ଓ ବୈଷୟିକ ଜୀବନଧାରାରେ ଜୀବନ ଜିଉଥିବା ମଣିଷ ମସ୍ତିଷ୍କରେ ଅନେକ ଭ୍ରାନ୍ତ, ନକାରାତ୍ମକ ଓ କୁଚିନ୍ତା ବସା ବାନ୍ଧି ରହିଛି, ଯାହାର ବଶବର୍ତ୍ତୀ ହୋଇ ମଣିଷ ନିଜର ସାଧାରଣ, ସାମାଜିକ ଓ ନୈତିକ ଜ୍ଞାନ ମଧ୍ୟ ହରାଇ ବସିଛି। ଯୁଗଯୁଗରୁ ବେଦ, ଉପନିଷଦ୍‌ ଓ ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ନିଜ ଗାଁ ମାଟିଠୁ ପବିତ୍ର ସ୍ଥାନ ଏ ଦୁନିଆରେ ନାହିଁ।’ ଯେଉଁ ଗାଁରେ ଆମର ଜନ୍ମ, ଯେଉଁ ମାଟିରେ ଆମେ ବଢ଼ିଛୁ, ସେ ଗାଁ ମଶାଣିରେ ଶବଦାହ ପାଇଁ ଏତେ କୁଣ୍ଠିତ କାହିଁକି? ଗତ କିଛିଦିନ ତଳେ ପୁରୀ ପ୍ରଶାସନ କରୋନା ପ୍ରବାହ ଓ ସଂକ୍ରମଣର ଭୟାବହତାକୁ ଆଖିରେ ରଖି ବାହାର ଜିଲାର ଶବକୁ ସ୍ବର୍ଗଦ୍ୱାରରେ ଦାହ କରିବା ନେଇ ପ୍ରତିବନ୍ଧକ ଲଗାଇବା ସହ ମହୋଦଧିରେ ଅସ୍ଥି ବିସର୍ଜନ ଲାଗି ମଧ୍ୟ ବାରଣ କରିଛି। ଏହି ନିୟମକୁ ନେଇ ବହୁ ଲୋକ ପ୍ରତିବାଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାତ୍ର ଏହା ଜାଣିରଖିବା ଦରକାର ଯେ ବାସ୍ତବରେ ସ୍ବର୍ଗଦ୍ୱାରରେ ସ୍ବର୍ଗପ୍ରାପ୍ତି ହୁଏନାହିଁ କି ମୋକ୍ଷ ମହୋଦଧିରେ ଅସ୍ଥି ବିସର୍ଜନରେ ମିଳେ ନାହିଁ, ଜୀବନର ପ୍ରକୃତ ସ୍ବର୍ଗପ୍ରାପ୍ତି ଜୀବିତ ଅବସ୍ଥାରେ ହିଁ ହେବା ଦରକାର।

ଏ ସମାଜରେ ବହୁ ଶିକ୍ଷିତ, ସମ୍ଭ୍ରାନ୍ତ ପରିବାରର ଲୋକ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ପ୍ରତି ଦୁର୍ବ୍ୟବହାର ଓ ଘୃଣାଭାବ ପୋଷଣ କରୁଛନ୍ତି। ଏପରିକି ସେମାନଙ୍କୁ ଘରେ ନ ରଖି ବୃଦ୍ଧାଶ୍ରମରେ ଛାଡ଼ି ଦେଇ ବହୁ ହତାଦର କରୁଛନ୍ତି। କେଉଁଠି ବୃଦ୍ଧ ଲୋକମାନଙ୍କୁ ଠିକ୍‌ ଖାଦ୍ୟ ମିଳିପାରୁନାହିଁ ତ ଆଉ କେଉଁଠି କେହି ଔଷଧ ଓ ଚିକିତ୍ସାରୁ ବଞ୍ଚତ୍ତ। ଯନ୍ତ୍ରଣାରେ ସେମାନଙ୍କ ଦିନ ବିତୁଛି। ମାତ୍ର ସେମାନଙ୍କ ମୃତ୍ୟୁ ପରେ ସେହି ପିଲାମାନେ ସେମାନଙ୍କ ମୃତଦେହକୁ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ନେଇ ଲୋକଙ୍କଠାରୁ ବାଃବାଃ ପାଇବାକୁ ଚାହୁଁଛନ୍ତି। ଏହା କି ପ୍ରକାର ଚିନ୍ତାଧାରା? କଥାରେ ଅଛି, ‘ଦେଖିଲେ କଥା ନ କହି ନ ଦେଖିଲେ ଖୋଜୁଥାଇ’। ଅର୍ଥାତ୍‌ ବଞ୍ଚତ୍ଥିବା ବେଳେ ଯେଉଁମାନେ ପାଣି ଟୋପାଏ ଦେବାକୁ ଅକ୍ଷମ ଓ ଅଯୋଗ୍ୟ, ମଲା ପରେ ସେମାନେ ସ୍ବର୍ଗଦ୍ୱାରଠାରେ ଶବଦାହ ସହିତ ଦଶାହରେ ଖିରି, ପୁରି ଦେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଓ ସୁଯୋଗ୍ୟ। ବୃଦ୍ଧ ମାତାପିତାଙ୍କର ଶଯ୍ୟାଶାୟୀ ଅବସ୍ଥାରେ ସେମାନଙ୍କର ଠିକ୍‌ ଚିକିତ୍ସା ନ କରିବା, ସେବାଶୁଶ୍ରୂଷାରେ ଘୃଣା ମନୋଭାବ ଆଣିବା ଓ ସେମାନଙ୍କୁ ଅବହେଳିତ ଅବସ୍ଥାରେ ଛାଡିଦେବା ଆଜିର ସମାଜର ପ୍ରାୟ ବହୁ କ୍ଷେତ୍ରରେ ପରିଲକ୍ଷିତ। ସେଥିପାଇଁ ବୃଦ୍ଧାଶ୍ରମ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ବିଶ୍ୱ ପିତୃ, ମାତୃ ଦିବସରେ ସମସ୍ତଙ୍କର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଓ ଟୁଇଟରରେ ମା’ବାପାଙ୍କ ପ୍ରତି ପ୍ରେମ ଓ ସମ୍ମାନ ଉଛୁଳି ପଡ଼ୁଛି। ଏହା କ’ଣ ଏକ ମଣିଷର ମାନବିକତାର ପରିଚୟ? ଏ ପ୍ରକାର ମାନସିକତାର ବଶବର୍ତ୍ତୀ ହୋଇ ଆମେ ଆମ ମାତାପିତାଙ୍କ ପ୍ରତି କେତେ ଯେ ଅବହେଳା କରୁଛେ ତାହାର ହିସାବ ନାହିଁ। ଏହି ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ। ବଞ୍ଚତ୍ଥିବା ବେଳେ ପାଣି ଟୋପେ ନ ଦେଇ ମଲା ପରେ କ୍ଷୀର ଢାଳିଲେ ଲାଭ କ’ଣ?

ଆମ ସମାଜ ପ୍ରତ୍ୟେକ ବର୍ଗର ଲୋକଙ୍କର ସୁବିଧା ସୁଯୋଗ ଲାଗି ସରକାର ସବୁ ଗ୍ରାମରେ ଶ୍ମଶାନର ପୁନରୁଦ୍ଧାର ଓ ଉନ୍ନତି କରିବା ସହିତ ହରିଶ୍ଚନ୍ଦ୍ର ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଗ୍ରାମ ଶ୍ମଶାନ ଆଜି ଅବହେଳିତ ଓ ଅକାମୀ ହୋଇପଡ଼ିଛି। ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଗାଁ ଶ୍ମଶାନ ଅପେକ୍ଷା ସ୍ବର୍ଗଦ୍ୱାରରେ ଶବଦାହ ପାଇଁ ପସନ୍ଦ କରୁଛନ୍ତି। ଏହାର କାରଣ କ’ଣ ତାହା ଆଜି ପର୍ଯ୍ୟନ୍ତ ଜାଣିହେଉ ନାହିଁ। ଜାଣି ରଖିବା ଉଚିତ ଯେ, ବଞ୍ଚତ୍ଥିବାବେଳେ ଶାଗ, ପଖାଳରେ ଯେଉଁ ତୃପ୍ତି ମିଳେ ମଲା ପରେ ତା’ର ସ୍ବାଦ ଦଶାହ ଖିରି, ପୁରିରେ ନ ଥାଏ। ଠିକ୍‌ ସେହିପରି ଜୀବନର ବାସ୍ତବ ସୁଖ, ଖୁସି ଓ ଶାନ୍ତି ଏ ସମାଜରେ ଜୀବିତ ଅବସ୍ଥାରେ ହିଁ ମିଳେ, ତାହା ସ୍ବର୍ଗଦ୍ୱାରର ଜୁଇରେ ନ ଥାଏ। ଏଣୁ ସମସ୍ତେ ବୃଦ୍ଧ ମାତା, ପିତାଙ୍କର ସେବାଶୁଶ୍ରୂଷା କରିବା ସହିତ ସେମାନଙ୍କ ପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ। ସେମାନେ ହିଁ ଆମ ଜୀବନର ପ୍ରକୃତ ମୂଲ୍ୟବାନ୍‌ ସମ୍ପଦ। ତାହା ସହିତ ଗାଁ ଓ ଗାଁ ମଶାଣିକୁ ନିଜ ଜୀବନର ଶେଷ ପରିଚୟ ଭାବିବା ଉଚିତ। କାରଣ ଗାଁ ହିଁ ଆମ ପାଇଁ ସ୍ବର୍ଗ ଓ ସିଏ ହିଁ ଆମ ଜୀବନ ସୃଷ୍ଟିର ପ୍ରଥମ ପରିଚୟ ଏବଂ ସେହିଠାରେ ହିଁ ଜୀବନର ଶେଷ ପରିଚୟ ହେବା ଦରକାର।

ମେଘେଶ୍ୱର କଲୋନୀ, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର, ମୋ: ୭୩୨୬୯୫୯୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri