Posted inଜାତୀୟ

ସନ୍ଦେହରେ ପୋଲିସ ଭୂମିକା

କାନପୁର/ନୂଆଦିଲ୍ଲୀ,୧୧ା୭: ଉତ୍ତରପ୍ରଦେଶର ୮ ପୋଲିସଙ୍କ ହତ୍ୟା ଅଭିଯୁକ୍ତ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଶୁକ୍ରବାର ସକାଳେ ଏନ୍‌କାଉଣ୍ଟର କରି ପୋଲିସ ମାରିଦେଇଛି। ବିକାଶଙ୍କ ଗିରଫଦାରି ପରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ କଳା କାରନାମାର ପର୍ଦ୍ଦାଫାସ ହେବ ବୋଲି ମନେକରାଯାଉଥିଲା। କେବଳ ପୋଲିସ ଅଧିକାରୀ ନୁହନ୍ତି, ଭାଜପା ଶାସିତ ଉତ୍ତରପ୍ରଦେଶ ସରକାରରେ ଥିବା କେତେଜଣ ନେତାଙ୍କ ଅସଲ ଚେହେରା ମଧ୍ୟ ସାମ୍ନାକୁ ଆସିଯିବ ବୋଲି ଆଲୋଚନା ହେଉଥିଲା। ତାଙ୍କୁ ଯେଭଳି ଭାବେ ନାଟକୀୟ ଢଙ୍ଗରେ ହତ୍ୟା କରାଗଲା ତାହା ମିଥ୍ୟା ଏନ୍‌କାଉଣ୍ଟର ବୋଲି ଗଣମାଧ୍ୟମରୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚା ହେଉଛି। ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ସମ୍ପୂର୍ଣ୍ଣ ଭାବେ ଲୁଚାଇଦେବାର ଲକ୍ଷ୍ୟ ରଖାଯାଇ ବିକାଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବିରୋଧୀ ସମାଲୋଚନା କଲେଣି। ଏହି କୁଖ୍ୟାତ୍‌ ଅପରାଧୀଙ୍କୁ ହତ୍ୟା କରାଯାଇପାରେ ବୋଲି ସନ୍ଦେହ କରି ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରାଯାଇଥିଲା। ଏହାର ଶୁଣାଣି ପୂର୍ବରୁ ବିକାଶଙ୍କୁ ଏନ୍‌କାଉଣ୍ଟର କରାଯିବା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି।
ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଅଣାଯାଉଥିବା କାର୍‌ ଓଲଟିପଡ଼ିବା ପରେ ବିକାଶ ଆହତ ପୋଲିସ କର୍ମଚାରୀଙ୍କ ବନ୍ଧୁକ ଛଡ଼ାଇଥିଲେ। ପୋଲିସ ତାଙ୍କୁ ଘେରିଯାଇ ଆମତ୍ସମର୍ପଣ କରିବାକୁ କହିଥିଲା। ହେଲେ ସେ ପୋଲିସ କଥା ନ ଶୁଣି ଫାୟାରିଂ କରିଥିଲେ। ପୋଲିସ ଆମତ୍ରକ୍ଷା ପାଇଁ ଗୁଳି ଚଳାଇଥିଲା, ଯେଉଁଥିରେ ସେ ଆହତ ହୋଇଥିଲେ। ବିକାଶଙ୍କୁ ଗୁରୁତର ଅବସ୍ଥାରେ କାନପୁରସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଏହି ଏନ୍‌କାଉଣ୍ଟରକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠିଛି। କାରଣ ଉକ୍ତ ହସ୍ପିଟାଲର ଡାକ୍ତର ପୋଲିସର କଥାକୁ ଖଣ୍ଡନ କରି କହିଛନ୍ତି, ବିକାଶଙ୍କୁ ଜୀବିତ ଅବସ୍ଥାରେ ନୁହେଁ, ବରଂ ତାଙ୍କ ମୃତଦେହକୁ ହସ୍ପିଟାଲକୁ ଅଣାଯାଇଥିଲା।
ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗୁରୁବାର ରାତି ୮ଟାରେ ବିକାଶଙ୍କୁ ଧରି ୩ଟି କାର୍‌ ବାହାରିଥିଲା। ସେଥି ମଧ୍ୟରୁ ଟାଟା ସଫାରିରେ ବିକାଶଙ୍କ ସହ କେତେଜଣ ପୋଲିସ କର୍ମଚାରୀ ବସିଥିଲେ, ଯାହାକି ଭୋର ୪ଟାରେ କାନ୍‌ପୁର ନିକଟସ୍ଥ ଏକ ଟୋଲ୍‌ ପ୍ଲାଜାରେ ଦେଖିବାକୁ ମିଳିଥିଲା। ଏନ୍‌କାଉଣ୍ଟରର କିଛି ସମୟ ପୂର୍ବରୁ ଅର୍ଥାତ୍‌ ୬ଟା ୩୦ରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ, ସମ୍ପୂର୍ଣ୍ଣ ଟ୍ରାଫିକ୍‌କୁ ରୋକି ଦିଆଯାଇଥିଲା ଏବଂ ପଛରେ ଆସୁଥିବା ମିଡିଆ ଗାଡ଼ିଗୁଡ଼ିକୁ ମଧ୍ୟ ଆଗକୁ ବଢ଼ିବାକୁ ଦିଆଯାଇ ନ ଥିଲା। କିଛି ସମୟ ପରେ ଅନ୍ୟ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଥିଲା, ଯେଉଁଥିରେ ବିକାଶ ବସିଥିଲେ ବୋଲି ପୋଲିସ କହୁଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ବିକାଶଙ୍କୁ ଝାନ୍‌ସି ନିକଟରେ ଅନ୍ୟ ଗାଡ଼ିକୁ କାହିଁକି ସ୍ଥାନାନ୍ତର କରାଗଲା।
ସେହିପରି ପୋଲିସ ପ୍ରଥମେ କହିଥିଲା ଯେ, ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଥିବାରୁ କାର୍‌ ସ୍ଲିପ୍‌ ହୋଇ ଓଲଟିପଡ଼ିଲା। କିନ୍ତୁ ପରେ ୟୁପି ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ବିବୃତି ଜାରି କରି କୁହାଯାଇଛି ଯେ, ଗାଈ ମଇଁଷି ରାସ୍ତା ଉପରକୁ ଆସିଯିବାରୁ ଗାଡ଼ି ମୋଡ଼ିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହାକି ପୂର୍ବ ସଫେଇଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ଦ୍ଦିଷ୍ଟ ଭାବେ କେଉଁ ସମୟରେ ଦୁର୍ଘଟଣା ଘଟିଥିଲା ଓ ଏନ୍‌କାଉଣ୍ଟରରେ ବିକାଶଙ୍କ ମୃତ୍ୟୁ କେତେବେଳେ ହୋଇଥିଲା ସେନେଇ ମଧ୍ୟ ପୋଲିସ ସ୍ପଷ୍ଟ ଭାବେ କହିପାରି ନାହିଁ।
ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଥିଲା। ଏଥିରେ ବିକାଶଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏହାସହ ତାଙ୍କୁ ସୁରକ୍ଷା ଦେବା ଏବଂ ସିବିଆଇ ଦ୍ୱାରା ମାମଲାର ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା। ବ୍ୟକ୍ତିଗତ ଭାବେ ଦାଏର କରିଥିବା ଉକ୍ତ ପିଟିଶନର ଜରୁରୀ ଶୁଣାଣି ପାଇଁ ଆଇନଜୀବୀ ଘନଶ୍ୟାମ ଉପାଧ୍ୟାୟ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେବେ ତାଙ୍କ ଆବେଦନର ଶୁଣାଣି ହେବା ପୂର୍ବରୁ ଏନ୍‌କାଉଣ୍ଟରରେ ବିକାଶଙ୍କ ଜୀବନ ଗଲା। ଉପରୋକ୍ତ ସମସ୍ତ ବିଷୟ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଉଛି। ଏଥିପାଇଁ ରାଜନୈତିକ ଦଳ ସମେତ ବିଭିନ୍ନ ମହଲରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri