ଶିକ୍ଷିତ ବେକାରି ସମସ୍ୟା

ଶ୍ରୀବତ୍ସ ନାୟକ

 

ଦେଶରେ ବୈଶାଖର ଝାଞ୍ଜି ସାଙ୍ଗକୁ ଅଷ୍ଟାଦଶ ସାଧାରଣ ନିର୍ବାଚନର ଉଷ୍ମତା ଅନୁଭୂତ ହେଉଛି। ସମସ୍ତେ ନିର୍ବାଚନକୁ ନେଇ ଉତ୍ସାହିତ ଥିବାବେଳେ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)ର ରିପୋର୍ଟ ଏବେ ଚିନ୍ତାର ବିଷୟ ପାଲଟିଛି। ଗତ ମାର୍ଚ୍ଚ ୨୭ରେ ଆଇଏଲ୍‌ଓ ପକ୍ଷରୁ ବେକାରି ହାର ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ସେଥିରେ ଭାରତ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ରିପୋର୍ଟ ଦର୍ଶାଇଛି ଯେ, ଦେଶରେ ଦିନକୁଦିନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ବରଂ ନିରକ୍ଷର ବ୍ୟକ୍ତିଙ୍କ ତୁଳନାରେ ଶିକ୍ଷିତମାନଙ୍କଠାରେ ବେକାରି ସମସ୍ୟା ବେଶି ବୋଲି ରିପୋର୍ଟରେ ଦର୍ଶାଯାଇଛି। ନିରକ୍ଷର ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ୩.୪ ପ୍ରତିଶତ ବେଳେ ସ୍ନାତକମାନଙ୍କ ବେକାରି ହାର ୨୯.୧ ପ୍ରତିଶତ, ଯାହାକି ପାଖାପାଖି ନିରକ୍ଷରଙ୍କ ତୁଳନାରେ ସ୍ନାତକମାନଙ୍କ କ୍ଷେତ୍ରରେ ବେକାରି ହେବାର ଆଶଙ୍କା ପ୍ରାୟ ୯ ଗୁଣା ଅଧିକ। ସେହିଭଳି ମାଧ୍ୟମିକ କିମ୍ବା ତଦୂର୍ଦ୍ଧ୍ୱ ଶିକ୍ଷା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ୧୮.୪ ପ୍ରତିଶତ। ଅର୍ଥାତ୍‌ ନିରକ୍ଷର ବ୍ୟକ୍ତିଙ୍କ ତୁଳନାରେ ଏମାନେ ବେକାରି ହେବା ଆଶଙ୍କା ୬ ଗୁଣା ଅଧିକ। ବିଶେଷତଃ ଯେଉଁମାନେ ଉଚ୍ଚଶିକ୍ଷା ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ବେକାରି ସମସ୍ୟା ସମୟାନୁକ୍ରମେ ଅଧିକ ଜଟିଳ ହୋଇଛି। ଯୁବକମାନଙ୍କ ମଧ୍ୟରେ ବେକାରି ହାର ବିଶ୍ୱ ତୁଳନାରେ ଭାରତରେ ଅଧିକ ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ଶିକ୍ଷିତ ଯୁବକମାନଙ୍କ ଅପେକ୍ଷା ଅଣ-ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ। ଅର୍ଥାତ୍‌ ସରଳ ଭାବେ ବୁଝିଲେ ଭାରତରେ ଜଣେ ବ୍ୟକ୍ତି ଯେତେ ଅଧିକ ପାଠ ପଢ଼ିବେ, ସେତେ ଅଧିକ ବେକାରି ହେବେ। ପାଠ ନ ପଢ଼ିଲେ ଜଣେ ବ୍ୟକ୍ତି ସାଧାରଣତଃ ରୋଜଗାରକ୍ଷମ ହୋଇ ନ ପାରେ, କିନ୍ତୁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ କୌଣସି କର୍ମ ସଂସ୍ଥାନରେ ଯୋଗ ନ ଦେଇପାରିବା ନିଶ୍ଚିତ ରୂପେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଦେଶରେ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରି ଅଣଶିକ୍ଷିତମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ସରକାର ଅନେକ ଯୋଜନା ପ୍ରଣୟନ କରିବା ସହ ଆତ୍ମନିର୍ଭର ଭାରତ ଗଠନର ନାରା ଦେଉଥିଲେ ମଧ୍ୟ ବେକାରି ସମସ୍ୟା ହଟାଇବାରେ ସମର୍ଥ ହୋଇପାରିନାହାନ୍ତି।
ବୈଦିକ ଯୁଗରୁ ଭାରତ ସଦାସର୍ବଦା ତା’ର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଆସିଛି। ଏହାର ଶିକ୍ଷା ବ୍ୟବସ୍ଥା କୌଶଳ, ଶୃଙ୍ଖଳା, ଦକ୍ଷତା, କର୍ମ ଏବଂ ଆତ୍ମନିର୍ଭରଶୀଳକୈନ୍ଦ୍ରିକ ଥିଲା। ଏହାକୁ ଜ୍ଞାନର ଏକ ମାଧ୍ୟମ ବୋଲି ବିବେଚନା କରି ସମସ୍ତେ ଜ୍ଞାନ ଆହରଣ କରି ନିଜ ନିଜର ଜୀବିକାର୍ଜନ କରୁଥିଲେ। କିନ୍ତୁ ବ୍ରିଟିଶ୍‌ମାନଙ୍କ ଶାସନ କାଳରେ ଭାରତର ଶିକ୍ଷା ବ୍ୟବସ୍ଥା ଅବକ୍ଷୟମୁଖୀ ହୋଇଥିଲା। ସ୍ବାଧୀନତା ପ୍ରାପ୍ତିର ୭୭ ବର୍ଷ ମଧ୍ୟରେ ଭାରତର ଶିକ୍ଷା ବ୍ୟବସ୍ଥାରେ ରାଧାକୃଷ୍ଣନ୍‌ କମିଶନ (୧୯୪୮), ମୁଦାଲୀୟର କମିଶନ (୧୯୫୨), କୋଠାରୀ କମିଶନ (୧୯୬୪), ଯଶପାଲ କମିଶନ (୧୯୯୨)ଙ୍କ ସୁପାରିସକ୍ରମେ ଶିକ୍ଷା କ୍ଷେତ୍ରରେ ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ଅନେକ ପରିବର୍ତ୍ତନ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ସଂସ୍କାର ଆଣି କେନ୍ଦ୍ର ସରକାର ଦେଶରେ ନୂତନ ଶିକ୍ଷାନୀତି ୨୦୨୦ ପ୍ରଣୟନ କରିଛନ୍ତି। ହେଲେ ଶିକ୍ଷା ବିଭାଗରେ ଆମେ କେଉଁଠି ନା କେଉଁଠି ବିଫଳ ହୋଇଛେ ବୋଲି ଆମକୁ ମାନି ନେବାକୁ ପଡିବ। ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେଶନ ରିପୋର୍ଟ ଅନୁସାରେ ୨୦୧୬-୧୭ ଶିକ୍ଷାବର୍ଷରେ ଆମ ଦେଶରେ ସମୁଦାୟ ବିଶ୍ୱବିଦ୍ୟାଳୟ ସଂଖ୍ୟା ୮୬୪ ଥିବାବେଳେ ୨୦୨୦-୨୧ରେ ଏହାର ସଂଖ୍ୟା ୨୮.୮ ପ୍ରତିଶତ ବୃଦ୍ଧି ପାଇ ୧୧୧୩ ହୋଇଥିଲା। ଅନୁରୂପ ଭାବେ ମହାବିଦ୍ୟାଳୟ ସଂଖ୍ୟା ୪୦,୦୨୬ରୁ ୯.୪ ପ୍ରତିଶତ ବୃଦ୍ଧି ପାଇ ୪୩,୭୯୬ ହୋଇଥିଲା। ଶିକ୍ଷାନୁଷ୍ଠାନ ବୃଦ୍ଧି ସହ ଅନୁରୂପ ଭାବେ ସ୍ନାତକଧାରୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି। କର୍ପୋରେଟ ସେକ୍ଟରରେ ପ୍ରତି ବର୍ଷ ଅନେକ ନିଯୁକ୍ତି ପ୍ରକାଶ ପାଉଥିଲେ ମଧ୍ୟ ଦକ୍ଷତାର ଅଭାବ ଯୋଗୁ ସ୍ନାତକଧାରୀମାନେ ବଜାରର ଚାହିଦାକୁ ପୂରଣ କରିପାରୁନାହାନ୍ତି। ଫଳରେ ସେମାନେ କୌଣସି କ୍ଷେତ୍ରରେ ନିଯୁକ୍ତି ନ ପାଇ ରୋଜଗାରକ୍ଷମ ହୋଇପାରୁନାହାନ୍ତି। ଏହା ପ୍ରମାଣ କରୁଛି ଯେ, ଶିକ୍ଷା ବ୍ୟବସ୍ଥା ଗୁଣାତ୍ମକ ଅପେକ୍ଷା ପରିମାଣାତ୍ମକ ହୋଇଛି ନ ହେଲେ ଚତୁର୍ଥ ଶ୍ରେଣୀ ପଦ ପାଇଁ ପିଏଚ୍‌.ଡି. ଏବଂ ଏମ୍‌.ଫିଲ୍‌ ଡିଗ୍ରୀଧାରୀ ଆବେଦନ କରୁନଥା’ନ୍ତେ। ବ୍ୟୟବହୁଳ ସତ୍ତ୍ୱେ ବିଦେଶୀ ଶିକ୍ଷା ପ୍ରତି ଆକୃଷ୍ଟ ହେବା, ଭାରତର ବିଶ୍ୱବିଦ୍ୟାଳୟ ବିଶ୍ବର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟରେ ସ୍ଥାନ ନ ପାଇବା, ଶିକ୍ଷା ପାଇଁ ବ୍ୟୟ ବରାଦ ଆଶାନୁରୂପ ବୃଦ୍ଧି ନ ପାଇବା ଆମ ଶିକ୍ଷା ବ୍ୟବସ୍ଥାର ଏକ ଅଭାବନୀୟ ଦୃଶ୍ୟ। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ନ କରିବା, ଶିକ୍ଷାନୁଷ୍ଠାନରେ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ, ଶିକ୍ଷା ବିଭାଗ ଶିକ୍ଷକଙ୍କ ହାତରେ ନ ରହି ପ୍ରଶାସକଙ୍କ ହାତରେ ରହିବା ଆଦି ଯୋଗୁ ନିମ୍ନଗାମୀ ହେଉଛି ଶିକ୍ଷା ବ୍ୟବସ୍ଥା। ଫଳରେ ଶିକ୍ଷିତ ହୋଇ ମଧ୍ୟ ଛାତ୍ରୀଛାତ୍ରମାନେ ଆଶାନୁରୂପ କର୍ମନିଯୁକ୍ତି ପାଇପାରୁ ନାହାନ୍ତି। ଆର୍‌.ବି.ଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ବେକାରି ସମସ୍ୟାକୁ ନେଇ କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ ଭାରତୀୟ ଶିକ୍ଷା ବ୍ୟବସ୍ଥା ଭାରତୀୟ ଅର୍ଥନୀତିର ବିକାଶ ଉପରେ ଖୁବ୍‌ଶୀଘ୍ର ପ୍ରଭାବ ପକାଇବ। ତେଣୁ ଏହା ସେହି ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ନୁହେଁ ତ? ଯଦି ଏହା ହୋଇଥାଏ, ତେବେ ସମୟ ଆସିଛି ଏ ବାବଦରେ ଆମକୁ ସଚେତନ ହେବାକୁ ପଡ଼ିବ।
ଉପଯୁକ୍ତ ଭିତ୍ତିଭୂମି ସରଞ୍ଚନା ଆଧାରରେ ଶିକ୍ଷାନୁଷ୍ଠାନ ଖୋଲିବା, ପରିମାଣାତ୍ମକ ଶିକ୍ଷା ପରିବର୍ତ୍ତେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ଡ୍ରପ୍‌ ଆଉଟ୍‌ ହାରକୁ ହ୍ରାସ କରିବା, ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା, ନିର୍ଭରଶୀଳ ଶିକ୍ଷାନୀତି ବଦଳରେ ଆତ୍ମନିର୍ଭରଶୀଳ ଶିକ୍ଷାନୀତି ଆପଣାଇବା ଆଦିକୁ ଗ୍ରହଣ କଲେ ହୁଏତ ଭବିଷ୍ୟତରେ ଏ ଅବସ୍ଥାରେ କେତେକ ମାତ୍ରାରେ ପରିବର୍ତ୍ତନ ଆଶା କରାଯାଇପାରେ। ନହେଲେ ଦିନ ଆସିବ, ଆମେ ସମସ୍ତେ ଶିକ୍ଷିତ ହୋଇ ମଧ୍ୟ ବେକାର ଥିବା ଏବଂ ଚିନ୍ତା କରୁଥିବା ଆମେ ଶିକ୍ଷିତ ବେକାର ନା ବେକାର ଶିକ୍ଷିତ?
ଅଧ୍ୟାପକ, ବାଣିଜ୍ୟ ବିଭାଗ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ, କଟକ
ମୋ:୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?