ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଆଜି ବି କଚ୍ଚା ହୋଇ ରହିଥିବା ବେଳେ ବର୍ଷା ଦିନେ ଏହା କାଦୁଅ ଓ ଖାଲଖମାରେ ଭରିଯାଉଛି।
ଗ୍ରାମରେ ସ୍କୁଲ ନ ଥିବାରୁ ଛୋଟ ଛୋଟ ପିଲାମାନେ କାଦୁଅ ରାସ୍ତାରେ ଅନ୍ୟ ଗ୍ରାମକୁ ପାଠ ପଢ଼ିବାକୁ ଯିବାକୁ ବାଧ୍ୟ ହେଉଛନ୍ତି, ଯାହା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପୂର୍ବରୁ ଜନଜୁଣାଣି, ଟୁଇଟ୍ ଓ ପ୍ରତିବାଦ ମାଧ୍ୟମରେ ଦାବି କରାଯିବା ପରେ ୫ ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲେ ବି ତାହା ଆବଶ୍ୟକତା ତୁଳନାରେ ନଗଣ୍ୟ ଥିବାରୁ କୌଣସି କାମ ହୋଇପାରି ନ ଥିଲା।
ରାସ୍ତା ପକ୍କା ନ ହେବାରୁ ଗତ ନିର୍ବାଚନରେ ଗ୍ରାମବାସୀ ବାଡ଼ ଦେଇ ବିରୋଧ କରିଥିଲେ। ଭାଜପା ସରକାର ଓ ନୂତନ ବିଧାୟକଙ୍କଠାରୁ ଆଶା ଥିଲେ ବି ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତୁରନ୍ତ ପକ୍କା ରାସ୍ତା ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ରାସ୍ତା ପାଇଁ ପ୍ରସ୍ତାବ ପଠାଯାଇଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା ପ୍ରତିକ୍ରିୟା ଦେଇଛନ୍ତି।

