ଲକ୍ଷ୍ୟ ବଂଶବାଦ ନୁହେଁ

ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ୧୬ ନଭେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ କ୍ଷମତାକୁ ଫେରୁଥିବା ବେଳେ ୭ମ ଥର ସକାଶେ ଶପଥ ନେବେ। ୧୫ ନଭେମ୍ବରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯାଇଛି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜେଡିୟୁ ମାତ୍ର ୪୩ ଆସନ ପାଇଛି। ତଥାପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇବା ପାଇଁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କଲେ। ଏହା ଜାତୀୟ ରାଜନୀତି ପାଇଁ ଏକ ନୂତନ ଦିଗ ଦର୍ଶାଇଲା। ମୋଦିଙ୍କ ଏଭଳି ନିଷ୍ପତ୍ତି ପଛରେ ତାଙ୍କ ନିଜର ଭାବମୂର୍ତ୍ତିକୁ ବଦଳାଇବାର ଉଦ୍ୟମ ରହିଛି ବୋଲି ଜଣାପଡୁଛି। ନିକଟ ଅତୀତକୁ ଦେଖିଲେ ମୋଦିଙ୍କ ଦୀର୍ଘଦିନର ସବୁ ବନ୍ଧୁ ଯଥା ଶିବସେନା, ଅକାଳୀ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ତାଙ୍କୁ ଛାଡ଼ି ଦେଇଛନ୍ତି। ଶିବସେନାର ହିନ୍ଦୁତ୍ୱ ଚିନ୍ତାଧାରାକୁ ବହୁ ପୂର୍ବରୁ ଦେଶବାସୀ ଜାଣିଥିଲେ। ଏହିସବୁ ଦଳ ସହିତ ମେଣ୍ଟ ବଜାୟ ରଖିବା ପାଇଁ ମୋଦିଙ୍କ ଅନିଚ୍ଛା ଥିବା କଥା ଜନସାଧାରଣ ଜାଣିଲେ। ଯେଉଁ ଭାଜପା କର୍ମୀମାନେ ଉଦ୍ଧବ ଠାକ୍‌ରେ ଓ ବାଦଲ ପରିବାରର ଗୁଣଗାନ କରୁଥିଲେ, ସେହିମାନେ ଏବେ ଅପଦସ୍ଥ ହୋଇ ରାଜନୈତିକ ବାଟବଣା ହେଉଥିବା ଭଳି ମନେହେଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଟିଡିପି ଏନ୍‌ଡିଏରୁ ଅଲଗା ହୋଇଯାଇଥିଲା।
ବିହାର ନିର୍ବାଚନ ଏକ ସୁନ୍ଦର ସୁଯୋଗ ଆଣିଦେଲା। ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏ ନିର୍ବାଚନରେ ମେଣ୍ଟ ବାନ୍ଧି ୭୦ ଆସନ କଂଗ୍ରେସକୁ ଛାଡ଼ିଦେଲା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ ଲାଲୁ-ତେଜସ୍ବୀ ପରିବାର ପୂର୍ବରୁ ଜାଣିସାରିଥିଲେ ଯେ, ଏତେ ଅଧିକ ଆସନରେ ଲଢ଼ି କଂଗ୍ରେସ ସେହି ଗଠବନ୍ଧନକୁ କ୍ଷତି ପହଞ୍ଚାଇବ। ତଥାପି ମେଣ୍ଟ ରାଜନୀତିକୁ ସମ୍ମାନ ଦେଇ ତେଜସ୍ବୀ ଏକ ନୂତନ ପ୍ରକାରର ରାଜନୀତି ଆରମ୍ଭ କରିଦେଲେ। ବିହାରରେ ନିର୍ବାଚନୀ ଦୁର୍ନୀତି ହୋଇଛି ବୋଲି ଯାହା କୁହାଯାଇଛି, ତାହା ସମ୍ପୂର୍ଣ୍ଣ ଅସତ୍ୟ ନୁହେଁ। ଭାରତର ସବୁ ରାଜ୍ୟରେ ଏହା ଜଣାପଡ଼ିଲାଣି ଯେ, ଗଣତନ୍ତ୍ରର ମୂଳ କୁହାଯାଉଥିବା ଲୋକମତ କିମ୍ବା ଭୋଟ୍‌ ପ୍ରକ୍ରିୟାକୁ ଅମଲାତନ୍ତ୍ର ସମ୍ପୂର୍ଣ୍ଣ ଭାବେ ନିଜ କବଳକୁ ନେଇଗଲାଣି। ଏହା ଫଳରେ କେଉଁ ଦଳ ଜିତିବ, କିଏ ହାରିବ ତାହା ବିହାରର ବିଭିନ୍ନ ଜିଲାରେ ଥିବା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ନିଷ୍ପତ୍ତି ନେଲେ। କୁହାଯାଏ ଯେ, ନିର୍ବାଚନ କମିଶନ ଅଧୀନକୁ ଚାଲିଯାଇଥିବା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ହୋଇଥାଏ। ଏହାଠାରୁ ବଡ଼ ଅସତ୍ୟ କିଛି ହୋଇ ନ ପାରେ। ଅଳ୍ପ ଦିନ ପାଇଁ ନିର୍ବାଚନ କମିଶନ ଅଧୀନରେ କାମ କରିବାକୁ ପଡୁଥିବା ଅଫିସରମାନଙ୍କୁ ନିଜର ଭବିଷ୍ୟତ ପାଇଁ ଆଗକୁ ଦେଖିବାକୁ ପଡ଼ିଥାଏ। ସେଥିପାଇଁ ତେଜସ୍ବୀ ପରିବର୍ତ୍ତେ ଭାଜପାକୁ ବିହାରୀ ସରକାରୀ ଅଫିସରମାନେ ସାହାଯ୍ୟ କରିଛନ୍ତି ବୋଲି ଆର୍‌ଜେଡି ନେତା ଯାହା କହୁଛନ୍ତି, ତାହା ସତ୍ୟ ମନେହେଉଛି। ଏହି ବିପୁଳ ଅନୈତିକ ସମର୍ଥନ ସତ୍ତ୍ୱେ ଆର୍‌ଜେଡିର ବିଜୟ ଅନେକଙ୍କୁ ଆଚମ୍ବିତ କରିଛି। ଆର୍‌ଜେଡି ୭୫ ଆସନରେ ଜିତିଥିବା ବେଳେ ଭାଜପା ମାତ୍ର ୭୪ ସିଟ୍‌ ପାଇଛି। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୧୧ରେ ଦିଲ୍ଲୀସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ନିଜ ସରକାରଙ୍କ କାର୍ଯ୍ୟକ୍ରମ ଯୋଗୁ ଏଭଳି ବିଜୟ ଘଟିଲା ବୋଲି ଦାବି କରିଥିଲେ।
ଭାଜପା କାର୍ଯ୍ୟାଳୟରେ ଭାଷଣ ଦେବା ପରେ ମୋଦି କଂଗ୍ରେସର ଡାଇନେଷ୍ଟି ବା ବଂଶବାଦ ରାଜନୀତିକୁ ସମାଲୋଚନା କରିଥିଲେ। ଦେଖିବାକୁ ଗଲେ ତେଜସ୍ବୀ ମଧ୍ୟ ବଂଶବାଦ ରାଜନୀତିର ଏକ ସଫଳ ଉଦାହରଣ। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦି ବିହାରକୁ ପ୍ରଚାରରେ ଯାଇ ତେଜସ୍ବୀଙ୍କ ବିରୋଧରେ ଅଭିଯୋଗ ଆଣି ବିରୋଧୀଙ୍କ ବିଜୟ ହେଲେ ବିହାରରେ ‘ଜଙ୍ଗଲରାଜ୍‌’ ଫେରିବ ବୋଲି କହିଥିଲେ। ଅନ୍ୟପଟେ ନିଜର ପ୍ରଚାର ସମୟରେ ବିହାରର କୌଣସି ସ୍ଥାନରେ ତେଜସ୍ବୀଙ୍କ ଭାଷଣରେ ମୋଦିଙ୍କ ବିରୋଧରେ ପଦେ ଶୁଣିବାକୁ ମିଳି ନ ଥିଲା। ଲାଲୁ ଯାଦବଙ୍କ ‘ସାମାଜିକ ନ୍ୟାୟ’ ସ୍ଲୋଗାନକୁ ତାଙ୍କ ପୁତ୍ର ତେଜସ୍ବୀ ପରିବର୍ତ୍ତନ କରିଦେଲେ। ସାମାଜିକ ପରିବର୍ତ୍ତେ ଅର୍ଥନୈତିକ ନ୍ୟାୟ ଅଧିକ ଗୁରୁତ୍ୱ ରଖୁଛି ବୋଲି ତେଜସ୍ବୀ ନିର୍ବାଚନୀ ଡାକରା ଦେଲେ। ତାହାର ସୁଫଳ ୩୧ ବର୍ଷୀୟ ତେଜସ୍ବୀଙ୍କୁ ରାଜନୀତିର ପ୍ରଥମ ସଫଳତା ଚଖାଇଲା। କେବଳ ସରକାର ଗଠନ ହେଲେ ଜଣେ ସଫଳ ହୋଇଛି ବୋଲି କହିବା ଯେମିତି ଭ୍ରାନ୍ତ, ସେମିତି ବଂଶବାଦ ଲୋପ କରିବାର ଡାକରା ମଧ୍ୟ ତ୍ରୁଟିପୂର୍ଣ୍ଣ।
ଏଠାରେ ମନେପଡ଼େ କିଛିମାସ ପୂର୍ବରୁ କେରଳର ପଦ୍ମନାଭସ୍ବାମୀ ମନ୍ଦିର ସମ୍ପର୍କରେ ହୋଇଥିବା ସୁପ୍ରିମ୍‌କୋର୍ଟଙ୍କ ଏକ ମାମଲା। ସରକାର ସେହି ମନ୍ଦିରକୁ ନିଜ ଆୟତ୍ତାଧୀନ କରିବାକୁ ଚାହୁଁଥିଲେ। ଅତି ପୁରାତନ ଏବଂ ବିଷ୍ଣୁ ଠାକୁରଙ୍କ ମନ୍ଦିରରେ ଅତ୍ୟଧିକ ଧନସମ୍ପଦ ଥିବା ହେତୁ ସରକାରୀ ଅଫିସରଙ୍କ ନଜର ତା’ଉପରେ ପଡ଼ିଥିଲା। ପୂର୍ବରୁ ସେହି ମନ୍ଦିର ପରିଚାଳନା ଦାୟିତ୍ୱ ସ୍ଥାନୀୟ ରାଜପରିବାର ହାତରେ ରହିଆସିଥିଲା। କଂଗ୍ରେସ ନେତା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଜାରାଜୁଡ଼ାଙ୍କ ରାଜତ୍ୱ ଲୋପ କଲାପରେ ସେହି ଦଳର ଇନ୍ଦିରା ଗାନ୍ଧୀ ରାଜାମାନଙ୍କ ପ୍ରିଭି ପର୍ସ ବ୍ୟବସ୍ଥା ବନ୍ଦ କରାଇଲେ। ଏହା ସତ୍ତ୍ୱେ କୌତୂହଳର ବିଷୟ ଯେ, ସୁପ୍ରିମ୍‌କୋର୍ଟ ପୁନର୍ବାର ସେହି ରାଜପରିବାରକୁ ପଦ୍ମନାଭସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱ ଧରାଇଦେଲେ। ଅର୍ଥାତ୍‌ ଏହିଭଳି ଉଦାହରଣରୁ ପ୍ରମାଣ ମିଳୁଛି ଯେ, ପୃଥିବୀବ୍ୟାପୀ ବଂଶବାଦର ଗୁରୁତ୍ୱ ରହିଛି। ଗଣତନ୍ତ୍ରର ମାତା ବୋଲାଉଥିବା ଇଂଲଣ୍ଡ ଦେଶରେ ରାଜପରିବାରର ଏକବିଂଶ ଶତାବ୍ଦୀରେ ମଧ୍ୟ ଯେଉଁ ଶକ୍ତି ରହିଛି, ସେଭଳି ଶକ୍ତି ଥାଇଲାଣ୍ଡଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ରାଜ ପରିବାରରେ ରହିଆସିଛି। ଏଠାରେ ରାଜପରିବାରକୁ ପ୍ରଶଂସା କରିବାର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ବଂଶବାଦର ଗୁରୁତ୍ୱକୁ ହ୍ରାସ କରାଇବା ଅସମ୍ଭବ। ଭାରତର ପ୍ରତ୍ୟେକ ଗ୍ରାମରେ ଗ୍ରାମ ମୁଖିଆଙ୍କ ଗୁରୁତ୍ୱ ରହୁଛି। ସେହି ଗ୍ରାମମୁଖ୍ୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରପଞ୍ଚଙ୍କଠାରୁ ବିଧାୟକ, ସାଂସଦ ମଧ୍ୟ ତାଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୁଅନ୍ତି। ଗ୍ରାମ ମୁଖିଆଙ୍କ ଦେହାନ୍ତ ହେଲେ ସେହି ପରିବାରର ବଡ଼ ପୁଅଙ୍କୁ ଗ୍ରାମବାସୀ ପୁନର୍ବାର ସମ୍ମାନ ଦିଅନ୍ତି। ସାଧାରଣରେ ଅନ୍ୟ ପରିବାରକୁ ଗ୍ରାମମୁଖ୍ୟର ଅନୌପଚାରିକ ସମ୍ମାନ ଦିଆଯାଏ ନାହିଁ। ଅର୍ଥାତ୍‌ ଗ୍ରାମାଞ୍ଚଳରେ ବାଦବିବାଦଠାରୁ ଆରମ୍ଭ କରି ବିବାହ ବ୍ରତ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆଜିପର୍ଯ୍ୟନ୍ତ ମୁଖିଆମାନଙ୍କ ପ୍ରଭାବ ରହିଆସୁଛି। ଏଭଳି ମାନସିକତା କେବଳ ଭାରତୀୟ ସମାଜରେ ସାମନ୍ତବାଦ ଯୋଗୁ ରହିଆସୁଛି ବୋଲି କହିହେବ ନାହିଁ। ଯାହାର ବାପା କିମ୍ବା ଜେଜେବାପା ଅଚିହ୍ନା, ଅଜଣା ସେହି ବ୍ୟକ୍ତିଙ୍କୁ ବିଶ୍ୱାସରେ ନେବାକୁ କଷ୍ଟକର ହୋଇଥାଏ। ସେଥିପାଇଁ ପରିବାରର ଭୂମିକାକୁ ରାଜନୀତିରେ ଗୌଣ କରାଯାଇ ପାରିବ ନାହିଁ। ଏଠାରେ ପଡ଼ୋଶୀ ଦେଶଗୁଡ଼ିକର ଉଦାହରଣ ନିଆଯାଇପାରେ। ବାଂଲାଦେଶର ସ୍ବର୍ଗତ ମୁଜିବୁର ରହେମନଙ୍କ କନ୍ୟା ଶେଖ୍‌ ହାସିନା ଏବେ ସେଠାରେ ପ୍ରଧାନମନ୍ତ୍ରୀ। ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ରାଷ୍ଟ୍ରପତି ଥିବାବେଳେ ତାଙ୍କ ବଡ଼ଭାଇ ମହିନ୍ଦା ରାଜପାକ୍‌ସେ ପ୍ରଧାନମନ୍ତ୍ରୀ ଅଛନ୍ତି। ଥାଇଲାଣ୍ଡ ରାଜାଙ୍କ କଥା ପୂର୍ବରୁ ଉଲ୍ଲେଖ କରାଯାଇଛି। ନେପାଳରେ ରାଜପରିବାରର ପତନ ପରେ ରାଜନୈତିକ ଅସ୍ଥିରତା ଲାଗିରହିଛି, ଯେଉଁଥିପାଇଁ ୨୦୧୭ ମସିହାରେ ମୋଦି ସରକାରଙ୍କ ତରଫରୁ ରାଜପରିବାରକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା। ସେହି ବିଫଳ ଉଦ୍ୟମ ଯୋଗୁ ଭାରତ-ନେପାଳ ସମ୍ପର୍କ ତିକ୍ତ ହୋଇଛି। ଅନ୍ୟପଟେ ଆଫଗାନିସ୍ତାନ ଓ ପାକିସ୍ତାନ ଭଳି ଦେଶରେ କୌଣସି ପ୍ରତିଷ୍ଠିତ ପରିବାର ନ ଥିବା ହେତୁ ସେହିସବୁ ଦେଶ ଆଜି ତଳିତଳାନ୍ତ ହୋଇଯାଉଛନ୍ତି। ମଧ୍ୟପ୍ରାଚ୍ୟର ସବୁ ଧନୀ ଦେଶ ବଂଶବାଦ ଶାସନରେ ପରିଚାଳିତ ହେଉଥିବାରୁ ସେଠାରେ ମୁଣ୍ଡଟେକୁଥିବା ଅସ୍ଥିରତା ଓ ଇସ୍‌ଲାମୀୟ କଠୋରବାଦ ମଳିନ ପଡ଼ିବାକୁ ଆରମ୍ଭ କଲାଣି। ଏହାର ଉଦାହରଣ ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ୍‌ ମାକ୍‌ରଁଙ୍କୁ ସାଉଦି ଆରବର ରାଜା ମହମ୍ମଦ ବିନ୍‌ ସଲ୍‌ମନ ସମର୍ଥନ କରୁଛନ୍ତି।
ଏଠାରେ କହିବାର ଉଦ୍ଦେଶ୍ୟ ନୁହେଁ ଯେ, ରାଜାରାଜୁଡ଼ା ଶାସନ ଫେରିଆସୁ। କିନ୍ତୁ ମଣିଷ ଚରିତ୍ରକୁ ଦେଖିଲେ ସୁପରିଚିତ ବ୍ୟକ୍ତି ହେବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ସେଥିରେ ଯେଉଁମାନେ ସଫଳ ହୁଅନ୍ତି, ସେମାନଙ୍କ ଦାୟାଦ ସେହି ପ୍ରଚେଷ୍ଟାର ଲାଭ ପାଆନ୍ତି। ଆଜି ଜି. ଡି. ବିର୍ଲା ଜୀବିତ ନ ଥିଲେ ମଧ୍ୟ କୁମାରମଙ୍ଗଳମ୍‌ ବିର୍ଲା ପରିଚିତ। ଧୀରୁଭାଇଙ୍କ ଦେହାନ୍ତ ହୋଇଯାଇଛି, ହେଲେ ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି। ରାହୁଲ ବଜାଜ ବୟସ୍କ ହୋଇଯାଇଥିବା ବେଳେ ତାଙ୍କ ପୁତ୍ର ରାଜୀବ ବଜାଜ ଭାରତୀୟ ବ୍ୟବସାୟିକ ମହଲରେ ନୂତନ ଦିଗ୍‌ଦର୍ଶକ ହୋଇଛନ୍ତି। ପୃଥ୍ବୀରାଜ କପୁରଙ୍କ ମୃତ୍ୟୁ ପରେ ରାଜକପୁରଙ୍କ ଦେହାନ୍ତ ସତ୍ତ୍ୱେ ରଣବୀର କପୁର ମଧ୍ୟ ସିନେମା ଜଗତରେ ଲୋକପ୍ରିୟ ହୋଇପାରିଛନ୍ତି। ଏହିଭଳି ଉଦାହରଣ ବିଶ୍ୱସାରା ଦେଖିବାକୁ ମିଳେ। ଡାକ୍ତରଙ୍କ ପୁଅ ଡାକ୍ତର ହୋଇ ହସ୍ପିଟାଲ ଖୋଲିବା କାହାର ଆଖିରେ ଖଟ୍‌କେ ନାହିଁ। ସେହିଭଳି ଜୀବନର ସବୁ କ୍ଷେତ୍ରରେ ବଂଶବାଦକୁ ସ୍ବୀକାର କରିବାକୁ ପଡ଼େ। ସେଥିପାଇଁ ଆଜିର ଭାରତରେ ବଂଶବାଦ ବିରୋଧରେ ଡାକରା ଦେବା ପରିବର୍ତ୍ତେ ଆମ ନେତାମାନେ ଆସନ୍ତା ୫୦ ବର୍ଷରେ ଭାରତକୁ କେଉଁ ଦିଗକୁ ନେଇ ଅର୍ଥନୈତିକ ସଫଳତା ଆଣିଦେବେ ସେଥିରେ ଅଧିକ ଗୁରୁତ୍ୱ ଦେବା ଦରକାର। ବଂଶବାଦର ନକାରାତ୍ମକ ଦିଗଠାରୁ ଅଧିକ ଗୁରୁତ୍ୱ ରଖେ ତାହାର ଦାୟିତ୍ୱବାନ୍‌ ଚରିତ୍ର। ବୁନିଆଦି ମଣିଷକୁ ଦେଇଥାଏ ତା’ର ପରିଚୟ। ସେହି ପରିଚୟର ବୈଜ୍ଞାନିକ ଶବ୍ଦ ହେଲା ଡିଏନ୍‌ଏ। ମଣିଷର ଡିଏନ୍‌ଏ ତା’ର ଚରିତ୍ର, ଆଭିମୁଖ୍ୟ, ଚିନ୍ତାଧାରା, ଏପରିକି ଶାରୀରିକ ଗଢ଼ଣ ନିର୍ଣ୍ଣୟ କରିଥାଏ। ସେଥିପାଇଁ ବଂଶବାଦକୁ ବିରୋଧ କରିବା ପରିବର୍ତ୍ତେ ଅର୍ଥନୈତିକ ପରିବର୍ତ୍ତନକୁ ଦୃଷ୍ଟି ଦେଲେ ଭାରତୀୟ ସମାଜର ଉନ୍ନତି ଘଟିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?