ସଭ୍ୟତାର ପ୍ରତାରଣା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ଆଦିମ ମାନବ ଅରଣ୍ୟରେ ରହୁଥିଲା ଓ ପଶୁପକ୍ଷୀ ଶିକାର କରି ସେମାନଙ୍କ ମାଂସ ଖାଇ ବଞ୍ଚୁଥିଲା। ସେ ପଶୁବତ୍‌ ଉଲଗ୍ନ ରହୁଥିଲା ଓ ପ୍ରବୃତ୍ତିଗତ ଜୀବନଯାପନ କରୁଥିଲା। କ୍ରମେ ସେ ପୋଷାକ ପିନ୍ଧି ନିଜକୁ ସୁନ୍ଦର ମଣିଲା। ଜୀବନକୁ ଉନ୍ନତ କରିବା ପାଇଁ ସେ ନୂଆ ନୂଆ କଥା ଚିନ୍ତା କଲା। ଫଳରେ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ସମ୍ଭବ ହେଲା। ସେ ସମାଜକୁ ଶୃଙ୍ଖଳିତ କରିବା ପାଇଁ ଆଇନ ତିଆରି କଲା ଓ ତାକୁ ମାନି ଚଳିଲା। ଏହି ପ୍ରକ୍ରିୟାରେ ବର୍ବର ମଣିଷ ସଭ୍ୟ ହେଲା। ଏଣୁ ପ୍ରଖ୍ୟାତ ଚିନ୍ତାନାୟକ ସି.ଇ.ଏମ୍‌. ଜୋଡ୍‌ କହିଲେ, ଯିଏ ସୁନ୍ଦର ପଦାର୍ଥ ସୃଷ୍ଟି କରିପାରେ, ମୁକ୍ତ ଭାବରେ ନୂଆ ନୂଆ କଥା ଚିନ୍ତା କରିପାରେ ଓ ଆଇନ ମାନି ଚଳେ ସେ ସଭ୍ୟ। ଏହି ପରିଭାଷା ଅନୁଯାୟୀ ଏକବିଂଶ ଶତାବ୍ଦୀର ମଣିଷକୁ ସଭ୍ୟ କୁହାଯାଇପାରେ। ମାତ୍ର ତା’ର ଏହି ସଭ୍ୟତା ଯେ ବର୍ବରତାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ ତାହା ପ୍ରମାଣ କରେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ କଥିତ ଏକ ମଜା କଥା। ଜଣେ ଧର୍ମପ୍ରଚାରକ ଏକ ଅନୁନ୍ନତ ଅଞ୍ଚଳରୁ ଫେରି କହୁଥାନ୍ତି ”ମୁଁ ସେ ଅଞ୍ଚଳର ସମସ୍ତ ଅସଭ୍ୟ ମଣିଷକୁ ସଭ୍ୟ କରିଦେଇଛି।“ ଅନେକ ବର୍ଷ ଅତିକ୍ରାନ୍ତ ହେଲା। ଜଣେ ପରିବ୍ରାଜକ ସେହି ଅଞ୍ଚଳରୁ ଫେରି ସେହି ଧର୍ମପ୍ରଚାରକଙ୍କୁ କହିଲେ, ”ମହାଶୟ, ମୁଁ ଦେଖିଲି ସେ ଅଞ୍ଚଳରେ ଏବେ ବି ଲୋକ ନରମାଂସ ଖାଉଛନ୍ତି। ଆପଣ ସେମାନଙ୍କୁ ସଭ୍ୟ କରିଦେଲେ ବୋଲି କେମିତି କହୁଛନ୍ତି ?“ ଧର୍ମପ୍ରଚାରକ ଉତ୍ତର ଦେଲେ, ”ସେମାନେ ନରମାଂସ ଖାଉଥାଇପାରନ୍ତି, ମାତ୍ର ପୂର୍ବର ଅସଭ୍ୟ ଅଭ୍ୟାସ ଅନୁସାରେ ସେମାନେ ହାତରେ ଖାଉନାହାନ୍ତି, କଣ୍ଟା ଚାମଚରେ ଖାଉଛନ୍ତି।“ ଧର୍ମପ୍ରଚାରକଙ୍କ ପରିଭାଷାରେ ସେମାନେ ସଭ୍ୟ ହୋଇଥାଇପାରନ୍ତି, ମାତ୍ର ସେମାନେ ଏବେ ବି ସେହି ଆଦିମ ପ୍ରବୃତ୍ତି ଦ୍ୱାରା ପରିଚାଳିତ। ହିଂସାଚରଣ ବା ବର୍ବରତାର ଇତିହାସ ଦୀର୍ଘ। ପଶୁମାନଙ୍କ ହିଂସାଚରଣ ପ୍ରବୃତ୍ତିଗତ ମାତ୍ର ମଣିଷର ହିଂସାଚରଣ ଏକ ସଚେତଆବେଗ। ସେ କେତେବେଳେ କ୍ଷମତା ଲୋଭରେ ତ କେତେବେଳେ ଧନସମ୍ପଦ ଲୋଭରେ ଓ ଆଉ କେତେବେଳେ କାମନା ବାସନାର ପରିପୂର୍ତ୍ତି ପାଇଁ ହିଂସାଚରଣ କରେ। ଆଧୁନିକ ତଥାକଥିତ ସଭ୍ୟ ମଣିଷ ଅତୀତର ଅସଭ୍ୟ ମଣିଷଠାରୁ ବେଶି ହିଂସ୍ର। ସେ ଆଧୁନିକ ସ୍ବୟଂଚାଳିତ ବନ୍ଧୁକ ବ୍ୟବହାର କରି, ଦୂର ନିର୍ଦ୍ଦେଶିତ ବିସ୍ଫୋରଣ କରି ଖୁବ କମ୍‌ ସମୟରେ ଅସଂଖ୍ୟ ଲୋକଙ୍କୁ ହତ୍ୟା କରୁଛି। ଏଣୁ ମଣିଷର ଚେତନା ନିହିତ ହିଂସାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ଦୃଷ୍ଟିରୁ ଆଧୁନିକ ମଣିଷ ସଭ୍ୟ ହେଲା କିପରି ତାହା ବିତର୍କର ବିଷୟ।
ଆଧୁନିକ ମଣିଷର କ୍ଷମତା ପିପାସା, ଶଠତା ଶୋଷଣ, ଲୁଣ୍ଠନ, ଦୁର୍ବଳ ଉପରେ ଅତ୍ୟାଚାର ଓ ହିଂସାଚରଣ ଦେଖିଲେ ତାକୁ ସଭ୍ୟ କୁହାଯିବା କେତେ ଯଥାର୍ଥ ତାହା ପୁନଃବିଚାର୍ଯ୍ୟ। ଦିନେ ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କୁ ଏ ସମ୍ପର୍କରେ ପୁନର୍ବିଚାର କରିବାକୁ ବାଧ୍ୟ କରିଥିଲା ଦୁଇଟି ସାଧାରଣ ଘଟଣା। ଗାଁରେ ପଡ଼ିଶା ଘରେ ଗୋଟିଏ ଗାଈ ବାରମ୍ବାର ହମ୍ବାରଡ଼ି କରୁଥାଏ। ଲେଖକ ତାଙ୍କ କ୍ଷୀରବାଲା ଗୁଆଲାକୁ ହମ୍ବାରଡ଼ିର କାରଣ ପଚାରନ୍ତେ ସେ କହିଲା, ”ଗାଈଟା ବାଛୁରିକୁ ଖୋଜୁଛି କ୍ଷୀର ଦେବା ପାଇଁ। ଗାଈ ମାଲିକ ବାଛୁରିକୁ ତା’ ମା ଠାରୁ ଦୂରେଇ କେଉଁଠି ବାନ୍ଧି ରଖିଛି। ଗାଈ ପହ୍ନାରେ କ୍ଷୀର ଭିଡ଼େଇବା ବେଳେ ଗାଈକୁ କଷ୍ଟ ହେଉଛି। ସେ ତା’ର ବାଛୁରିକୁ ଖୋଜୁଛି ପହ୍ନାରୁ କ୍ଷୀର ପିଆଇ ଦେଲେ, କଷ୍ଟ ରହନ୍ତା ନାହିଁ। ହେଲେ ବାଛୁରିକୁ ପାଉନାହିଁ।“ ଲେଖକ ବାଛୁରିକୁ ଦୂରେଇ ରଖିବାର କାରଣ ପଚାରନ୍ତେ ଗୁଆଲା କହିଲା, ”ବାଛୁରି ତ ସବୁ କ୍ଷୀର ପିଇଯିବ-ମାଲିକ ପାଇବ କ’ଣ? ବିକିବ କ’ଣ?“ ମୂକ ଅସହାୟ ଗାଈକୁ ଶୋଷଣ କରୁଥିବା ଆଧୁନିକ ମଣିଷର ବ୍ୟବହାର ଲେଖକଙ୍କୁ ମନେ ପକାଇଦେଲା ତାଙ୍କ ଫୁଲବାଣୀ ରହଣିର ଆଉ ଏକ ଅଭିଜ୍ଞତା। ସେ ବେଲଘର ଅଞ୍ଚଳର ରେଭିନ୍ୟୁ ସେଡ଼ରେ ରହିଥାନ୍ତି। ସକାଳେ ଚା’ କପେ ପିଇବା ପାଇଁ ତାଙ୍କ ଇଚ୍ଛା ହେବାରୁ ସେ ଚୌକିଦାରକୁ କ୍ଷୀର ଆଣିବା ପାଇଁ କହିଲେ। ଚୌକିଦାର କହିଲା, ”ଏ ଅଞ୍ଚଳର ଲୋକେ କ୍ଷୀର ଖାଆନ୍ତି ନାହିଁ। ତେଣୁ ସେମାନେ ଗାଈ ରଖନ୍ତି ନାହିଁ।“ ଆଶ୍ଚର୍ଯ୍ୟ ହେଲେ ଲେଖକ। ସେ କହିଲେ, ”ସେମାନେ ନ ଖାଆନ୍ତୁ, ଅନ୍ତତଃ ତାକୁ ବିକ୍ରି କରି ଦି’ ପଇସା ରୋଜଗାର କରିପାରନ୍ତେ।“ ତାଙ୍କୁ ଆହୁରି ଚକିତ କରିଥିଲା ଚୌକିଦାରର ପରବର୍ତ୍ତୀ କଥା। ସେ କହିଲା, ”ଏଠାକାର କନ୍ଧମାନେ କହନ୍ତି କ୍ଷୀର ଉପରେ ବାଛୁରିର ଅଧିକାର। ସେମାନେ ବାଛୁରି ମୁହଁରୁ ତା’ର ଆଧାର ଛଡ଼େଇବେ କାହିଁକି? ସେମାନେ କ୍ଷୀର ଦୁହନ୍ତି ନାହିଁ। ବାଛୁରି କ୍ଷୀର ପିଇଯାଏ।“ ଏହି ପ୍ରସଙ୍ଗରେ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ମନ୍ତବ୍ୟ ହେଉଛି- ”ସବୁ ସଭ୍ୟତାର ଭିତ୍ତି ହେଉଛି ଶୋଷଣ ଓ ଲୁଣ୍ଠନ। ଦୁର୍ବଳକୁ ଶୋଷଣ କରି ଗଡ଼ିଉଠେ ସବୁ ସଭ୍ୟତାର ମୀନାର। ମଣିଷ ହେଉଛି ମଣିଷର ସବୁଠାରୁ ବଳି ଶୋଷକ। ସିଏ ରାଷ୍ଟ୍ର ହେଉ, ସାହୁକାର ମହାଜନ ହେଉ, ସବୁ ପ୍ରକାର ଭେଦ ମାତ୍ର। ସେଇଦିନୁ ମୁଁ ଭାବି ଆସୁଛି ମଣିଷ ଯଦି କେଉଁଦିନ ଅଭିବ୍ୟକ୍ତିର କୌଣସି ଏକ ପର୍ଯ୍ୟାୟରେ ଆଦର୍ଶ ସଂସ୍କୃତି ସମ୍ପନ୍ନ ମଣିଷ ହୋଇପାରେ, ତା’ହେଲେ ସେ ହେବ ଜଣେ ଲେଙ୍ଗୁଟି ପିନ୍ଧା ଆଦିବାସୀ। ଅବଶ୍ୟ ତା’ଠାରେ ରହିବ ଶୁଚିବୋଧ, ଶିକ୍ଷା ଓ ସଂସ୍କୃତି। ସେଇଦିନ କେବଳ ଶୋଷଣମୁକ୍ତ ସମାଜ ସମ୍ଭବ ହୋଇପାରିବ। କିନ୍ତୁ ସେ ଶିକ୍ଷା ଓ ସଂସ୍କୃତି-ସମ୍ପନ୍ନ ହେବାପରେ ପୁଣି ଯେ ଏକ ଶୋଷକ ସାଜି, ଗାଈ ଦୁହିବା ପାଇଁ ବାଛୁରିକୁ ଅଲଗା କରି ନ ରଖିବ, ତା’ର କେଉଁ ସ୍ଥିରତା ଅଛି? ସଭ୍ୟତା ପ୍ରକୃତରେ ଏକ ଅଭିଶାପ।“
ଆଉଦିନେ ଦୁଇଜଣ ଆଦିବାସୀ ମହୁ ସଂଗ୍ରହକାରୀଙ୍କ ପାଖରୁ ଲେଖକ ମାତ୍ର ପନ୍ଦର ଟଙ୍କାରେ କିଣିଥିଲେ ଗୋଟିଏ ଠେକି ଖାଣ୍ଟି ମହୁ। ଦିଆସିଲି କାଠି ମାରି ମହୁକୁ ଜାଳି ତା’ର ଖାଣ୍ଟିତ୍ୱ ପରୀକ୍ଷା କରିଥିଲେ। ସେମାନେ ଥିଲେ ନିରକ୍ଷର ଓ ବେଶଭୂଷାରେ ଅର୍ଦ୍ଧଅନାବୃତ୍ତ। ସେମାନେ ଲେଖକ ଦେଇଥିବା ଦଶଟଙ୍କିଆ ଓ ପାଞ୍ଚଟଙ୍କିଆ ନୋଟକୁ ଆଙ୍ଗୁଠିରେ ମାପି ଚିହ୍ନିଥିଲେ। ଗୋଟିଏ ବର୍ଷ ପରେ ସେମାନେ ଆସିଥିଲେ ଲେଖକଙ୍କ ସହରକୁ ମହୁ ବିକ୍ରୟ କରିବା ପାଇଁ। ପ୍ରଥମ ଥର ସେମାନେ ପିନ୍ଧିଥିଲେ ଖଣ୍ଡେ ଖଣ୍ଡେ କାଛିଆ। ମାତ୍ର ଏଥର ପିନ୍ଧିଥିଲେ ଧୋତି ଓ ରଙ୍ଗିନ ଗେଞ୍ଜି। ଏଥର ସେମାନେ ସେତକ ମହୁକୁ ଚାଳିଶ ଟଙ୍କା ନେଲେ ଓ ଆଙ୍ଗୁଠିରେ ନୋଟ୍‌ ନ ମାପି ତା’ର ଚେହେରାରୁ ନୋଟଗୁଡ଼ିକୁ ଚିହ୍ନି ପାରିଥିଲେ। ମାତ୍ର ଲେଖକ ଲକ୍ଷ୍ୟ କଲେ ଏଥରର ମହୁରେ ପୂର୍ବବର୍ଷର ମହୁର ସୁଗନ୍ଧ ନ ଥିଲା। ସେଥିରେ କିଛି ଗୁଡ଼ପାଣି ମିଶିଥିବା ଭଳି ମନେ ହେଉଥିଲା। ତୃତୀୟ ବର୍ଷ ସେମାନେ ପୁଣି ଆସିଲେ। ଦେଖାଯାଉଥିଲେ ପୂର୍ବାପେକ୍ଷା ଅଧିକ ଶିକ୍ଷିତ ଓ ମାର୍ଜିତ। ଲେଖକ ପୁଣି ସେମାନଙ୍କଠାରୁ ମହୁ କିଣିବା ବେଳେ ତା’ର ବିଶୁଦ୍ଧତା ପରୀକ୍ଷା କରିବା ପାଇଁ ଦିଆସିଲି କାଠି ମାରିଲେ। ମାତ୍ର ମହୁ ଜଳିଲା ନାହିଁ। ଲେଖକ ବିରକ୍ତ ହୋଇ କହିଲେ, ”ତୁମ ମହୁ ଭେଜାଲ“। ସେମାନଙ୍କ ମଧ୍ୟରୁ ଜଣେ କହିଲା, ”ବାବୁ, ଆଉ ଖାଣ୍ଟି ଜିନିଷ କାହିଁ? ଆଜିକାଲି ସବୁକିଛି ଭେଜାଲ୍‌। ଏଣୁ ସେଦିନର ଖାଣ୍ଟି ମହୁ ଆଜି ମିଳିବ କିପରି?“ ଏହି ଅଭିଜ୍ଞତା ଲେଖକଙ୍କୁ ସଭ୍ୟତାର ନୂତନ ସଂଜ୍ଞା ଖୋଜିବାକୁ ବାଧ୍ୟ କରିଥିଲା। ପ୍ରଥମ ସାକ୍ଷାତ ସମୟରେ ଯେଉଁ ଆଦିବାସୀମାନେ ଥିଲେ ନିରକ୍ଷର, ବନ୍ୟ ଓ ଅମାର୍ଜିତ ସମୟର ଗତିରେ ସେମାନେ ହେଲେ ଶିକ୍ଷିତ ଓ ମାର୍ଜିତ। ସଭ୍ୟ ହେବା ପଥରେ ସେମାନେ ଆଗେଇଲେ, ମାତ୍ର ତାଙ୍କ ଚରିତ୍ରର ଗୁଣାତ୍ମକ ଅଧୋଗତି ଓ ବିକୃତି ମଧ୍ୟରେ। ଏଣୁ ସୁରେନ୍ଦ୍ର ମହାନ୍ତି ତାଙ୍କ ‘ଶେଷସ୍ତମ୍ଭ’ ରେ ଲେଖିଲେ ସଭ୍ୟତାର ଅନ୍ୟନାମ ହେଉଛି ବିକୃତି ଓ ଶଠତା।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?