ପୋଲିସର ନିରଙ୍କୁଶ ଗିରଫ କ୍ଷମତା

ହରିଶଙ୍କର ମିଶ୍ର

 

କବିବର ରାଧାନାଥ ରାୟ ଦେଶ ସ୍ବାଧୀନ ହେବାର ବହୁବର୍ଷ ଆଗରୁ ଦରବାର କାବ୍ୟରେ ଲେଖିଥିଲେ ଯେ ”କିଏ କହେ ମୁହିଁ ଅଟଇ ପୋଲିସ। ବିନା ମେଘେ ସୃଜି ପାରଇ କୁଳୀଶ।“ ଇଂରେଜମାନଙ୍କ ଶାସନ ସମୟରେ ନିଯୁକ୍ତ ପୋଲିସ ମୁଖ୍ୟତଃ ସାଧୀନତା ସଂଗ୍ରାମୀ ବା ଗଡ଼ଜାତମାନଙ୍କରେ ପ୍ରଜା ଆନ୍ଦୋଳନକାରୀମାନଙ୍କୁ ଦମନ କରିବା ପାଇଁ ନିର୍ମମ ଅତ୍ୟାଚାର କରୁଥିଲେ। ଦେଶ ସ୍ବାଧୀନ ହେବାପରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଶାସନ କଲେ। କିନ୍ତୁ ବ୍ରିଟିଶ ଶାସନାଧୀନ ପୋଲିସଙ୍କର ଚରିତ୍ର ଯାହା ଥିଲା ସ୍ବାଧୀନତାର ଅମୃତ ମହୋତ୍ସବ ଅବଧି ପାଳନ ସତ୍ତ୍ୱେ ସେମାନଙ୍କର ମାନସିକତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇପାରିନାହିଁ। ଏଥିପାଇଁ ମାନବାଧିକାର କମିଶନଙ୍କ ପାଖରେ ସର୍ବାଧିକ ଅଭିଯୋଗ ପୋଲିସ ବିରୁଦ୍ଧରେ ରହିଛି। କମିଶନଙ୍କ ଅନେକ ପ୍ରତିକୂଳ ମନ୍ତବ୍ୟ ସହ ବିଭିନ୍ନ ସଙ୍ଗଠନ ଦ୍ବାରା ବିଭିନ୍ନ ଘଟଣାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ବିରୋଧ ସତ୍ତ୍ୱେ ସେମାନେ ଖାକି ପୋଷାକ ପିନ୍ଧି ଦେଲେ ନିଜକୁ ସର୍ବେସର୍ବା ମନେ କରୁଛନ୍ତି। ଆମର ଲୋକମୁଖରେ କୁହାଯାଉଥିଲା ‘ମାଛ ଖାଇବ ଇଲିଶି ଚାକିରି କରିବ ପୁଲିସ’ କଥାଟି ସେଥିପାଇଁ ଏବେ ବି ଗୁରୁତ୍ୱ ବହନ କରୁଛି। ସରକାରୀ ସ୍ତରରେ ପୋଲିସ୍‌ର ମାନସିକତା ପରିବର୍ତ୍ତନ ଓ ଥାନାରେ ଅଭିଯୋଗକାରୀଙ୍କ ତିକ୍ତ ଅନୁଭୂତି ପ୍ରଶମନ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ବି ତାହା ଉପରେ ପ୍ରାଥମିକ ଅବସ୍ଥାରେ ତତ୍ପରତା ଦେଖାଯାଏ ଏବଂ ସମୟକ୍ରମେ ଲୋକଦେଖାଣିଆ ଓ ପ୍ରହସନରେ ପରିଣତ ହୋଇଥାଏ। ଏବେ ଖାକି ପୋଷାକଧାରୀଙ୍କ ପାଖରେ ମାନବିକତା ହାର ମାନୁ ଥିବା ବେଳେ ଲୋକଙ୍କ ମନରେ ପୋଲିସ ପ୍ରତି ଘୃଣା ଭାବ ସମ୍ପୂର୍ଣ୍ଣ ଅପସାରିତ ହୋଇନାହିଁ। ସେମାନଙ୍କର ଚାକିରି ଆରମ୍ଭରୁ ଆଇନଶୃଙ୍ଖଳା ରକ୍ଷା ଓ ଦେଶର ସମ୍ବିଧାନକୁ ସମ୍ମାନ ଦେବାର ଅଙ୍ଗୀକାର ବଦ୍ଧତା କେବଳ ଔପଚାରିକ ହୋଇଯାଇଛି। ଲାଞ୍ଚ ନେଇ ଧରାପଡ଼ିବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଥାନାରେ ବର୍ବରତା ପ୍ରଦର୍ଶନ ଯୋଗୁ ଅନେକ ପୋଲିସ ଅଧିକାରୀ ଦଣ୍ଡିତ ହୋଇଥିଲେ ମଧ୍ୟ ଏହା ବିଭାଗୀୟ ଅନ୍ୟ ଅଧିକାରୀ ବା କର୍ମଚାରୀଙ୍କୁ ପୂର୍ଣ୍ଣ ପ୍ରଭାବିତ କରିପାରୁ ନାହିଁ। ରାଜ୍ୟରେ ଗତ ସରକାର ସମୟରେ ମୋ ସରକାର ନାମରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇ ପୋଲିସକୁ ଲୋକଙ୍କ ନିକଟତର କରିବା ସହ ଥାନା ପ୍ରତି ରହିଥିବା ବିତୃଷ୍ଣାଭାବ ଦୂର ପାଇଁ ପ୍ରୟାସ କରାଯାଇ ଥିଲା ତାହା ପୋଲିସ ପ୍ରତି ଲୋକଙ୍କ ମନରେ ଆସ୍ଥା ନ ଥିବା ସ୍ପଷ୍ଟ କରୁଥିଲା; ଯାହା କି କ୍ରମେ କ୍ରମେ ପୋଲିସର ସହଜାତ ପ୍ରକୃତି ଯୋଗୁ ପ୍ରହସନ ହୋଇଗଲାଣି ବୋଲି ଅନୁଭବୀମାନେ ଜାଣିଛନ୍ତି। ଏହାର ଏକମାତ୍ର କାରଣ ହେଉଛି ସେମାନେ ସାମାଜିକ କର୍ତ୍ତବ୍ୟ ଅପେକ୍ଷା ରାଜନୈତିକ ତୁଷ୍ଟିକରଣକୁ ଅଧିକ ଗୁରୁତ୍ୱ ଦିଅନ୍ତି ବା ଦେବାକୁ ସୁଯୋଗ ଭାବେ ଗ୍ରହଣ କରନ୍ତି। ସେଥିପାଇଁ ପୋଲିସ ରାଜନୈତିକ ବଶମ୍ବଦରେ ରହୁଥିବା ପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ନିରାକରଣ ସମ୍ଭବ ନୁହେଁ। ପ୍ରତିପକ୍ଷଙ୍କୁ ଆପରାଧିକ ଓ ଆଇନର ଜାଲରେ ଛନ୍ଦି ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ପୋଲିସକୁ ବ୍ୟବହାର କରାଯିବା ଆମର ଅଲିଖିତ ପରମ୍ପରା ହୋଇଯାଇଛି। ପୋଲିସ ଯେତେ ଅପରାଧ କଲେ ତାକୁ ବିରୋଧ କରୁଥିବା ଅଭିଯୋଗକାରୀ ନିର୍ଯାତିତ ହେବା ନିଶ୍ଚିତ। ଯେବେଠାରୁ ପୋଲିସ ବା କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ ‘ଆମ ଲୋକ’ ପଦର ବିଲୁପ୍ତି ନ ହୋଇଛି ସେପର୍ଯ୍ୟନ୍ତ ଏହି ପରମ୍ପରା ନିଶ୍ଚିତ ଚାଲିଥିବ, ଏଥିରେ ସନ୍ଦେହ ନାହିଁ।
ଆମର ଆଇନ ସମସ୍ତଙ୍କ ପାଇଁ ସମାନ କେବଳ କଥାରେ ସୀମିତ। ଯେଉଁ ଅଭିଯୋଗ ଆଧାରରେ କୌଣସି ରାଜନୈତିକ ବା ପୋଲିସ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଅଭିଯୋଗ ଆଧାରରେ ଗିରଫ କରାଯାଏ ତା’ ଠାରୁ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଧନ ବା କ୍ଷମତାରେ ପ୍ରତିପତ୍ତିଶାଳୀ ନତୁବା ପୋଲିସର ସମ୍ପର୍କୀୟ ବ୍ୟକ୍ତିଙ୍କୁ ତଦନ୍ତ ଆଳରେ ସୁରକ୍ଷା ଦିଆଯାଇଥାଏ। ସେମାନେ ଉଚ୍ଚନ୍ୟାୟାଳୟଠାରୁ ଆଗୁଆ ଜାମିନ ମଧ୍ୟ ପାଇଥାନ୍ତି। କାରଣ ଅଧିକ ଟଙ୍କାରେ ନିଯୁକ୍ତ ନାମୀ ଓକିଲ ଆଇନର ଗଳାବାଟ ସୃଷ୍ଟି କରିପାରନ୍ତି। ଆମ ବିଚାର ପ୍ରକ୍ରିୟାରେ ପ୍ରଥମ ଜାମିନ ଦରଖାସ୍ତକୁ ଅଭିଯୋଗର ଆପରାଧିକ ଦଫା ଅନୁଯାୟୀ ବିଚାର ହୋଇଥାଏ। ସେଥିପାଇଁ ଆଇନ ବ୍ୟବସ୍ଥାର ଦୁରୁପଯୋଗ କରି ପୋଲିସ ପ୍ରଶାସନ ଯେପରି ଉଦ୍ଦେଶ୍ୟମୂଳକ ଗିରଫ କରିପାରେ ତା’ର ଉଦାହରଣର ଅଭାବ ନାହିଁ। ରାଜନୈତିକ ସ୍ବାର୍ଥସାଧନ ପାଇଁ ପୋଲିସ ମିଥ୍ୟା ଅଭିଯୋଗ ସୃଷ୍ଟି କରି କଠୋର ଦଫାରେ ମାମଲା କରନ୍ତି ବା ଆବଶ୍ୟକ ସ୍ଥଳେ ନିଜେ ଅଭିଯୋଗକାରୀ ହୋଇପାରନ୍ତି। କିନ୍ତୁ ଅପରାଧ କରିଥିବା ବ୍ୟକ୍ତି ଯଦି ପୋଲିସଙ୍କ ସମ୍ପର୍କୀୟ ହୋଇଥାନ୍ତି ନତୁବା ଅର୍ଥ କିମ୍ବା କ୍ଷମତା ଚାପରେ ଦଫାକୁ କୋହଳ କରାଯାଏ। ଅଣ୍ଡା ମାଡ଼କୁ ହତ୍ୟା ଉଦ୍ୟମ, କଳାପତାକା ପ୍ରଦର୍ଶନକୁ ଦେଶଦ୍ରୋହ, ସାଧାରଣ ସ୍ଥାନକୁ ଅନଧିକାର ପ୍ରବେଶ ସହ ଜୀବନରେ ମାରିଦେବାକୁ ଧମକର ଦଫା ଲଗାଇଦେଲେ ନିମ୍ନ ଅଦାଲତରୁ ଜାମିନ ମିଳିବା କଷ୍ଟକର ହୋଇଥାଏ। ଏବେ ବି ରାଜ୍ୟର ସମସ୍ତ କାରାଗାରରେ ମିଥ୍ୟା ମାମଲାରେ ଜଡ଼ିତ ଅନେକ ନିରପରାଧ ବ୍ୟକ୍ତି ରହିଛନ୍ତି। ଏପରି କି କୋର୍ଟରୁ ଜାମିନ ମିଳିଥିବା ସତ୍ତ୍ୱେ ଆବଶ୍ୟକୀୟ କାଗଜାଦି ଦାଖଲ ନ କରି ଅନେକେ କାରାଗାରରୁ ମୁକ୍ତ ହୋଇପାରି ନ ଥିବା ରାଷ୍ଟ୍ରପତିଙ୍କ ଅନୁଭବ ରହିଛି। ଆପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହେବା, ସାକ୍ଷୀଙ୍କୁ ପ୍ରଭାବିତ ବା ପ୍ରମାଣ ନଷ୍ଟ ଅଥବା ପୁନଃ ଅପରାଧର ସମ୍ଭାବନା ଥିଲେ ବା ଅପରାଧ ଅତି ଗୁରୁତର ହୋଇଥିଲେ ଗିରଫ ଆବଶ୍ୟକ ହୋଇପାରେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କାରାଗାର ବା ସରକାରଙ୍କୁ ପ୍ରଭାବିତ କରୁଛି। ଆଗାମୀ ଜୁଲାଇ ୧ ତାରିଖରୁ ନୂତନ ଅପରାଧ ଓ ଦଣ୍ଡବିଧି ସଂହିତା ଏବଂ ସାକ୍ଷ୍ୟ ପ୍ରଦାନ ନିୟମ ପ୍ରବର୍ତ୍ତନ ହେଉଥିବାରୁ ପୋଲିସକୁ ନିରଙ୍କୁଶ ଗିରଫ ଓ ଆପରାଧିକ ଦଫା ପ୍ରୟୋଗ କ୍ଷମତା ପରିବର୍ତ୍ତେ ଏହାର ପୂର୍ବାନୁମତି ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ନିଯୁକ୍ତିକୁ ଗୁରୁତ୍ୱ ପ୍ରଦାନ ଜରୁରୀ ମନେହୁଏ।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri