ଧନୀ ହେବା ପାଇଁ ଟିକସ

ଶୈଳେନ୍ଦ୍ର ଦ୍ୱିବେଦୀ

ଯେଉଁମାନେ ଭାରତର ଦାରିଦ୍ର୍ୟ ନେଇ ‘ଅକ୍ସଫାମ୍‌’ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ ରିପୋର୍ଟଗୁଡ଼ିକୁ ଅଣଦେଖା କରନ୍ତି ସେମାନଙ୍କ ପାଇଁ ଉଲ୍ଲେଖ କରିବା ଉଚିତ ମନେକରୁଛି ଯେ, ସ୍ବୟଂ ସରକାର ମଧ୍ୟ ବିଭିନ୍ନ ସମୟରେ ସ୍ବୀକାର କରି ଆସୁଛନ୍ତି : ଆମ ଦେଶରେ ଧନୀ ଏବଂ ଦରିଦ୍ରଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ଭୟଙ୍କର ଭାବରେ ବଢିଚାଲିଛି। ପୂର୍ବରୁ ଅକ୍ସଫାମ୍‌ ରିପୋର୍ଟ ଦର୍ଶାଇଥିଲା, ୨୦୧୯ ମହାମାରୀ ପରେ ଆମ ଜନସଂଖ୍ୟାର ଅନ୍ତତଃ ୫୦ ପ୍ରତିଶତଙ୍କ କ୍ଷେତ୍ରରେ ଆୟ/ସମ୍ପଦ ହ୍ରାସ ପାଇଛି। ୨୦୨୦ରେ ପିରାମିଡ଼ର ତଳେ ଥିବା ୫୦ ଭାଗଙ୍କ ରୋଜଗାର ଯେତିକି ଥିଲା ତାହା ମୋଟ ଜାତୀୟ ଆୟର ମାତ୍ର ୧୩ ପ୍ରତିଶତ। ସେଇ ସମୟରେ ଜାତୀୟ ସମ୍ପଦରେ ସେମାନଙ୍କର ଭାଗ ଥିଲା ମାତ୍ର ୩ ପ୍ରତିଶତ। ଏବେ ଆମ ଜନସଂଖ୍ୟାର ଉପର ପାହାଚରେ ଆରାମରେ ବସିଥିବା ୩୦ ପ୍ରତିଶତଙ୍କ କଥା ଚିନ୍ତା କରନ୍ତୁ। ସେମାନଙ୍କ ଭାଗରେ ଅଛି ମୋଟ ଜାତୀୟ ସମ୍ପଦର ୯୦ ପ୍ରତିଶତ। ସବା ଉପରେ ଥିବା ୧୦ ପ୍ରତିଶତଙ୍କ ପାଖରେ ସମ୍ପଦର ୮୦ ଭାଗ ଏବଂ ସର୍ବାଧିକ ଧନୀ ୧ ପ୍ରତିଶତଙ୍କ ପାଖରେ ଜାତୀୟ ସମ୍ପଦର ୪୦.୬ ପ୍ରତିଶତ।
ନିକଟରେ ପ୍ରକାଶିତ ଅକ୍ସଫାମ୍‌ର ‘ସର୍‌ଭାଇଭାଲ ଅଫ୍‌ ଦ ରିଚେଷ୍ଟ : ଦ ଇଣ୍ଡିଆ ଷ୍ଟୋରି’ (୨୦୨୩) ଦର୍ଶାଇଛି, ଭାରତରେ ଦରିଦ୍ରଙ୍କ ସଂଖ୍ୟା ୨୨୮.୯ ନିୟୁତ। ପୃଥିବୀରେ ସର୍ବାଧିକ। ୨୦୨୦ରେ ଏଠି ଅତି ଧନୀବିଶେଷଙ୍କ ସଂଖ୍ୟା ୧୦୨ ଥିଲା, ଯାହା ୨୦୨୨ରେ ୧୬୬ରେ ପହଞ୍ଚିଛି। ଯେତେବେଳେ ଭାରତରେ ୧୦୦ ଜଣ ସର୍ବାଧିକ ଧନୀଙ୍କ ସମ୍ପତ୍ତି ୫୪.୧୨ ଲକ୍ଷ କୋଟି ସେଇ ସମୟରେ ୧୦ ଜଣ ଅତି ଧନୀଙ୍କ ସମ୍ପତ୍ତି ୨୭.୫୨ ଲକ୍ଷ କୋଟି ଟଙ୍କା। ଅର୍ଥାତ ୨୦୨୧ ଅନୁପାତରେ ଏଇ ବୃଦ୍ଧି ୩୨.୮ ପ୍ରତିଶତ। ସରକାର କ’ଣ କରିଛନ୍ତି ଏଇ ଅପରିପୋଷଣୀୟ ଅଭିବୃଦ୍ଧି ରୋକିବା ପାଇଁ ?
୨୦୧୯ରେ ମହାମାରୀ ଆରମ୍ଭ ପୂର୍ବରୁ କେନ୍ଦ୍ର କର୍ପୋରେଟ ଟିକସ ହ୍ରାସ କରିଥିଲେ ଯାହା ୩୦ ପ୍ରତିଶତରୁ କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ୧୫ ପ୍ରତିଶତରେ। ନୂଆ ଟିକସ ନୀତି ଯୋଗୁ ସରକାର ୧.୮୪ ଲକ୍ଷ କୋଟି ରାଜସ୍ବ ହରେଇଛନ୍ତି। ଯଦିଓ ଗତ ୩/୪ ମାସ ଧରି ମୁଦ୍ରାସ୍ଫୀତି କ୍ରମଶଃ ନିୟନ୍ତ୍ରଣ ଭିତରକୁ ଆସୁଛି ତଥାପି ପାଇକାରୀ ଖାଦ୍ୟସୂଚୀ, ବିଶେଷକରି ଖାଦ୍ୟ ସାମଗ୍ରୀଗୁଡ଼ିକର ଅତ୍ୟଧିକ ମୂଲ୍ୟବୃଦ୍ଧି ଗ୍ରାମାଞ୍ଚଳ ଭାରତର ମଞ୍ଜ ଦୋହଲାଇ ଦେଇଛି। ସ୍ଥିତିରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ମେ’୨୦୨୨ ଭିତରେ ରେପୋ ଦର ୫ ଥର ବଢ଼ାଇଛି, ତେବେ ନିୟନ୍ତ୍ରଣ ଆଶାନୁରୂପ ନୁହେଁ। ଅକ୍ସଫାମ୍‌ ପ୍ରସ୍ତାବ ରଖିଛି, ଏଣିକି ଅତିଧନୀବିଶେଷଙ୍କଠୁ ଅଧିକ ଟିକସ ନିଆଯାଉ। ୨୦୨୧-୨୨ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କୁ ଟିକସ ରିହାତି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ବାବଦରେ ଖର୍ଚ୍ଚ ହୋଇଛି ୧,୦୩,୨୮୫ କୋଟି, ଯାହା ଏମ୍‌ଜିଏନ୍‌ଆର୍‌ଇଜିଏଠୁ ଅଧିକ। ଚିନ୍ତାଜନକ ହେଉଛି ପିରାମିଡ଼ର ତଳେ ଥିବା ୫୦ ପ୍ରତିଶତ ଜନସଂଖ୍ୟା ସରକାରଙ୍କୁ ପ୍ରକୃତରେ ଅଧିକ ଟିକସ ଦିଅନ୍ତି, ଯାହା ପରୋକ୍ଷ ଟିକସ। ଖାଦ୍ୟ ଏବଂ ଅଣଖାଦ୍ୟ ସାମଗ୍ରୀରୁ ଆଦାୟ ହେଉଥିବା ଟିକସର ୬୪.୩ ପ୍ରତିଶତ ଆସିଥାଏ ଏମାନଙ୍କଠାରୁ। ସେମିତି ଜିଏସ୍‌ଟି (ବସ୍ତୁ ଓ ସେବାକର)ର ଦୁଇ ତୃତୀୟାଂଶ ଆସେ ଏଇମାନଙ୍କଠୁ। କେବଳ ଜିଏସ୍‌ଟିର ୩ ରୁ ୪ ପ୍ରତିଶତ ଆସେ ଅତି ଧନୀ ୧୦ ପ୍ରତିଶତଙ୍କଠୁ ।
ଅତି ଧନୀମାନଙ୍କଠାରୁ ଅଧିକ ଟିକସ ଦାବିର ଅର୍ଥ ହେଉଛି ବୈଷମ୍ୟକୁ ଦୂର କରିବା ପାଇଁ ଏବଂ ସମ୍ପଦର ପୁନଃବଣ୍ଟନ ପାଇଁ ଚେଷ୍ଟା କରିବା। ପ୍ରତ୍ୟକ୍ଷ ଟିକସ ଭାବରେ ଏହା କେବଳ ସରକାରଙ୍କ ରାଜସ୍ବ ବଢ଼ାଇବ ନାହିଁ, ଅର୍ଥନୈତିକ ସଂସ୍କାର ପାଇଁ ବାଟ ଫିଟେଇବ। ଯଦି ଭାରତୀୟ ଅତି ଧନୀମାନଙ୍କଠାରୁ ୩ ପ୍ରତିଶତ ଅତିରିକ୍ତ ଟିକସ ନିଆଯାଏ ତେବେ ସ୍ବାସ୍ଥ୍ୟ ମିଶନ ପାଇଁ ୩୭,୮୦୦ କୋଟି ଟଙ୍କା ସଂଗ୍ରହ ହେବ। ଯଦି ସବୁଠୁ ବଡ଼ ୧୦ ଜଣ ଅତି ଧନୀବିଶେଷଙ୍କ ଉପରେ ୫ ପ୍ରତିଶତ ଅଧିକ ଟିକସ ଲାଗୁହୁଏ ତେବେ ଅନୁସୂଚିତ ଜନଜାତିଙ୍କ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ୟା ହେବ ନାହିଁ। ଯଦି ଭାରତର ସବୁ ଅତି ଧନୀବିଶେଷ ୨ ପ୍ରତିଶତ ଅଧିକ କର ଦିଅନ୍ତି ଦେଶରେ ପୁଷ୍ଟି କାର୍ଯ୍ୟକ୍ରମ ପାଇଁ ୪୨,୦୩୩ କୋଟି ଟଙ୍କା ଆଦାୟ ହେବ। ସ୍କୁଲ ପାଠ ଅଧାରୁ ଛାଡୁଥିବା ପିଲାଙ୍କୁ ଯଦି ପୁଣି ଶ୍ରେଣୀ ଗୃହକୁ ଫେରାଇ ନିଆଯାଏ ଏବଂ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନର ସୁବନ୍ଦୋବସ୍ତ ହୁଏ ୧.୪ ଲକ୍ଷ କୋଟି ଟଙ୍କା ଆଦାୟ ପାଇଁ ୧୦ ଜଣ ସର୍ବୋଚ୍ଚ ବିଲିୟନପତିଙ୍କ ଉପରେ ମାତ୍ର ୫ ପ୍ରତିଶତ ଅତିରିକ୍ତ କର ଧାର୍ଯ୍ୟହେବ। ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ, ଶିକ୍ଷକ ଅଭାବ ଏବଂ ସ୍ବାସ୍ଥ୍ୟ ସେବାପରି ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ସମସ୍ୟାର ସମାଧାନ ଆଦୌ କଷ୍ଟସାଧ୍ୟ ହେବନାହିଁ, ଯଦି ଅତି ଧନୀଙ୍କ ଉପରେ ୨ ପ୍ରତିଶତ ରୁ ୫ ପ୍ରତିଶତ ଅଧିକ ଟିକସ ଲାଗୁହୁଏ। ସରଳ ଅର୍ଥରେ ଯଦି ଆପଣ ୯୯ ପ୍ରତିଶତ ଦେଶବାସୀଙ୍କ କଥା ଚିନ୍ତା କରିବେ ତେବେ ୧ ପ୍ରତିଶତ ଅତି ଧନୀଙ୍କୁ କିଛି ତ୍ୟାଗ କରିବା ପାଇଁ ପଡ଼ିବ।
ଫରାସୀ ବିପ୍ଳବ ପ୍ରସଙ୍ଗରେ ଦାର୍ଶନିକ ରୁଷୋ କହିଥିଲେ, ଗରିବଙ୍କ ପାଖରେ ଖାଇବା ପାଇଁ କିଛି ନ ଥିଲେ ସେମାନେ ଧନୀମାନଙ୍କୁ ଖାଇଯିବେ। ପର୍ଯ୍ୟବେକ୍ଷକମାନେ କୁହନ୍ତି ‘ଧନୀ’ କହିଲେ ରୁଷୋ ସାଙ୍କେତିକ ଭାବରେ ଚିହ୍ନଟ କରୁଥିଲେ ଫ୍ରାନ୍ସର ଶେଷ ରାଜା ଷୋଡଶ ଲୁଇଙ୍କୁ। ଏବେ ସେଇ ଅର୍ଥରେ ‘ଧନୀ’ ହେଉଛନ୍ତି ପୃଥିବୀର ସର୍ବାଧିକ ୧ ପ୍ରତିଶତ ‘ଧନୀ’ ଯେଉଁମାନେ କର୍ପୋରେଟ ହୋଇପାରନ୍ତି, ବ୍ୟବସାୟୀ, ରାଜନେତା କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀ ହୋଇପାରନ୍ତି, ଯେଉଁମାନଙ୍କ ସାମ୍ରାଜ୍ୟ ଆଧାର କରିଛି ଅନ୍ୟମାନଙ୍କ ଯନ୍ତ୍ରଣାକୁ। କହିପାରନ୍ତି ‘ଇଟ୍‌ ଦ ରିଚ୍‌’ ଭାରତ ପରିପ୍ରେକ୍ଷୀରେ ବୁଝେଇବ ଏଠି ବୈଷମ୍ୟ ପାଇଁ ଦାୟୀ ଅତି ଧନୀମାନଙ୍କ ଉତ୍ତରଦାୟିତ୍ୱକୁ। ଦୁର୍ଭାଗ୍ୟ ହେଉଛି ୧୯୯୧ରେ ଭାରତୀୟ ଅର୍ଥନୀତିର ଉଦାରୀକରଣ ଆରମ୍ଭ ପରେ ଦାରିଦ୍ର୍ୟ ହ୍ରାସ ମଧ୍ୟ ଦ୍ରୁତ ହୋଇଥିଲା, ତେବେ ଏହା ଧାରାବାହିକ ହୋଇପାରିଲା ନାହିଁ। ୨୦୨୨ ‘ୱାର୍ଲଡ ଇନ୍‌ ଇକ୍ୱାଲିଟି ରିପୋର୍ଟ ୨୦୨୨’ ଆଧାରରେ ଭାରତ ସେଇ ଦେଶଗୁଡ଼ିକ ଆଗ ଧାଡ଼ିରେ ରହିଛି, ଯେଉଁଠି ବର୍ଦ୍ଧିଷ୍ଣୁ ସମ୍ପଦ ଏବଂ ବର୍ଦ୍ଧିଷ୍ଣୁ ଦାରିଦ୍ର୍ୟ ଭିତରେ ବୈଷମ୍ୟ ବଢ଼ିଚାଲିଛି। ଦାରିଦ୍ର୍ୟ କେବଳ ଭୋକରେ ରହିବାକୁ ଇଙ୍ଗିତ କରୁନାହିଁ ବରଂ ଆବଶ୍ୟକ କ୍ୟାଲୋରି ଗ୍ରହଣରୁ ବଞ୍ଚିତ ହେବା ଏବଂ ପୁଷ୍ଟିହୀନତାକୁ ଇସାରା କରୁଛି। ପ୍ରାୟ ୭୦ ପ୍ରତିଶତ ଭାରତୀୟ ପୋଷକ, ପୁଷ୍ଟିଯୁକ୍ତ ଆହାରରୁ ବଞ୍ଚିତ। ୧.୭ ନିୟୁତ ଏଇ କାରଣରୁ ପ୍ରାଣ ହରାଉଛନ୍ତି ପ୍ରତିବର୍ଷ। ଭାରତୀୟ ଶ୍ରମିକର ଯାହା ହାରାହାରି ମାସିକ ରୋଜଗାର ସେତକ କେବଳ ତା’ର ସର୍ବନିମ୍ନ ଅବଶ୍ୟକତା ମେଣ୍ଟାଇବା ପାଇଁ ସକ୍ଷମ। ଏନ୍‌ସି ଆର୍‌ବି ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ପ୍ରତିଦିନ ଆତ୍ମହତ୍ୟା କରୁଥିଲେ ହାରାହାରି ୧୧୫ ଦିନ ମଜୁରିଆ। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୨୨ ଜୁନ୍‌ ଶେଷସୁଦ୍ଧା ଭାରତୀୟଙ୍କ ବ୍ୟକ୍ତିଗତ ଋଣବୋଝ ୩୫.୨ ଟ୍ରିଲିୟନରେ ପହଞ୍ଚିଥିଲା ଯେତେବେଳେ ମୁଦ୍ରାସ୍ଫୀତି ଥିଲା ୭.୪ ପ୍ରତିଶତ। ଏଣେ ସ୍ବାସ୍ଥ୍ୟସେବା ପାଇଁ ନିଜସ୍ବ ବ୍ୟୟ ୫୫ ନିୟୁତ ଭାରତୀୟଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ନେଇଯାଉଛି।
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri