ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର ଗତିଶୀଳ। ଅତୀତରୁ ବର୍ତ୍ତମାନ ଏବଂ ବର୍ତ୍ତମାନରୁ ଭବିଷ୍ୟତ ଆଡ଼କୁ ସମୟର ଯେଉଁ ଯାତ୍ରା ତାହା ମଧ୍ୟରେ ସମାଜର ରୂପରେଖ ବଦଳିଯାଇଛି। କେତେ ସଭ୍ୟତା ଗଢ଼ିଉଠିଛି ତ କେତେ ସଭ୍ୟତା ମାଟିରେ ମିଶିଯାଇଛି। ଆଦିମ କାଳର ଜଙ୍ଗଲୀ ମଣିଷ ଯେତେବେଳେ ସମାଜ ଗଠନ କଲା ସେତେବେଳେ ସମ୍ପର୍କ ଓ ସହଯୋଗର ମୂଲ୍ୟବୋଧ ସୃଷ୍ଟି ହୋଇଥିଲା। କିନ୍ତୁ ଯେମିତି ସମୟ ଆଗକୁ ବଢ଼ିଲା, ମଣିଷ ନିଜର ଆବଶ୍ୟକତା ଅନୁସାରେ ନିଜକୁ ପରିବର୍ତ୍ତନ କଲା। ଆଜିର ମଣିଷ ଯେଉଁ ଚିନ୍ତାଧାରା ନେଇ ବଞ୍ଚୁଛି, ତାହା କେବଳ ତା’ର ନିଜସ୍ବ ନୁହେଁ ବରଂ ସମୟର ପ୍ରବାହ ଦ୍ୱାରା ନିର୍ମିତ ଏକ ମାନସିକତା। ତେଣୁ ସମାଜ ହେଉଛି ଏକ ଦର୍ପଣ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରତିବିମ୍ବ ଦେଖିବାକୁ ପାଏ। ସମାଜରୁ ବାହାରେ ରହି ସେ ନିଜର ବ୍ୟକ୍ତିତ୍ୱର ବିକାଶ କରିପାରିବ ନାହିଁ। ଜନ୍ମ ସମୟରେ ଗୋଟିଏ ଶିଶୁ କେବଳ ଏକ ରକ୍ତମାଂସର ପିଣ୍ଡୁଳା ହୋଇଥାଏ କିନ୍ତୁ ସମାଜ ହିଁ ତାକୁ ସଂସ୍କାର, ଭାଷା, ସଂସ୍କୃତି ଏବଂ ଆଚାର-ବ୍ୟବହାର ଶିଖାଇ ଏକ ପୂର୍ଣ୍ଣାଙ୍ଗ ମଣିଷରେ ପରିଣତ କରେ। ସମାଜର ନୀତିନିୟମ, ପରମ୍ପରା ଏବଂ ପରିବେଶ ମଣିଷର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। କିନ୍ତୁ ଯେତେବେଳେ ସମାଜରେ ଅବକ୍ଷୟ ଘଟେ ସେତେବେଳେ ମଣିଷର ଚରିତ୍ର ବଦଳିବାକୁ ଲାଗେ। ଆଜିର ସମାଜରେ ଯେଉଁ ପ୍ରତିଯୋଗିତା ଏବଂ ସ୍ବାର୍ଥପରତା ଦେଖାଦେଇଛି ତାହା ମଣିଷକୁ ଅଧିକ ରକ୍ଷଣଶୀଳ ଏବଂ ଆତ୍ମକୈନ୍ଦ୍ରିକ କରିଦେଇଛି।
ଜୀବନର ବଡ଼ ସତ୍ୟ ହେଉଛି କର୍ମଫଳ। ଆମେ ସମାଜକୁ ବା ଅନ୍ୟମାନଙ୍କୁ ଯେଉଁ ବ୍ୟବହାର କରିବା ସମୟକ୍ରମେ ସେହି ବ୍ୟବହାର ଆମ ପାଖକୁ ଫେରିଆସିବ। ଏହାକୁ ପ୍ରକୃତିର ନିୟମ ବା କର୍ମର ଆଇନା କୁହାଯାଏ। ଯଦି ଆମେ କାହା ପ୍ରତି ଖରାପ ଆଚରଣ କରୁଛେ ତେବେ ତାଙ୍କଠାରୁ ଭଲ ବ୍ୟବହାର ଆଶା କରିବା ମୂର୍ଖାମି। ଅନେକ ସମୟରେ ଲୋକେ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ସମାଜରେ ଆଦର ବା ସମ୍ମାନ ମିଳୁନାହିଁ। କିନ୍ତୁ ସେମାନେ ଏହା ଭୁଲିଯାଆନ୍ତି ଯେ ସମ୍ମାନ ଦେଲେ ହିଁ ସମ୍ମାନ ମିଳେ। ଆମର ପ୍ରତିଟି ଶବ୍ଦ, ପ୍ରତିଟି ବ୍ୟବହାର ଶେଷରେ ଆମ ପାଖକୁ ଲେଉଟି ଆସିଥାଏ।
ସମାଜରେ ସୁଖଶାନ୍ତିର ସୂତ୍ର ହେଉଛି ସହଭାଗିତା ଏବଂ ପାରସ୍ପରିକ ସମ୍ମାନ। ଲୋକେ ପ୍ରାୟତଃ କୁହନ୍ତି ସେହି ମଣିଷଟି ବଦଳିଗଲା। ବାସ୍ତବରେ କୌଣସି ମଣିଷ ନିଜ ଇଚ୍ଛାରେ ବଦଳେ ନାହିଁ। ମଣିଷର ମୂଳ ସ୍ବଭାବ ସ୍ଥିର ଥାଏ । କିନ୍ତୁ ପରିସ୍ଥିତିର ଚାପ ଏବଂ ଜୀବନର ଧକ୍କା ତାକୁ ନୂଆ ରୂପ ଦିଏ। ଯେତେବେଳେ ଜଣେ ସରଳ ଓ ବିଶ୍ୱାସୀ ମଣିଷ ସମାଜରୁ ବାରମ୍ବାର ପ୍ରତାରଣା ଏବଂ ନିର୍ଯାତନା ପାଏ ସେତେବେଳେ ସେ ଆତ୍ମରକ୍ଷା ପାଇଁ କଠୋର ହେବାକୁ ବାଧ୍ୟ ହୁଏ। ସେହିପରି, ପରିବେଶ ଓ ସମୟର ଆବଶ୍ୟକତା ଅନୁଯାୟୀ ମଣିଷକୁ ନିଜର ନୀତି ଏବଂ ଆଦର୍ଶ ସହ ବୁଝାମଣା କରିବାକୁ ପଡ଼ିଥାଏ। ତେଣୁ କୌଣସି ପରିବର୍ତ୍ତିତ ମଣିଷକୁ ସମାଲୋଚନା କରିବା ପୂର୍ବରୁ ତାକୁ ସେହି ସ୍ଥିତିକୁ ଆଣିଥିବା ସମୟ ଓ ପରିସ୍ଥିତିକୁ ବୁଝିବା ନିହାତି ଆବଶ୍ୟକ। ବର୍ତ୍ତମାନର ସମୟ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୟ। ଆଧୁନିକତା ଆମ ଜୀବନକୁ ସହଜ ଏବଂ ଗତିଶୀଳ କରିଦେଇଛି ସତ, କିନ୍ତୁ ଏହା ସହିତ ସାମାଜିକ ମୂଲ୍ୟବୋଧରେ ବଡ଼ ଧରଣର ଅବକ୍ଷୟ ଘଟିଛି। ମିଳିତ ପରିବାର ଭାଙ୍ଗି ଏକକ ପରିବାର ଗଢ଼ିଉଠୁଛି। ଆଜିର ସମାଜ ଅର୍ଥକୈନ୍ଦ୍ରିକ ହୋଇପଡ଼ିଛି, ଯେଉଁଠି ସମ୍ପର୍କ ଅପେକ୍ଷା ସଫଳତା ଏବଂ ପ୍ରତିପତ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ମଣିଷକୁ ଭିତରୁ ଏକାକୀ ଏବଂ ମାନସିକ ସ୍ତରରେ ଅଶାନ୍ତ କରିଦେଉଛି।
ସମୟ ସବୁବେଳେ ଆହ୍ବାନ ଆଣିଥାଏ। ଆଜିର ପରିବର୍ତ୍ତିତ ସମାଜ ଏବଂ ମଣିଷ ସମ୍ମୁଖରେ ଅନେକ ଜଟିଳ ସମସ୍ୟା ଠିଆ ହୋଇଛି। ଯଦି ଆମେ ଏହି ଅନ୍ଧ ଅନୁକରଣ ଏବଂ ସ୍ବାର୍ଥପରତାର ପ୍ରବାହରେ ନିଜକୁ ଭସାଇଦେବା ତେବେ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ସମାଜ ଛାଡ଼ିଯାଇପାରିବା ନାହିଁ। ସମୟ ଆସିଛି, ଆମକୁ ଆମର ପୁରାତନ ସଂସ୍କୃତି, ତ୍ୟାଗ, ସହାନୁଭୂତି ଏବଂ ମାନବିକତାର ମୂଲ୍ୟବୋଧକୁ ବୁଝିବାକୁ ପଡିବ। ମଣିଷ ଯେତେବେଳେ ନିଜର ଭୁଲ୍ ବୁଝିପାରିବ ଏବଂ ନିଜର ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବ ସେତେବେଳେ ସମାଜ ବଦଳିଯିବ। ଶେଷରେ ଏତିକି କୁହାଯାଇପାରେ ଯେ, ସମୟ ଏବଂ ସମାଜ ଯେତେ ବଦଳିଲେ ମଧ୍ୟ ମାନବିକତାର ମୂଳ ମନ୍ତ୍ର କେବେ ବଦଳିପାରିବ ନାହିଁ। ମଣିଷ ପରିସ୍ଥିତିର ଦାସ ହୋଇପାରେ କିନ୍ତୁ ସେ ନିଜର ବିବେକ ଏବଂ ସଦ୍ବୁଦ୍ଧି ପ୍ରୟୋଗ କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିପାରିବ। ସମୟର ପ୍ରବାହ ସହ ତାଳ ମିଳାଇ ଚାଲିବା ନିହାତି ଜରୁରୀ କିନ୍ତୁ ନିଜର ମୂଲ୍ୟବୋଧକୁ ହରାଇ ନୁହେଁ। ଯେଉଁଦିନ ପ୍ରତ୍ୟେକ ମଣିଷ ସମାଜ ପ୍ରତି ନିଜର କର୍ତ୍ତବ୍ୟ ବୁଝିବ ଏବଂ ପରସ୍ପରକୁ ସମ୍ମାନ ଦେବା ଶିଖିବ ସେଦିନ ସମୟର ଚକ୍ରରେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ପ୍ରେମମୟ ସମାଜ ଗଠିତ ହୋଇପାରିବ।
ଦୀପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର
ମୋ: ୯୦୯୦୬୬୧୫୮୬

