ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବ୍ରହ୍ମପୁର ଡିଏଫ୍ଓ ଶନି ଖୋଖୋରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ସମୁଦ୍ରକୁ ପଲିଥିନ ଓ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକମୁକ୍ତ କରିବା ନେଇ ଆଲୋଚନା କରାଯାଇଥିଲା। ଏଥିସହ ସମୁଦ୍ର ପରିବେଶର ସୁରକ୍ଷା ଓ ବେଳାଭୂମିର ସ୍ୱଚ୍ଛତା ରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
କାର୍ଯ୍ୟକ୍ରମରେ ଟାଟା ଫାଉଣ୍ଡେସନର କର୍ମଚାରୀ, ଇକୋ ୱାରିଅର୍ସର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ଏକତ୍ରିତ ହୋଇ ବେଳାଭୂମି ସଫେଇ କରିଥିଲେ। ସେମାନେ ବେଳାଭୂମିରୁ ପଲିଥିନ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ।
ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଦିନକୁ ଦିନ ଏହି ବେଳାଭୂମି ନଷ୍ଟ ହେଉଥିବାରୁ ବନ ବିଭାଗ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି। ବେଳାଭୂମିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡିଏଫ୍ଓ ଶନି ଖୋଖୋରଙ୍କ ସମେତ ଫରେଷ୍ଟର ସନ୍ତୋଷ ବେହେରା, ରମ୍ଭା ବନଖଣ୍ଡ ଅଧିକାରୀ ଡ. ପ୍ରଶାନ୍ତ ରାଓ, ନୀଳମାଧବ ଜେନା, ଫରେଷ୍ଟ ଗାର୍ଡ ରାଜେଶ୍ୱର ବେହେରା, ମନୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

