ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ପଞ୍ଚମ କିସ୍ତିର ଅର୍ଥ ପ୍ରଦାନ ଶୁଭାରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ବଲାଙ୍ଗୀର ଜିଲାର ୨୫,୩୧୬ ଜଣ ମହିଳାଙ୍କୁ ପଞ୍ଚମ କିସ୍ତି ମିଳିଥିବା ବେଳେ ସର୍ବମୋଟ ୍ ୪,୨୯,୬୧୧ ଜଣ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବେ। ଜିଲାର ୯୦,୮୬୨ ଜଣ ମହିଳା ‘ଲକ୍ଷପତି ଦିଦି’ ହୋଇ ଆର୍ଥିକ ସ୍ବାବଲମ୍ବୀ ହାସଲ କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନାରୀ ଶକ୍ତିର ସଶକ୍ତିକରଣ ହିଁ ସମୃଦ୍ଧ ସମାଜର ମୂଳଦୁଆ। ଏହି ଯୋଜନା ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛି। ବଲାଙ୍ଗୀର ଲୋକ ସଭା ଏମ୍ପି ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ଜିଲାପାଳ ଗୌରବ ଶିଓ୍ବାଜୀ ଇସଲଓ୍ବାର ଯୋଜନାର ସଫଳତା ଓ ମହିଳାଙ୍କ ସମ୍ମାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଯୋଜନା ସାହାଯ୍ୟରେ ସ୍ବାବଲମ୍ବୀ ହୋଇଥିବା ଦ୍ରୌପଦୀ ସାହୁ, ଲୟାବତୀ ଭାଟି ଓ ବିଶାଖା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ମହିଳାମାନେ ଅତିଥିମାନଙ୍କୁ ରାଖି ବାନ୍ଧି ସ୍ନେହ ଓ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲାର ବହୁ ପ୍ରଶାସନିକ ଅଧିକାରୀ, ଶତାଧିକ ମହିଳା, ଅଙ୍ଗନଓ୍ବାଡ଼ି କର୍ମୀ ଓ ସ୍ବେଚ୍ଛାସେବୀ ଯୋଗଦେଇଥିଲେ।

