ଅତାବିରା/ଗୋଡ଼ଭଗା,୧୫।୧୦(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇଛି । ଲରମ୍ଭା କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋରଞ୍ଜନ ତ୍ରିପାଠୀ, ନିର୍ବାଚନ ପର୍ଯ୍ୟବେକ୍ଷକ ଗୁରୁଦେବ କୁଶଳ ଏବଂ ଗୋପାଳ ନାଏକ ନିର୍ବାଚନ ପରିଚାଳନା କରିଥିଲେ ।
ଅତାବିରା କଲେଜରେ ୮୩୪ ଭୋଟର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୬୧୫ ଜଣ ମତଦାନ କରିଥିବା ବେଳେ ଲରମ୍ଭାରେ ୧୨୬୧ ଜଣଙ୍କୁ ମଧ୍ୟରୁ ୯୬୯ ଜଣ ନଜର ନିଜ ମତଦାନ କରିଛନ୍ତି । ଅତାବିରା କଲେଜରେ ତ୍ରିମୁଖୀ ନିର୍ବାଚନ ହୋଇଥିଲା । ସଭାପତି ପଦବୀ ପାଇଁ ମାର୍କୋନି ନନ୍ଦ, ଆୟୁଷ୍ମାନ ଚାନ୍ଦ ଓ ରାଉତା ବାଦଲ ଦୋରା ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସାଧାରଣ ସମ୍ପାଦକ ପଦ ପାଇଁ ହିମାଂଶୁ ପଧାନ, ଶ୍ରୀରାମ ପଣ୍ଡା ଓ ପ୍ରତ୍ୟୁଷ ପଧାନ ନିର୍ବାଚନ ଲଢ଼ିଥିଲେ ।
ସେହିପରି ଆଥଲେଟିକ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ପଦ ପାଇଁ ଶୁଭମ ନାରାୟଣ ବିଶ୍ୱାଳ ଓ ସୌରଭ ବାଗ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ । ବର୍ତ୍ତମାନ ଗଣତି ଚାଲିଛି । ଅତାବିରାରେ କଲେଜ ଅଧ୍ୟକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ପରିଚାଳନା ଅଧିକାରୀ ପରମାନନ୍ଦ ରଥ, ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଳରାମ ପ୍ରଧାନ, ଆଶୁତୋଷ ପରିଛା ଏବଂ ନୀତେଶ ସ୍ୱାଇଁ ନିର୍ବାଚନ ପରିଚାଳନା କରିଛନ୍ତି ।
ସେହିପରି ଲରମ୍ଭା କଲେଜରେ ସଭାପତି ପଦ ପାଇଁ ଶେଫାଳୀ ନାଏକ ଓ ମାନସ ରଞ୍ଜନ ଦାଶଙ୍କ ମଧ୍ୟରେ ନିର୍ବାଚନ ଲଢେଇ ହୋଇଛି । ସାଧାରଣ ସମ୍ପାଦକ ପଦ ପାଇଁ ହରିଶ କୁମାର ସାହୁ ଓ ସୁମିତ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ଭାର୍ଗବ ଭୋସାଗର, ଏସ. ଭି. ହର୍ଷ ଓ ପ୍ରତ୍ୟୁଷ ରଞ୍ଜନ ମହାକୁଡ଼ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା କୁହାଯାଉଛି ।
ତେବେ ଆଉ କିଛି ସମୟ ପରେ ଫଳାଫଳ ଘୋଷଣା ହେଲେ କାହା ମୁଣ୍ଡରେ ସୁନା କଳସ ଢ଼ାଳିଲେ ଭୋଟର ଛାତ୍ରୀଛାତ୍ର ତାହା ସ୍ୱଷ୍ଟ ହେବ ।

