ଖଡ଼ିଆଳ,୧୧ା୧୦(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ବିରୋଧରେ ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ପରୀ ଟଣ୍ଡନଙ୍କ ନେତୃତ୍ୱରେ ନିିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ୧୩ ଜଣ ପ୍ରାର୍ଥୀ ଓ ଶତାଧିକ ଛାତ୍ରୀଛାତ୍ର ଏକତ୍ରିତ ହୋଇ କଲେଜ ପରିସରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ଦୀର୍ଘଦିନର ପ୍ରତୀକ୍ଷା ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଏବିଭିପି ସମର୍ଥିତ ପରୀ ଟଣ୍ଡନଙ୍କ ସମେତ ୧୩ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ। ମାତ୍ର କଲେଜ କର୍ତ୍ତୃପକ୍ଷ ହଠାତ୍ ଅପ୍ରତ୍ୟାଶିତ ଭାବେ ସମଗ୍ର ନିର୍ବାଚନ କ୍ରିୟାକୁ ବାତିଲ କରିଦେବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ଛାତ୍ରୀଛାତ୍ର ତୀବ୍ର ନିନ୍ଦା କରିବା ସହ କର୍ତ୍ତୃପକ୍ଷଙ୍କ ଏକତରଫା ମନୋଭାବ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।
ଆନ୍ଦୋଳନକାରୀ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି ଯେ, କଲେଜ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁ ଛାତ୍ରୀଛାତ୍ର ନିଜର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ଯୁବ ନେତୃତ୍ୱ ବିକାଶର ସୁଯୋଗ ହରାଇଛନ୍ତି। ଯଦି କଲେଜ ଅଧ୍ୟକ୍ଷ ସ୍ବଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କରିବାରେ ଅସମର୍ଥ, ତେବେ ସେ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରାର୍ଥୀମାନେ ଦୃଢ଼ ଦାବି କରିଛନ୍ତି। ନିର୍ବାଚନ ତୁରନ୍ତ ପୁନଃ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।

