ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହେଉଛି। ଏହି ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ଜୀବନକୁ ବାଜି ଲଗାଇ ଭରା ନାଳ ପାରି ହେଉଥିବା ବେଳେ ବର୍ତ୍ତମାନ ଧାନ ରୁଆ ଚାଲୁଥିବାରୁ ଜୀବିକା ନିର୍ବାହ କରିବା ପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଥିବାର ଦେଖିବାକୁ ମିଳିଛି। ନାଳଠାରୁ ପଞ୍ଚୁପାଣ୍ଡ ଗ୍ରାମର ରାସ୍ତା ପ୍ରାୟ ୨ କିଲୋମିଟର ଦୂରତା ଅଟେ। ରାସ୍ତାର ଅବସ୍ଥା ମଧ୍ୟ ନ କହିବା ଭଲ। ଏହି ରାସ୍ତାରେ ଯାଇ ନିଜ ଛୁଆପିଲାଙ୍କୁ ସାଙ୍ଗରେ ଧରି ଭରା ନାଳ ପାରି ହୋଇ ମୁଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି। ଏହି ସମୟରେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କ ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ। ନାଳରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ଫଳ ଶୂନ୍ୟ ବୋଲି ଗ୍ରାମବାସୀ କହିଛନ୍ତି। ଏତଦ୍ବ୍ୟତୀତ ଗତ ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିବା ସ୍ଥାନୀୟ ଛାତ୍ର ଅନନ୍ତ ଡୁଡୁକା ସୂଚନା ଦେଇଛନ୍ତି। ତେବେ ରାସ୍ତାଘାଟ ଓ ବ୍ରିଜ ନିର୍ମାଣ ନାମରେ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ପଞ୍ଚୁପାଣ୍ଡବ ଗ୍ରାମକୁ ରାସ୍ତା ଓ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି। ପଞ୍ଚୁପାଣ୍ଡବରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ନାଳ ଅପରପାର୍ଶ୍ୱରେ ଥିବା ପିଲାଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀ ପିଲାଙ୍କୁ ନିଜେ ସାହସର ସହ ନାଳ ପାରି କରି ନେବା ଆଣିବା କରିଥାନ୍ତି। କିନ୍ତୁ ଅଧିକ ପାଣି ଆସିଲେ ଏହା ମଧ୍ୟ ସମ୍ଭବ ହୋଇ ନ ଥାଏ। ଏହାଛଡ଼ା ପ୍ରତିଦିନ ଏହି ନାଳ ଦେଇ ଅନେକ ଛାତ୍ରୀଛାତ୍ର ଗୁଡାରି କଲେଜ ଆସିଥାନ୍ତି। ନାଳରେ ପାଣି ବଢିଲେ ଏପଟେ କଲେଜରେ ଉପସ୍ଥାନ କମିଥାଏ।
ପ୍ରକାଶ ଥାଉକି, ଗତ ବର୍ଷ ଏହି ନାଳରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ବହୁ କଷ୍ଟରେ ତାଙ୍କୁ ଭରା ନାଳ ପାର କରାଯାଇଥିଲା। ଗ୍ରାମବାସୀଙ୍କ ସ୍ବାର୍ଥକୁ ଦୃଷ୍ଟି ରେ ରଖି ପ୍ରଶାସନ ତୁରନ୍ତ ଏହି ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

