ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର ପଡ଼ୋଶୀ ଇକ୍ୱୋଡୋର ଥରିଉଠିଥିବାବେଳେ ଭୟଭୀତ ଲୋକେ ନିଜ ନିଜ ଘର ଛାଡ଼ି ପଳାଇ ଆସିବାକୁ ବାଧ୍ୟ ହୋଇଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍ଜିଏସ୍) ଏବଂ କୋଲମ୍ବିଆର ସମକକ୍ଷ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ କୋଲମ୍ବିଆର ରାଜଧାନୀ ବୋଗୋଟାରୁ ପ୍ରାୟ ୨୫୦ ମାଇଲ୍ ପଶ୍ଚିମରେ ଅବସ୍ଥିତ ଚୋକୋ ଅଞ୍ଚଳର ଏକ ପୌରପାଳିକା ସାନ୍ ଜୋସ୍ ଡେଲ୍ ପାଲ୍ମାର୍ରେ ଥିଲା । ୟୁଏସ୍ଜିଏସ୍ କହିଛି ଯେ, ଏହା ଭୂପୃଷ୍ଠଠାରୁ ୬୬ମାଇଲ୍(୧୦୭ କି.ମି) ଗଭୀରତାରେ ସୃଷ୍ଟି ହୋଇଥିଲା। ଚୋକୋର ଗଭର୍ନର ନୁବିଆ କୋର୍ଡୋବା ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଆଞ୍ଚଳିକ ରାଜଧାନୀରେ କିଛି ଲୋକ ଆହତ ହୋଇଛନ୍ତି ଏବଂ କୋଠାଗୁଡ଼ିକର ବହୁତ କ୍ଷୟକ୍ଷତି ହୋଇଛି । କିନ୍ତୁ ସେ ଅଧିକ ବିବରଣୀ ପ୍ରଦାନ କରିନାହଁାନ୍ତି। ଗତ ଜୁନ ଶେଷ ଭାଗରେ ଭେନେଜୁଏଲାରେ କ୍ରମାଗତ ଭାବେ ଘଟିଥିବା ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ଭୂକମ୍ପ ପରେ ଏହା ପୁଣି ଏକ ବଡ଼ ଭୂକମ୍ପ।
Dharitri – Odisha’s No.1 Odia Daily

