ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା ସୁରକ୍ଷା ଓ ସଚେତନତା ପାଇଁ ନିମ୍ନଲିଖିତ ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ନିଆଯାଇଛି।
ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଠୋର ପଦକ୍ଷେପ ନିଆଯିବ। ବାଲ୍ୟ ବିବାହ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଉଦ୍ଧାର ଶିଶୁଙ୍କୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ। ପାଠପଢ଼ା ଅଧାରୁ ଛାଡ଼ିଥିବା ଝିଅମାନଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପଞ୍ଚାୟତ ଓ ବ୍ଲକ ସ୍ତରରେ ବୈଠକ କରି ସଚେତନତା ସୃଷ୍ଟି କରାଯିବ। ଖଲ୍ଲିକୋଟ, ବୁଗୁଡ଼ା ଓ ବେଲଗୁଣ୍ଠା ଭଳି ବ୍ଲକରେ ହ୍ରାସ ପାଉଥିବା କନ୍ୟା ଶିଶୁ ଜନ୍ମହାର ବୃଦ୍ଧି ପାଇଁ ବ୍ୟାପକ ସଚେତନତା କରାଯିବ। ଏହାସହ ସରକାରୀ ହସ୍ପିଟାଲରେ କନ୍ୟାଶିଶୁ ଜନ୍ମ ହେଲେ ୫ଟି ଚାରାରୋପଣ କରାଯିବ।
ଏହି ଅବସରରେ ବୈଠକରେ ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଜିଲା ମହିଳା ସୁରକ୍ଷା ଅଧିକାରୀ ଡି. ନାଗରତ୍ନା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡଃ ଅଲେଖ ପ୍ରଧାନ, ଗଞ୍ଜାମ ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଟି. ସୁଶାନ୍ତ, ୟୁନିସେଫ୍ ଜିଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଡି.ଏଚ୍ଇଡବ୍ଲ୍ୟୁ ଗୀତାଞ୍ଜଳି ମହାରଣା ସମେତ ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗର ଅଧିକାରୀ, ଏନଜିଓ ଏବଂ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।

