ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ ସାମ୍ନାରେ ହୋଇଥିବା ତାଙ୍କର ସାମ୍ପ୍ରତିକ ଶୁଣାଣିକୁ ଦେଖିଲେ ଯେ କେହି ଅନୁଭବ କରିବେ ଯେ ତାଙ୍କର ଖ୍ୟାତି ନାହିଁ। ରିପବ୍ଲିକାନ୍‌ ସିନେଟରମାନେ ଆମେରିକାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ ଇନ୍‌ଫେକ୍ସିଅସ୍‌ ଡିଜିଜ୍‌ର ପୂର୍ବତନ ନିର୍ଦ୍ଦେଶକ (୧୯୮୪-୨୦୨୨) ଏବଂ ରାଷ୍ଟ୍ରପତିଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା (୨୦୨୧-୨୨) ଥିବା ଫାଉସିଙ୍କ ଉପରେ ଅଯଥା ଆକ୍ରମଣ କରିଥିଲେ। ସେ ଏଚ୍‌ଆଇଭି/ ଏଡ୍‌ସ ଚିକିତ୍ସାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୋଭିଡ୍‌-୧୯ ମହାମାରୀ ମୁକାବିଲାର ନେତୃତ୍ୱ ନେଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ଅଧିବେଶନର ମୁଖ୍ୟ ବିଷୟ ଥିଲା କରୋନା ଭାଇରସର ଉତ୍ପତ୍ତି ।
ଫାଉସିଙ୍କ ବିଶ୍ୱାସ ଯେ, ଏହି ଭୂତାଣୁ ପ୍ରାଣୀମାନଙ୍କଠାରୁ ମଣିଷକୁ ବ୍ୟାପିଛି। କିନ୍ତୁ ତାଙ୍କର ସମାଲୋଚକମାନେ-ବିଶେଷ କରି ପୂର୍ବତନ ଚକ୍ଷୁ ବିଶେଷଜ୍ଞ ତଥା ରିପବ୍ଲିକାନ୍‌ ସିନେଟର ରାଣ୍ଡ୍‌ ପଲ୍‌ ଦାବି କରନ୍ତି ଯେ ଏହା ଚାଇନାର ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ଲିକ୍‌ ହୋଇଛି। ଏହି ପ୍ରତିଷ୍ଠାନର କିଛି ପରୀକ୍ଷାମୂଳକ ଗବେଷଣାକୁ ଆମେରିକାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ ହେଲ୍‌ଥ ପକ୍ଷରୁ ଅନୁଦାନ ମିଳିଥିଲା, ଯାହା ଏକ ଅଣ-ଲାଭକାରୀ ସଂସ୍ଥା ମାଧ୍ୟମରେ ପହଞ୍ଚିଥିଲା। ଉଭୟ ପକ୍ଷ ପରସ୍ପର ବିରୋଧରେ ମିଛ କହୁଥିବା ଅଭିଯୋଗ କରିଛନ୍ତି।
ପଲ୍‌ ତାଙ୍କର ବ୍ୟାପକ ଅନୁସନ୍ଧାନର ଏକ ଅଂଶ ଭାବରେ ଏହି ସମୟର ଫାଉସିଙ୍କ ଡାଏରୀର କିଛି ଲେଖା ପ୍ରକାଶ କରିଥିଲେ। ଫାଉସି ଏପରି ଏକ ଭୂତାଣୁ ସହିତ କାର୍ଯ୍ୟ କରୁଥିଲେ, ଯାହା ବିଷୟରେ ପ୍ରାରମ୍ଭରେ ବହୁତ କମ୍‌ ଜଣାଥିଲା। ତେଣୁ ସେ ହୁଏତ ଏପରି ପରାମର୍ଶ ଦେଇଥାଇପାରନ୍ତି ଯାହାକୁ ପରବର୍ତ୍ତୀ ସମୟରେ ସଂଶୋଧନ କରିବାକୁ ପଡିଲା। ଏଥିରେ ତାଙ୍କର କୌଣସି ଦୋଷ ନାହିଁ-ବିଜ୍ଞାନ ଏହିପରି ଭାବରେ କାମ କରେ। ହୁଏତ ଫାଉସି ବେଳେବେଳେ ନିଜ ଉପରେ ଅଧିକ ନିଶ୍ଚିତ ଥିଲେ। ବୋଧହୁଏ ସେ ଟିକେ ଅହଙ୍କାରୀ ଥିଲେ। କିନ୍ତୁ ଫାଉସିଙ୍କ ଶୁଣାଣିରେ ରିପବ୍ଲିକାନଙ୍କ ଆଚରଣକୁ କୌଣସି ପ୍ରକାରେ କ୍ଷମା କରାଯାଇପାରିବ ନାହିଁ । ପଲ୍‌ ଏବଂ ଅନ୍ୟମାନେ ୮୫ ବର୍ଷର ଡାକ୍ତରଙ୍କୁ ଉପହାସ, ଘୃଣା ଏବଂ ଚିତ୍କାର କଲେ। ମିସୋରୀର ସିନେଟର ଜୋଶ୍‌ ହାଓଲେ ଫାଉସିଙ୍କୁ ନିଜକୁ ଅତି ଶକ୍ତିଶାଳୀ ମନେ କରୁଥିବା ବ୍ୟକ୍ତି ଏବଂ ମିଥ୍ୟାବାଦୀ ବୋଲି କହିବା ସହ ସରକାରୀ ସେବାରୁ ସେ ଲାଭବାନ ହେଉଥିବା ଅଭିଯୋଗ କରିଥିଲେ। ଫ୍ଲୋରିଡାର ସିନେଟର ରିକ୍‌ ସ୍କଟ୍‌ ଏହା ସହ ସ୍ବର ମିଶାଇ କହିଛନ୍ତି, ”ଆପଣ ପ୍ରିୟଜନମାନଙ୍କୁ ଏକାକୀ ମରିବାକୁ ବାଧ୍ୟ କରିଥିଲେ, ଜନସ୍ବାସ୍ଥ୍ୟ ବିଷୟରେ କେନ୍ଦ୍ର ସରକାରଙ୍କ ବିଶ୍ୱସନୀୟତାକୁ ନଷ୍ଟ କରିଥିଲେ।“
କୌଣସି ଆପରାଧିକ ମନ୍ତବ୍ୟ ଦେବାର ଜାଲରେ ନ ପଡ଼ିବା ପାଇଁ ଫାଉସିଙ୍କୁ ପରାମର୍ଶ ଦିଆଯାଇଥିଲା। ତେଣୁ ଅପମାନଜନକ ଶବ୍ଦ ଏବଂ ବିଭ୍ରାନ୍ତିକର ପ୍ରଶ୍ନଗୁଡ଼ିକର ଉତ୍ତର ସେ ଗୋଟିଏ କଥା ୧୦୦ରୁ ଅଧିକ ଥର ଦୋହରାଇଥିଲେ, ”ଓକିଲଙ୍କ ପରାମର୍ଶ କ୍ରମେ, ସମ୍ବିଧାନର ପଞ୍ଚମ ସଂଶୋଧନ ଅନୁଯାୟୀ ମୋର ଅଧିକାର ଆଧାରରେ ମୁଁ ସମ୍ମାନର ସହ ଉତ୍ତର ଦେବାକୁ ମନା କରୁଛି।“ ଫାଉସିଙ୍କୁ ଯେତେବେଳେ ତାଙ୍କ ଟାଇର ରଙ୍ଗ ବିଷୟରେ ପଚରାଗଲା ସେତେବେଳେ ମଧ୍ୟ ସେ ନିଜକୁ ଦୋଷୀ ପ୍ରମାଣିତ ନ କରିବା ପାଇଁ ଅଧିକାରକୁ ପ୍ରୟୋଗ କରିଥିଲେ।
ଫାଉସି ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ଏହା ସ୍ବୀକାର କରିଥିଲେ ଯେ, କଂଗ୍ରେସର ତଦାରଖ ହେଉଛି ସରକାରଙ୍କ ଏକ ଅତ୍ୟାବଶ୍ୟକ ସାଧନ। କିନ୍ତୁ ତାଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କର ଶତ୍ରୁତା ଆଚରଣ ଭିନ୍ନ ଥିଲା। ଏହା କେବଳ ରାଜନୈତିକ ନାଟକ ନ ଥିଲା, ବରଂ ଏହା ଏକ ସାର୍ବଜନୀନ ଲାଞ୍ଛନା ଓ ଉପହାସର ମଞ୍ଚ ଥିଲା। ଫାଉସି ସରକାରୀ କମ୍ପ୍ୟୁଟରରେ ନିଜର ବ୍ୟକ୍ତିଗତ ଡାଏରୀ ଲେଖି ବୁଦ୍ଧିମାନର କାମ କରି ନ ଥିଲେ। ହେଲେ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରାକୁ ସାର୍ବଜନୀନ ଉପହାସର ବିଷୟ କରିବା ତାଙ୍କୁ ସର୍ବସାଧାରଣରେ ଅପମାନିତ କରିବାର ଏକ ପ୍ରୟାସ ଥିଲା। ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ, ଟିକା ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ରହିଥିବା ବିଜ୍ଞାନ ସାରା ବିଶ୍ୱରେ ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଏଭଳି ପ୍ରବଳ କ୍ରୋଧ କାହିଁକି ସୃଷ୍ଟି କରୁଛି। ସଂକ୍ରାମକ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଟିକାକରଣ କରିବା କିମ୍ବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଅଧିକ ଜୀବନ ନଷ୍ଟ କରିବାରୁ ରୋକିବା ପାଇଁ ପଦକ୍ଷେପ ନେବାରେ କୌଣସି ବାମପନ୍ଥୀ ଚିନ୍ତାଧାରା ନାହିଁ। ଏହା ସତ ଯେ, କେତେକ ଲୋକ ଧାର୍ମିକ କାରଣରୁ ଟିକାକୁ ବିରୋଧ କରନ୍ତି। କିନ୍ତୁ ବୋଧହୁଏ ଏହି ସମସ୍ୟା ବିଜ୍ଞାନକୁ ନେଇ ନୁହେଁ ବରଂ ଶ୍ରେଣୀଗତ ଭେଦଭାବକୁ ନେଇ ଉପୁଜୁଛି। ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀମାନେ ବିଜ୍ଞାନକୁ ଯେତେ ଘୃଣା କରନ୍ତି, ତା’ଠାରୁ ଅଧିକ ଘୃଣା କରନ୍ତି ବୈଜ୍ଞାନିକମାନଙ୍କୁ-ସେହି ଉଚ୍ଚଶିକ୍ଷିତ ଲୋକମାନଙ୍କୁ,ଯେଉଁମାନେ ନିଜର ଶ୍ରେଷ୍ଠ ଜ୍ଞାନ ଆଧାରରେ ଆମ ପାଇଁ କ’ଣ ଭଲ ତାହା ଜାଣିଥିବା ଦାବି କରନ୍ତି। ଏହା ଏକ ପୁରୁଣା ସମସ୍ୟା। ପ୍ରାଚୀନ କାଳରେ ସତ୍ୟ ଖୋଜୁଥିବା ଲୋକମାନେ ଯେତେେବେଳ ସେମାନଙ୍କ କର୍ତ୍ତୃତ୍ୱକୁ ଆହ୍ବାନ ଦେଇଛନ୍ତି ସେତେବେଳେ ଗୁଣିଆ, ବୈଦ୍ୟ, ଗ୍ରାମ ମୁଖିଆ, ମୁଲ୍ଲା ଏବଂ ପୁରୋହିତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ବୈଚାରିକ ବିବାଦ ସର୍ବଦା କ୍ଷମତା ଓ କର୍ତ୍ତୃତ୍ୱକୁ ନେଇ ହୋଇଛି।
ଊନବିଂଶ ଶତାବ୍ଦୀରୁ ଶିକ୍ଷାଗତ ଯୋଗ୍ୟତା ଧୀରେ ଧୀରେ ପ୍ରତିଷ୍ଠା ଏବଂ କ୍ଷମତାର ଏକ ଉତ୍ସ ହେବାରେ ଲାଗିଲା। ପାରିବାରିକ ପୃଷ୍ଠଭୂମିର ଗୁରୁତ୍ୱ କମିଗଲା। ଆମକୁ ଡାକ୍ତର, ପ୍ରଫେସର ଏବଂ ଓକିଲମାନଙ୍କ ଦକ୍ଷତା ଉପରେ ଭରସା କରିବାକୁ ଶିଖାଯାଇଥିଲା। ଉଦାରବାଦୀ ଗଣତନ୍ତ୍ରଗୁଡ଼ିକ ନିର୍ବାଚିତ ରାଜନେତାମାନଙ୍କ ଦ୍ୱାରା ପରିଚାଳିତ ହୁଏ। ସେମାନେ ଅନେକ ବିଷୟରେ କମ୍‌ ଜାଣିଥିବାରୁ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତି। ଏଥିପାଇଁ ଆଇନ ପ୍ରଣେତାମାନଙ୍କୁ ସେମାନଙ୍କର ନିଷ୍ପତ୍ତି ନେବାରେ ଅନେକ ବିଶେଷଜ୍ଞ ସଂସ୍ଥା ମାର୍ଗଦର୍ଶନ କରନ୍ତି। କେତେଜଣ ରାଜନେତାଙ୍କର ଜଳବାୟୁ ବିଜ୍ଞାନ କିମ୍ବା ରୋଗ ନିୟନ୍ତ୍ରଣ ବିଷୟରେ ପ୍ରକୃତ ଦକ୍ଷତା ରହିଛି?
ଏବେ ଆମେ ବିଶେଷଜ୍ଞମାନଙ୍କ କର୍ତ୍ତୃତ୍ୱ ବିରୋଧରେ ଥିବା ଏକ କ୍ରୋଧିତ ପ୍ରତିକ୍ରିୟାଶୀଳ ଯୁଗରେ ବାସ କରୁଛୁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜର ବୁଦ୍ଧି ଅପେକ୍ଷା ନିଜର ସହଜ ପ୍ରବୃତ୍ତି ଉପରେ ଅଧିକ ବିଶ୍ୱାସ କରନ୍ତି ଓ ଗର୍ବ କରନ୍ତି । ଅନେକ ଲୋକ ସେହି ଦୁର୍ବଳତା ଜାଣି ସୁଦ୍ଧା ତାଙ୍କୁ ଭୋଟ୍‌ ଦେଇଥିଲେ । ସେ ବିଶେଷଜ୍ଞମାନଙ୍କୁ ସେତିକି ଘୃଣା ଓ ଅବିଶ୍ୱାସ କରନ୍ତି, ଯେତିକି ତାଙ୍କର ଅନୁଗାମୀମାନେ କରନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକର ଅଧ୍ୟାପକମାନେ କେତେକ ସମୟରେ ସୁବିଧାଭୋଗୀ ଆଭିଜାତ୍ୟ ବର୍ଗର ଅହଙ୍କାର ପ୍ରଦର୍ଶନ କରୁଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଦକ୍ଷତାର ସହ ଶାସନ କରିବାରେ ସାହାଯ୍ୟ କରିଥିବା ବିଶେଷଜ୍ଞମାନଙ୍କୁ ଦୁର୍ବଳ କିମ୍ବା ବହିଷ୍କାର କରିବା ପାଇଁ ହୋଇଥିବା ମିଳିତ ପ୍ରୟାସ କରାଯିବା ମଧ୍ୟ ଏହାର ଏକ ଅଂଶ। ତଥାକଥିତ ‘ଡିପ୍‌ ଷ୍ଟେଟ୍‌’ ଉପରେ ମାଗା (ମେକ ଆମେରିକା ଗ୍ରେଟ୍‌ ଏଗେନ) ପ୍ରଶାସନର ଆକ୍ରମଣ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ଅତ୍ୟାବଶ୍ୟକ ପ୍ରତିଷ୍ଠାନଗତ ଜ୍ଞାନ ଓ କାର୍ଯ୍ୟଦକ୍ଷତା ଥିବା ସରକାରୀ ସଂସ୍ଥାଗୁଡ଼ିକୁ ଧ୍ୱଂସ କରିବାର ଏକ ପ୍ରୟାସ।
ଫାଉସିଙ୍କର ଦୁର୍ଭାଗ୍ୟ ହେଉଛି ସେ ଆଜି ଘୃଣ୍ୟ ଶ୍ରେଣୀର ଶତ୍ରୁ ପାଲଟିଛନ୍ତି। କାରଣ ସେ ଏକ ବିନାଶକାରୀ ମହାମାରୀ ସମୟରେ ଆମେରିକୀୟମାନଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଟିକା ନେବାକୁ କହିଥିଲେ, ଯେତେବେଳେ କି ଟ୍ରମ୍ପ୍‌ ଲୋକମାନଙ୍କୁ ସେମାନଙ୍କ ଶରୀରରେ ଜୀବାଣୁନାଶକ ଇଞ୍ଜେକ୍ଟ ନେବାକୁ ପରାମର୍ଶ ଦେଉଥିଲେ। ସେଥିପାଇଁ ରିପବ୍ଲିକାନ୍‌ ସିନେଟରମାନେ ଶୁଣାଣି ପାଇଁ ଫାଉସିିଙ୍କୁ ଡାକିଥିଲେ ଓ ଉପହାସ କରିବାକୁ ପଛାଇ ନ ଥିଲେ।

ଇଆନ୍‌ ବୁରୁମା
– ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?