ଦୁଃଖ ଓ ଯନ୍ତ୍ରଣା

ଆରତି ମହାନ୍ତି

ଦୁଃଖରୁ ରକ୍ଷାପାଇବାକୁ ମଣିଷ ନାନା ଉପାୟ ପାଞ୍ଚିଛି-ଠାକୁର ପୂଜା କରି କି ନାନା ରକମର ମଉଜ ମଜଲିସ୍‌ ଭିତରେ ନିଜକୁ ମନେଇ ରଖି ଇତ୍ୟାଦି। କିନ୍ତୁ ସେଥିରେ ସେ ସଫଳ ହୋଇପାରି ନାହିଁ। ଦୁଃଖକୁ ଆଡ଼େଇଦେଲେ କି ଦବେଇ ଦବାକୁ ଚେଷ୍ଟା କଲେ ସେ ଯାଏ ନାହିଁ। ସବୁ ଜିନିଷକୁ ବୁଝିବା ପରି ତାକୁ ବୁଝିଲେ ସେ ଆପଣା ଛାଏଁ ଚାଲିଯାଏ।
ଦୁଃଖ ଅନେକ ରୂପରେ ଦେଖାଦିଏ। ଆତ୍ମ-ଅନୁକମ୍ପା, ନିଃସଙ୍ଗତା, ହତାଶବୋଧ ହେଉଛି ତା’ର ଗୋଟିଏ ଗୋଟିଏ ରୂପ। ପୁଣି ଯେତେବେଳେ ଜଣେ ତା’ର ଆଶାକୁ ପୂର୍ଣ୍ଣ କରିପାରେ ନାହିଁ କି ତା’ ଭାଗ୍ୟ ତାକୁ ସାହା ହୁଏନାହିଁ ସେତେବେଳେ ତା’ଠାରେ ଯେଉଁ ଏକାନ୍ତ ଶୂନ୍ୟତା, ହତାଶବୋଧ ଦେଖାଦିଏ ସେଗୁଡ଼ିକ ବି ହେଉଛି ଦୁଃଖ। ଆତ୍ମ ଅନୁକମ୍ପା ହେଉଛି ଦୁଃଖର ଏକ ମୁଖ୍ୟ କାରଣ। ଯେତେବେଳେ ଜଣେ ତା’ର ଜାଣତରେ କି ଅଜାଣତରେ ନିଜକୁ ନେଇ ଅଭିଯୋଗ କରିବସେ, ନିଜକୁ ନେଇ ଆକ୍ଷେପ କରେ ସେତେବେଳେ ତା’ ନିଜକୁ ବଡ଼ ଅସହାୟ ମନେହୁଏ। ନିଜ ପ୍ରତି ଦୟା ଆସେ। ସେହି ହେଉଛି ଆତ୍ମ-ଅନୁକମ୍ପା। ତେଣୁ ସେଥିପ୍ରତି ସଚେତନ ରହିବା ଜରୁରୀ। ସେମିତି ନିଃସଙ୍ଗତା ବି ହେଉଛି ଦୁଃଖ। ଜଣକର ବହୁତ ସାଙ୍ଗସାଥୀ ଥାଇ ପାରନ୍ତି, ଦେବଦେବୀ ଥାଇ ପାରନ୍ତି, ବହୁତ ଜ୍ଞାନ ଥାଇପାରେ, ସାମାଜିକ ଦୃଷ୍ଟିରୁ ସେ ବହୁତ ସକ୍ରିୟ ଥାଇପାରନ୍ତି ତଥାପି ତାଙ୍କଠାରେ ନିଃସଙ୍ଗତା ବୋଧଥାଏ। ସେଥିପାଇଁ ତ ଜଣେ ଜୀବନର ସାର୍ଥକତା ଖୋଜିହୁଏ ପୁଣି ଗୋଟାଏ କିଛି ନିଜ ପାଇଁ ସେ ଉଦ୍ଭାବନ କରି ପକାଏ ମଧ୍ୟ। ହେଲେ ସୁଦ୍ଧା ନିଃସଙ୍ଗତା ତାକୁ ଛାଡ଼େ ନାହିଁ।
ନିଃସଙ୍ଗତା ହେଉଛି ଦୁଃଖ କିନ୍ତୁ ଏକାକିତ୍ୱ ମୁକ୍ତି। ଆମେ କେହିହେଲେ ଏକା ନୁହେଁ। କାରଣ ଆମ ମନ ଭିତରେ ହଜାର ହଜାର ବର୍ଷର ପରମ୍ପରା, ପ୍ରଭାବ, ସ୍ଥିତିବଦ୍ଧତା, ବଂଶାନୁଗତ ମନସ୍ତାତ୍ତ୍ୱିକ ଗୁଣ, ନାନା ପ୍ରଚାର ଓ ସଂସ୍କୃତିର ପ୍ରଲେପ ଜମାଟ ବାନ୍ଧି ରହିଛି। ଆମେ ଅନ୍ୟ ଦ୍ୱାରା ପରିଚାଳିତ ମଣିଷ। କିନ୍ତୁ ଯଦି ଜଣେ ଏକା ରହେ ଏକଦମ୍‌ ଏକା ଅର୍ଥାତ୍‌ ପରିବାର ଭିତରେ ରହି ବି ସେ କାହାରି ନୁହେଁ, କୌଣସି ଜାତି କି ସଂସ୍କୃତିର ନୁହେଁ ତେବେ ତା’ ମନରେ ଗୋଟାଏ ବାହାରିଆ ଭାବ ଦେଖାଦିଏ, ଯେମିତିକି ସେ ସବୁ ଭାବନା, ପରିବାର, ଜାତି ସବୁଥିରୁ ବାହାର। ସେପରି ଚଳୁଥିବା ବ୍ୟକ୍ତି ହିଁ ହେଉଛି ନିରୀହ ଏବଂ ସେହି ନିରୀହତା ତାକୁ ଦୁଃଖରୁ ମୁକ୍ତ କରିଦିଏ। ଦୁଃଖକୁ କେବଳ ହୃଦୟଙ୍ଗମ କରିବା ଦ୍ୱାରା ହିଁ ସେଥିରୁ ମୁକ୍ତି ଆସିଥାଏ। ସେଥିପାଇଁ ସେହି ଦୁଃଖ ଭିତରେ ରହିବାକୁ ହୁଏ। ତୁମେ ତେବେ କ’ଣ ଚାହୁଁଛ- କିଛି କ୍ଷଣ ପାଇଁ ତା’ଠୁ ରକ୍ଷା ପାଇବାକୁ ନା ସମ୍ପୂର୍ଣ୍ଣ ମୁକ୍ତ ହେବାକୁ? ଯଦି ଦୁଃଖରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହେବାକୁ ଚାହୁଁଥାଏ ତେବେ ବାସ୍ତବରେ ଯାହା ଅଛି ସେ ଯେଡ଼େ ଭୟଙ୍କର କି ନୃଶଂସ ହୋଇଥାଉ ପଛକେ ସେ ବିଷୟରେ ସଚେତନ ହୁଅ, ତା’ ଭିତରକୁ ଯାଅ, ସେ ବିଷୟରେ ଶିଖ। ସେଥିରେ ଯେତେ ଯାହା ଅଛି ସେ ସବୁକୁ ଜାଣ। ତେବେ ଯାଇ ତା’ ପ୍ରତି ତୁମର ଭୟ ରହିବ ନାହିଁ କି ଆତ୍ମ-ଅନୁକମ୍ପାର ବିଷ ବି ତୁମକୁ ଘାରିବ ନାହିଁ।
ବର୍ତ୍ତମାନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ଯାଉଛୁ। ଆମ ଜୀବନକୁ ଆମେ କିପରି କାଟିବା ଯେପରିକି ଶେଷ ପର୍ଯ୍ୟନ୍ତ ଆମ ମନରେ ଶାନ୍ତିି ରହିପାରିବ। ଯଦି ଆମକୁ ଜଣେ ଆସି କୁହେ ଯେ ଆଉ ମୋଟେ ଘଣ୍ଟାଏ କି ଦିନଟିଏ ପାଇଁ ତୁମେ ବଞ୍ଚିବ ତେଣୁ ଯାହା କରିବାର ଅଛି ସାରିଦିଅ। ତେବେ ଆମେ କ’ଣ କରିବା? ଆମେ ପ୍ରଥମେ ନିଜ ଚାରିପଟର ଜିନିଷଗୁଡ଼ିକ ସଜାଡ଼ି ଦେବା, ଯେପରିକି ଆମେ ମରିଗଲା ପରେ ଆମ ଲାଗି କାହାକୁ ଅସୁବିଧାରେ ପଡ଼ିବାକୁ ନ ହୁଏ। ତାପରେ ଯେଉଁମାନଙ୍କ ପ୍ରତି ଆମର ରାଗ, ବିରକ୍ତି କି ଘୃଣା ରହିଛି ସେମାନଙ୍କୁ କ୍ଷମା ଦେଇଦେବା। ଯେଉଁ ଆସକ୍ତିଗୁଡ଼ିକ ନାନା ଭାବରେ ବିବ୍ରତ କରୁଛି ସେଗୁଡ଼ିକ ମନରୁ କାଢ଼ିଦେବା। ଯଦି ଆମେ ସେପରି ନ କରୁ ତେବେ ଯନ୍ତ୍ରଣାର ଶରଶଯ୍ୟାରେ ହିଁ ଆମର ଜୀବନ ଯିବ। ତୁମେ ବି କ’ଣ ଏଇ କଥାଗୁଡ଼ିକର ଭିତିରିଆ ଅର୍ଥକୁ ବୁଝୁଛ ? ଯଦି ତୁମର ଅନ୍ତର୍ଦୃଷ୍ଟି ଖୋଲିଯାଏ ତୁମେ ବି ସେଇଆ କରିବ। ଏବେ ଯଦି ଘଣ୍ଟାକ ପାଇଁ କି ଦିନକ ପାଇଁ ତୁମେ ସେମିତି ଚଳି ପାରିବ ତେବେ ଯେତେଦିନ କି ବର୍ଷ ବଞ୍ଚିବ ସେମିତି ଚଳି ପାରିବ ନାହିଁ କାହିଁକି? ଥରେ ଚେଷ୍ଟା କରି ଦେଖନା ସେପରି ଚଳି ହେଉଛି କି ନାହିଁ?
ଜୀବନର ଦୁଃଖ ଯନ୍ତ୍ରଣାକୁ ବୁଝିବା ଜରୁରୀ। ଖାଲି ହସଖୁସିରେ ଜୀବନ କଟାଇବାରେ କିଛି ଲାଭ ନାହିଁ। ତା’ ଦ୍ୱାରା ଜଣେ ସ୍ବେଚ୍ଛାଚାରୀ ଓ ନୃଶଂସ ହୋଇଯାଏ। ନିଜର ଦୁଃଖକୁ ନ ବୁଝିଲେ ଅନ୍ୟର ଦୁଃଖକୁ କିପରି ବୁଝିପାରିବ? ତୁମେ ଜାଣକି ବାହାରର ଶବ୍ଦକୁ ଶୁଣିବା ପରି ନିଜ ଦୁଃଖକୁ ବି ଶୁଣିହୁଏ? ସେଥିପାଇଁ ମୁର୍ହୂରୁ ମୁର୍ହୂ ସଚେତନ ହେବା ଦରକାର। ତାହେଲେ ମନର ଯାବତୀୟ କଥା, ଭାବନା ସବୁ ଶୁଣିହୁଏ। କାରଣ ତା ଭିତରେ ବି ସେହିମୁଁ ରହିଥାଏ। ଆମେ ନିଜର ଯନ୍ତ୍ରଣାକୁ ବୁଝିବା ଦ୍ୱାରା ସାରା ମଣିଷ ଜାତିର ଯନ୍ତ୍ରଣାକୁ ବୁଝିପାରିବା। କାରଣ ଯନ୍ତ୍ରଣାରେ ତୁମର ମୋର ବୋଲି କିଛି ନାହିଁ। କ୍ଷୁଧା ଅନୁଭବ କରିବା ବେଳେ ବି ସାରା ମଣିଷ ଜାତିର କ୍ଷୁଧାକୁ ଆମେ ଅନୁଭବ କରିପାରିବା। ଜଣେ ତା’ର ଉଚ୍ଚାଭିଳାଷ ପୂର୍ଣ୍ଣ କରିବାକୁ ଧାଉଁଥିଲା ବେଳର ଅସ୍ଥିରତା, ଭୟ, ଆଶଙ୍କା, ହତାଶା ସବୁ ଅନୁଭବ କରିବା ସାରା ମଣିଷ ଜାତିର ଅନୁଭବ ସହିତ ସମାନ। କେବଳ ବିଭିନ୍ନ ପରିସ୍ଥିତି ଓ ଘଟଣା ଭିତରେ ସମସ୍ତେ ଘାରି ହେଉଥାଆନ୍ତି। ଦେଖ! ଏଠି ଏହି କଥାଟିକୁ ବସ୍ତୁ ନିରପେକ୍ଷ କରି ଦିଆଯାଉନାହିଁ କି ଅ-ବ୍ୟକ୍ତିକ ବି ନୁହେଁ। ଜଣକର ଖାଇବାକୁ ନ ଥିଲେ ତା’ର ଯେଉଁ ଜ୍ୱାଳା ଯେକୌଣସି ମଣିଷ ସେହି ଅବସ୍ଥାରେ ଏକାପରି ସେ ଜ୍ୱାଳାକୁ ଅନୁଭବ କରିବ। କେବଳ ସେମିତି ଅନୁଭବ କଲାବେଳେ ତା’ର ଗଭୀରତାକୁ ଯାଇ ସେହି ତୀବ୍ରତାକୁ ଅନୁଭବ କରିବା ଦରକାର, ତହିଁରେ ଅନ୍ତର୍ଦୃଷ୍ଟି ଆଣିବା ଦରକାର। କାରଣ ତା’ର ଇତି ଘଟିଲେ ଯାଇ ଶାନ୍ତି ଆସିପାରିବ-ଖାଲି ବାହାରେ ନୁହେଁ ଅନ୍ତରରେ ମଧ୍ୟ।
ଶ୍ରୀରାମ ନଗର, ଭୁବନେଶ୍ୱର
ମୋ : ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

ଜଳବାୟୁ ସୁରକ୍ଷା-ଜୀବନ ରକ୍ଷା

ବାୟୁମଣ୍ଡଳ, ବାରିମଣ୍ଡଳ ଏବଂ ଭୂମଣ୍ଡଳର ଉପସ୍ଥିତି ତଥା ଏକ ସ୍ଥିର ସବୁଜଗୃହ ପ୍ରଭାବର କାର୍ଯ୍ୟକାରିତା ହେତୁ ପୃଥିବୀର ଜଳବାୟୁ ଅନ୍ୟ ଗ୍ରହମାନଙ୍କ ତୁଳନାରେ ଅନନ୍ୟ। ଏତଦ୍‌ବ୍ୟତୀତ, ସୂର୍ଯ୍ୟଙ୍କଠାରୁ…

ଆତ୍ମ ପ୍ରତାରଣା

ମାତ୍ର ୧୦ ବର୍ଷ ତଳେ ଭାରତର ସୋସିଆଲ ମିଡିଆ ମ୍ୟାକ୍‌ଲେ-ପୁତ୍ର (ପାଶ୍ଚାତ୍ୟ ସଂସ୍କୃତି ଆପଣାଇଥିବା ଭାରତୀୟ) ଏବଂ ପ୍ରେସ୍‌ଟିଚ୍ୟୁଟ୍ସ (ଭ୍ରଷ୍ଟ ଗଣମାଧ୍ୟମ) ଭଳି ଅପମାନଜନକ ଶବ୍ଦ ବହୁଳ…

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri