ନୂଆଦିଲ୍ଲୀ,୧୫।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହେବା ପରେ ନିଜ ବ୍ୟାଟିଂ ଶୈଳୀରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ମୃତି ମନ୍ଧାନା। ଅଧିନାୟକ ପଦର ଚାପ ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରିବ ନାହିଁ ଏବଂ ଦଳର ଆବଶ୍ୟକତା ଅନୁଯାୟୀ ସେ ନିଜ ସ୍ୱାଭାବିକ ଆକ୍ରମଣାତ୍ମକ ଶୈଳୀରେ ଖେଳିବେ ବୋଲି କହିଛନ୍ତି ।
ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଏକ ପ୍ରେସ୍ କନ୍ଫରେନ୍ସରେ ଯୋଗଦେଇ ମନ୍ଧାନା ଏହି ମତ ରଖିଛନ୍ତି । ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବ। କ୍ୟାପ୍ଟେନ୍ ହେବା ପରେ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆସିବ କି ବୋଲି ପଚରାଯିବାରୁ ମନ୍ଧାନା କହିଛନ୍ତି ଯେ ପଡ଼ିଆରେ ସେ ଅଧିନାୟକ ହୋଇଥିଲେ ମଧ୍ୟ ବ୍ୟାଟିଂ ସମୟରେ ତାଙ୍କ ଚିନ୍ତାଧାରା ବଦଳିବ ନାହିଁ ।
ସେ କହିଛନ୍ତି, ତାଙ୍କ ପିଲାଦିନର କୋଚ୍ ସବୁବେଳେ ବ୍ୟାଟିଂ କରିବାକୁ ଯିବା ସମୟରେ ନିଜକୁ ଅଧିନାୟକ ଭାବିବାକୁ ପରାମର୍ଶ ଦେଉଥିଲେ । ଏହାଦ୍ୱାରା ଖେଳାଳିଙ୍କ ମଧ୍ୟରେ ଦାୟିତ୍ୱବୋଧ ବଢ଼ିଥାଏ । ତେଣୁ ଅଧିନାୟକ ହେବା ପରେ ମଧ୍ୟ ଏହି ମାନସିକତାରେ ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଦଳର ନେତୃତ୍ୱ ଗୋଷ୍ଠୀର ଅଂଶ ରହିଆସିଛନ୍ତି । ତେଣୁ ଅଧିନାୟକ ଦାୟିତ୍ୱ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ନୁହେଁ।
ଟି-୨୦ କ୍ରିକେଟ୍କୁ ନେଇ ସେ କହିଛନ୍ତି, ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ତଥାପି ଦଳକୁ ଆଉ ୧୦ ପ୍ରତିଶତ ଉନ୍ନତି କରିବାକୁ ପଡ଼ିବ। ଏନେଇ ଦଳର ଖେଳାଳିମାନେ ମଧ୍ୟ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି। ଅଧିନାୟକ ଭାବେ ମନ୍ଧାନାଙ୍କ ପାଇଁ ଜିମ୍ବାୱେ ବିପକ୍ଷ ସିରିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ହେବ। ଏହି ସିରିଜ୍ରେ ଦଳର ପ୍ରଦର୍ଶନ ସହ ମନ୍ଧାନାଙ୍କ ନେତୃତ୍ୱ ଏବଂ ବ୍ୟାଟିଂ ଉପରେ ମଧ୍ୟ ନଜର ରହିବ।

