ଚପଲ ଚର୍ଚ୍ଚା

ଡ. କୁଳାଙ୍ଗାର

ଚପଲ ସହିତ ତାଆର ସମ୍ପର୍କ ବେଶ୍‌ ନିବିଡ଼। ମାନେ ଏମିତିରେ ତ ସମସ୍ତଙ୍କ ପାଦରେ ଲାଗୁଥିବାରୁ ଏହା ନିବିଡ଼ ହେବା ସ୍ବାଭାବିକ। ତେବେ ଚପଲ ସହିତ ତାଆର ସମ୍ପକର୍ର୍ ନିଆରା। ପିଲାଦିନେ ଚପଲ ପିନ୍ଧିବାର ଅଭ୍ୟାସ ନ ଥିବାରୁ ସିଏ ବାରମ୍ବାର ଚପଲ ହଜେଇ ଦେଉଥିଲା। ଅତଏବ ଆଉ ହଳେ ଚପଲ କିଣା ହେବାଯାଏଁ ସିଏ ଖୋଲା ପାଦରେ ଚାଲୁଥିଲା। ଛାତ୍ରାବସ୍ଥାରେ ଉପନୀତ ହେବା ପରେ ପ୍ରେମ ନିବେଦନର ଫଳ ସ୍ବରୂପ ଅନେକ ତରୁଣୀଙ୍କର ଚପଲ ତାଆର ଗାଲ ସ୍ପର୍ଶ କରିଥିଲା। ଏବଂ ପାଠସାରି ଯୁବାବସ୍ଥାରେ ଚାକିରି ଖଣ୍ଡେ ପାଇଁ ଏଠୁ ସେଠିକୁ ଦୌଡ଼ି ଦୌଡ଼ି ତାଆର ଚପଲ ଘୋରି ହୋଇଥିଲା। ଶେଷରେ ଜଣେ ଅଧିକାରୀଙ୍କର ଚପଲ ବୋହିବା ପରେ ତାକୁ ଚପରାସୀ ଚାକିରିଟିଏ ମିଳିଲା।
ଅତଏବ ସିଏ ଚପଲକୁ କେମିତି ଭୁଲିପାରନ୍ତା? ତେବେ ତା’ ସ୍ତ୍ରୀ କୋଉ ଏତେ କଥା ଜାଣେ! ସିଏ ସେଦିନ ସକାଳୁ ସକାଳୁ ସଜବାଜ ହୋଇ ଯେବେ ଖାଲିପାଦରେ ବାହାରକୁ ବାହାରିଲା, ତା’ ସ୍ତ୍ରୀ ପଚାରିଲା – ହୈଏ, ଏବେ ତ ଏମିତି କିଛି ଓଷାବ୍ରତ ନାହିଁ! ତମେ ଖାଲିପାଦରେ କୁଆଡ଼େ ବାହାରିଛ?ସିଏ କହିଲା- ଚପଲ ପାଇଁ! ଘରଣୀ କହିଲା- ଚପଲ ପାଇଁ ଯାଉଛ ଯଦି ଯାଅ, ହେଲେ ଚପଲ ପିନ୍ଧି ଯାଉନ! ସିଏ କହିଲା- ଦୋକାନକୁ ଯାଉଥିଲେ ସିନା ପିନ୍ଧିକରି ଯାଆନ୍ତି। କିନ୍ତୁ ମୁଁ ଯାହା ପାହାକୁ ଯାଉଛି, ସିଏ ଥିଲା ଲୋକଙ୍କୁ ଦିଅନ୍ତିନି! ତମ ପାଖରେ ଥିଲେ ବି ଦେଖେଇବାକୁ ପଡ଼ିବ କି ନାହିଁ! ତା’ପରେ ଯାଇ ସିଏ ଦେବେ!! ଘରଣୀ କହିଲା- କ’ଣ ସବୁ ୟାଡୁସ୍ୟାଡୁ ଗପୁଛ ମୁଁ କିଛି ବୁଝିପାରୁନି! ତମେ କୋଉଠିକୁ ଯିବ ଯେ ତମକୁ କିଏ ଚପଲ ଦେବ? ସିଏ କହିଲା – ସବୁବେଳେ ତ ଧାରାବାହିକ ଦେଖାରେ ମାତିଲୁ, କେବେ ଟିକେ ସମାଚାର ଦେଖିଲେ ସିନା ଜାଣନ୍ତୁ! ଆଲୋ ଆମ ବିଧାନସଭାରେ ଚପଲ ଫୋପଡ଼ା ହେଉଛି। ମୋର ଚପଲ ହଳକ ପାକୁଆ ହେଲାଣି। ସେଥିରୁ ହଳେ ନେଇ ଆସିବି। ଆଉ କିଣିବି କାହିଁକି। ଘରଣୀ ଏଥର ଆଖି ହଳକୁ କ୍ରିକେଟ ବଲ୍‌ ପରି ବାହାରକୁ କାଢ଼ି ପଚାରିଲା- ସେଠି କିଏ କାହିଁକି ଚପଲ ଫୋଡ଼ିଲେ ବା? ସିଏ କହିଲା- ତୁ ଜାଣିନୁ କି, ସେଠିକି ଆମେ ଭୋଟ ଦେଇ ପଠେଇଥିବା ଏମେଲେମାନେ ଯାଆନ୍ତି। ବଡ଼ଲୋକ ସେମାନେ। କ’ଣ ଗୋଟେ ମନକୁ ପାଇଥିବ ତେଣୁ ଖୁସିରେ ଯାହା ପାଇଲେ ତାହା ଫୋପାଡ଼ିଥିବେ! ଘରଣୀ ସନ୍ଦେହ ସ୍ବରରେ କଥା ଫେରାଇଲା – ଖୁସି ନା ଆଉ କିଛି! ସିଏ କହିଲା- ଆଉ ବିଧାୟକ ଭଳିଆ ଲୋକ। ସିଏ କଣ କାହାକୁ ଅପମାନିତ କରିବା ପାଇଁ ଚପଲ ଫୋପାଡ଼ିଥିବେ ନା କାହାକୁ ଆଘାତ ଦେବା ପାଇଁ ଫୋପାଡ଼ିଥିବେ। ଅଧିକ ଥିବ ବୋଲି ଫୋପାଡ଼ିଥିବେ ନା! ନଚେତ ଦିଲ୍ଦାର ଲୋକ ହୋଇଥିବେ! ନାଟ ତାମସାରେ ଦିଲ୍‌ବାଲା ଲୋକେ ନୋଟ୍‌ ଉଡ଼େଇଲା ପରି କ’ଣ ଗୋଟେ ମନକୁ ପାଇଥିବ, ତେଣୁ ସିଏ ପୋପାଡ଼ିଥିବେ!
ଘରଣୀ ତା’ କଥାକୁ ଆଦୌ ଗ୍ରହଣ କଲାନାଇଁ। ଓଲଟି କହିଲା – ଖୁସିରେ ଲୋକେ ଟଙ୍କା ପଇସା, ଫୁଲ ଆଦି ସିନା ଫିଙ୍ଗନ୍ତି। ଚପଲ କିଏ କ’ଣ ଖୁସିରେ ଫୋପାଡ଼େ? ତମେ ଭଲ କି ବୁଝ, କିଛି ଗୋଟେ ଅଘଟଣ କି ହିଂସା ହୋଇଥିବ। ସିଏ କାହାକୁ ଆଘାତ ଦେବାକୁ ଫୋପାଡ଼ିଥିବେ! ସିଏ ଟିଙ୍ଗିଟିଙ୍ଗି ହୋଇ କହିଲା- ତୁ ତ ମହାପଣ୍ଡିତ! ଆଘାତ ଫାଘାତ କଥା ହୋଇଥିଲେ ଏତେଲା ହୋଇନଥାନ୍ତା? ଆଗରୁ ପରା ଜଣେ ନେତାଙ୍କ ଗାଡ଼ିକୁ ଟୋକାଟାଏ ଅଣ୍ଡା ମାରି ଦେଇଥିଲା ବୋଲି ତାକୁ ଜେଲ୍‌ ହୋଇଯାଇଥିଲା। ତୁ କଣ କହୁଛୁ? ପୁଲିସି ଜାଣିକି ଚୁପ୍‌ ରହିଥାଆନ୍ତା?? ଘରଣୀ କହିଲା – ହଉ ତମେ ତାହେଲେ ଯାଅ! ପୁଣି ତାକୁ ପଛରୁ ଡାକି ଘରଣୀ କହିଲା- ହେଇଟି ଶୁଣ ଶୁଣ! ଟିକେ ରହ, ମୁଁ ବି ତମ ସାଥିରେ ଯିବି। ମୋ ଚପଲ ହଳକ ବି ବହୁ ଦିନ ପିନ୍ଧିପିନ୍ଧି ବିରକ୍ତ ହେଲିଣି।
ମୁଁ ବି ମାଗଣାରେ ହଳେ ଚପଲ ଆଣିବି। ସିଏ ଘରଣୀ କଥା ଶୁଣି ହସିଲା ଏବଂ କହିଲା- ଆଲୋ ହୁଣ୍ଡି। ମୁଁ ସିନା ଅନେକ ଚପଲ ଭିତରୁ ମୋ ମାପର ହଳେ ନେଇଆସିବି, ହେଲେ ସେଠି ତ ମାଡାମ ମାତ୍ର ହାତଗଣତି। ତୋ’ ମାପର ମିଳିବା କଷ୍ଟ! ତେଣୁ ତୁ ଯିବୁ କାହିଁକି, ମନ ଦୁଃଖ କରି ଫେରିବୁ କାହିଁକି?
ସିଏ ଘରଣୀକୁ ଘରେ ଛାଡ଼ି ଅଟୋ ଭଡ଼ା କରି ସଭାଗୃହ ଦରଜାରେ ପ୍ରବେଶ କଲାବେଳକୁ ମାଟିଆ ପୋଷାକପିନ୍ଧା ମାମୁ ପାଟିକଲେ- ହାଁ ହଁା କୁଆଡ଼େ କୁଆଡ଼େ? ସିଏ ତାଙ୍କ ପାଖକୁ ଯାଇ କହିଲା- ଭିତରକୁ ଆଉ କୁଆଡ଼େ? ମାମୁ କହିଲେ- ଭିତରକୁ ଯିବାପାଇଁ ପାସ୍‌ ଲୋଡ଼ା। ପାସ୍‌ କାହିଁ? ସଭାକୁ ପାଇଁ ସିନା ପାସ୍‌, ମୁଁ ତ ଚପଲ ପାଇଁ ଆସିଛି। ସୁରକ୍ଷା କର୍ମୀ ତା’ କଥା ଶୁଣିଲାନି। ତାକୁ ରାସ୍ତା କଡ଼ରେ ଥିବା ଟେଣ୍ଟ ତଳକୁ ଟାଣିନେଲା। ବାଟରେ ତାକୁ ଜଣେ ପୋଲିସ ସନ୍ଦେହ ଦୃଷ୍ଟିରେ ଆପାଦମସ୍ତକ ଚାହିଁ ପଚାରିଲେ- ହୈରେ ତୋ’ ପାଦରୁ ଚପଲ କୁଆଡ଼େ ଗଲା?
କ’ଣ ଉତ୍ତରଦେବ ଭାବି ତାଆର ପାଟି ଥଙ୍ଗଥଙ୍ଗ ହୁଅନ୍ତେ ପୋଲିସ ବାବୁ ତାଆର ଡେଣାଧରି ମାଡ଼ି ବସିଲେ। ପେଁ ପେଁ ସ୍ବର କରି ପୋଲିସ ଭ୍ୟାନ୍‌ ମାଡ଼ିଆସିଲା। ତାକୁ ଗାଡ଼ିରେ ବସେଇ ଗୋଟେ ଥାନାକୁ ନେଇଗଲେ। ଥାନାରେ ତାକୁ ମାମୁଘର ଚର୍ଚ୍ଚା ସହ ନାନା ପ୍ରଶ୍ନ ହେଲା;
– ତୁ କ’ଣ କାହାକୁ ଚପଲ ଫିଙ୍ଗିବାକୁ ଆସିଥିଲୁ? ତା’ହେଲେ କାହାକୁ ଚପଲ ଫିଙ୍ଗିଚୁ କହ? ତୁ କ’ଣ ସେ ଚପଲଫିଙ୍ଗା ବିଧାୟକଙ୍କର ନା ତାଙ୍କ ଦଳର ସମର୍ଥକ? ତୁ କ’ଣ ତୋ ଚପଲ ତାଙ୍କୁ ଫିଙ୍ଗିବାକୁ ଦେଇଥିଲୁ କି? ସିଏ ଚୁପ୍‌ ରହିବାରୁ ତାକୁ ଅନେକ ସମୟ ଧରି ମାମୁଘର ଚର୍ଚ୍ଚା କଲେ। ସିଏ ଯେବେ ସତକଥା ଖୋଲି କହିଲା, ଥାନାରେ ଉପସ୍ଥିତ ସମସ୍ତେ ଠୋ ଠୋ ହସିଲେ। ଥାନାବାବୁ କନଷ୍ଟେବଳକୁ କହିଲେ- ଯା’ ୟାକୁ ଘରେ ଛାଡିଆସିବୁ! ହଁ, ଗଲାବେଳେ ରାସ୍ତାରେ ତାକୁ ଭଲ ଚପଲ ହଳେ କିଣି ଦେବୁ!
ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?