ରିଆମାଳ,୪ା୧୧(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆଁନାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ବୁଧବାର ଅଭିଭାବିକା ଓ ଅଭିଭାବକ, ଛାତ୍ରୀଛାତ୍ର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ।
ସୂଚନାନୁଯାୟୀ, ବେଗୁନିଆଁନାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ୮ମ ଶ୍ରେଣୀ ଯାଏ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଏଠାରେ ୭୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ଜଣେ ଶିଶୁ ସେବିକା କାର୍ଯ୍ୟରତ ଅଛନ୍ତି। ଗତ ୩୧.୧୦..୨୬ ତାରିଖରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିଥିଲେ। ତେଣୁ ଶିକ୍ଷାଦାନ କ୍ଷେତ୍ରରେ ସମସ୍ୟା ହେଉଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ଓ ନିଯୁକ୍ତି ଦେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ଥିବା ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦେବା ପାଇଁ ରିଆମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ନ ମିଳିବାରୁ ଅଭିଭାବକା, ଅଭିଭାବକ ଓ ଛାତ୍ରୀଛାତ୍ର ବୁଧବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏ ଖବର ପାଇ ରିଆମାଳ ଏବିଇଓ ମହେଶ୍ୱର ବେହେରା ବିଦ୍ୟାଳୟ ଫାଟକ ନିକଟକୁ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରି ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣା ପ୍ରତ୍ୟାହୃତ କରିବା ସହ ସ୍କୁଲ ଫାଟକ ଖୋଲିଥିଲେ ଓ ଶିକ୍ଷାଦାନ ସ୍ବାଭାବିକ ହୋଇଥିଲା।

