ବଲାଙ୍ଗୀର,୪ା୧୧(ସୁନିଲ କୁମାର ମହାନ୍ତି): ନଭେମ୍ବର ୧ ତାରିଖ ରାତିରେ ସ୍କୁଟିରେ ରାସ୍ତାରେ ଆସୁଥିବା ଦମ୍ପତିଙ୍କଠାରୁ ଚେନ୍ ଲୁଟ୍ କରି ଫେରାର ମାରିଥିଲେ ଲୁଟେରା। ବଲାଙ୍ଗୀର ସହର ତାଲପାଲି ପଡ଼ାର ରବୀଚନ୍ଦ୍ର ଶତପଥୀଙ୍କ ସ୍ତ୍ରୀଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ ଲୁଟେରା। ସ୍ବାମୀ ସ୍ତ୍ରୀ ଏକ ରେଷ୍ଟୁରାଣ୍ଟରୁ ଖାଇ କୋଶଳ କଳାମଣ୍ଡଳ ପଡ଼ିଆକୁ ‘ବଲାଙ୍ଗୀର ଦିନ’ କାର୍ଯ୍ୟକ୍ରମ ଦେଖିବାକୁ ସ୍କୁଟିରେ ରାସ୍ତାରେ ଆସୁଥିବା ବେଳେ ଏକ ବାଇକ୍ରେ ଲୁଟେରା ଆସି ବେକରୁ ଚେନ୍ ଛିଣ୍ଡାଇ ପଳାଇଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ସୋନପୁର ଅଞ୍ଚଳରୁ ଜଣେ ପେସାଦାର ଲୁଟେରାଙ୍କୁ ଗିରଫ କରିଛି। ଲୁଟେରା ଜଣକ ହେଲେ ବିଶ୍ୱଜିତ୍ ନନ୍ଦ (୨୭)। ତାଙ୍କ ପାଖରୁ ସୁନାର ମଙ୍ଗଳସୂତ୍ର ଉଦ୍ଧାର କରିଛି ପୋଲିସ। ତା’ ସହିତ ସ୍ପିଡ୍ ବାଇକ୍ ମଧ୍ୟ ଜବତ କରିଛି। ଲୁଟେରା ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି। ପ୍ରଫେଶନାଲ ଲୁଟେରାକୁ ଧରିବାରେ ସଫଳ ହୋଇଛି ଟାଉନ୍ ପୋଲିସ। ପୋଲିସ ଲୁଟେରାଙ୍କୁ ନେଇ ସିନ୍ ରିକ୍ରିଏଶନ କରିବା ପରେ କୋର୍ଟକୁ ପଠାଇଥିବା ଜଣାପଡ଼ିଛି। ଦମ୍ପତି ସୁନା ଚେନ୍ ପୋଲିସଠାରୁ ପାଇବା ପରେ ଖୁସି ହୋଇ ବଲାଙ୍ଗୀର ଟାଉନ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

