ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ ନାଳର ଘାଇ ହୁଡ଼ା ଭାଙ୍ଗିଯିବା ଫଳରେ ବୁଡୁରୁଙ୍ଗୁ, ଶିଶୁଣ୍ଡା ଏବଂ ଦିହୁଡି ବଞ୍ଜର ଅଞ୍ଚଳର ଶହଶହ ହେକ୍ଟର ଚାଷଜମି ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଅମଳ ସମୟରେ ପାଣି ଘେରରେ ଫସଲ ନଷ୍ଟ ହେବା ଆଶଙ୍କାରେ ସ୍ଥାନୀୟ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ନାତୁଣୀ ନାଳରେ ୧୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଏହାଦ୍ୱାରା ଜିରାବାଡ଼ି, ଛାମୁଣ୍ଡା ଏବଂ ବୁଗୁଡ଼ା ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ଏବଂ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଖବର ପାଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ ନିୟୋଜିତ ଅତିରିକ୍ତ ଉପଜିଲାପାଳ ତୁଲିଆମ୍ମା ପ୍ରଧାନ, ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

