ନୂଆଦିଲ୍ଲୀ,୨୦।୧୧: ବ୍ୟକ୍ତିଙ୍କ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଆଧାର କାର୍ଡକୁ କେବଳ ଏକମାତ୍ର ଆଧାର ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ କର୍ମଚାରୀଙ୍କ ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଶ୍ରମ ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ‘ଜେଜେ ଇଲେକ୍ଟ୍ରୋନିକ୍ସ’ ଦ୍ୱାରା ଦାଖଲ ଏକ ଆବେଦନକୁ ଖାରଜ କରିବା ସମୟରେ ଜଷ୍ଟିସ୍ ମନୋଜ ଓହ୍ରି ଏହି ପର୍ଯ୍ୟବେକ୍ଷଣ କରିଛନ୍ତି।
କୋର୍ଟ କହିଛନ୍ତି, ଆଧାର ଆଇନ, ୨୦୧୬ ଅନୁଯାୟୀ ଆଧାର ନମ୍ବରକୁ କେବଳ ପରିଚୟର ପ୍ରମାଣ ଭାବେ ମାନ୍ୟତା ଦିଆଯାଇଛି। ଏହାକୁ ଜନ୍ମତାରିଖର ପ୍ରମାଣ ଭାବେ ଗ୍ରହଣ କରିବା ପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ମାମଲାଟି ଜଣେ ମହିଳା କର୍ମଚାରୀଙ୍କ ଚାକିରି ସମାପ୍ତ କରାଯିବା ସହ ଜଡ଼ିତ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନିଯୁକ୍ତିଦାତା ୨୦୧୭ରେ ତାଙ୍କୁ ବେଆଇନ ଭାବେ ଚାକିରିରୁ ବାହାର କରିଦେଇଥିଲେ। ତେବେ ନିଯୁକ୍ତିଦାତାଙ୍କ ଯୁକ୍ତି ଥିଲା ଯେ ସେ ୫୮ ବର୍ଷର ଅବସର ବୟସରେ ପହଞ୍ଚି ସାରିଥିଲେ। ଏଥିପାଇଁ ତାଙ୍କ ଆଧାର କାର୍ଡରେ ଥିବା ଜନ୍ମତାରିଖ ୨୦ ମେ ୧୯୫୯କୁ ଆଧାର କରାଯାଇଥିଲା।
ଅନ୍ୟପକ୍ଷରେ ମହିଳାଙ୍କ କହିବା ଅନୁସାରେ, କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ର ରେକର୍ଡରେ ତାଙ୍କ ଜନ୍ମତାରିଖ ୨୦ ମେ ୧୯୬୦ ରହିଛି। ଏହି ହିସାବରେ ୨୦୧୭ରେ ସେ ଅବସର ବୟସରେ ପହଞ୍ଚି ନ ଥିଲେ।

