ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, କଳା, ପ୍ରେମ ଓ ଭୌତିକ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ଖୁବଶୀଘ୍ର ଶୁକ୍ର ଦେବ ନିଜର ଚଳନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ପଞ୍ଜିକା ଗଣନା ଅନୁଯାୟୀ, ୨୨ ନଭେମ୍ବର ୨୦୨୬ରେ ଶୁକ୍ର ଗ୍ରହ ନିଜର ନୀଚ ରାଶି କନ୍ୟାରୁ ବାହାରି ସୱରାଶି ତୁଳାରେ ପ୍ରବେଶ କରିବେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୌଣସି ଗ୍ରହ ନିଜ ସ୍ବରାଶିକୁ ଫେରିଲେ ତାହା ଅଧିକ ଶକ୍ତିଶାଳୀ ସ୍ଥିତିରେ ରହିଥାଏ। ତେଣୁ ତୁଳା ରାଶିରେ ଶୁକ୍ରଙ୍କ ଏହି ଗୋଚରକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ଗୋଚର ୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଜାରି ରହିବ।
ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିବ ବୋଲି ଜ୍ୟୋତିଷ ମତ ରହିଛି। କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଧନ, ସମୃଦ୍ଧି ଓ ସୁଖସୁବିଧାର ଯୋଗ ସୃଷ୍ଟି ହୋଇପାରେ। ଅନ୍ୟ କେତେକ ରାଶିର ଲୋକଙ୍କୁ ସମ୍ପର୍କ, ଆର୍ଥିକ କାରବାର ଓ କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ।
ମୀନ ରାଶିର ଅଷ୍ଟମ ଭାବରେ ଶୁକ୍ରଙ୍କ ଗୋଚର ହେବା କାରଣରୁ ହଠାତ୍ ହେଉଥିବା ଖର୍ଚ୍ଚ ଓ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ। ଏହି ସମୟରେ ମାନସିକ ଚାପ ବଢ଼ିପାରେ। ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ ଏବଂ କର୍ମକ୍ଷେତ୍ରରେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।
ବିଛା ରାଶିର ଦ୍ୱାଦଶ ଭାବରେ ଶୁକ୍ରଙ୍କ ଗୋଚର ଅନାବଶ୍ୟକ ଖର୍ଚ୍ଚ ବଢ଼ାଇପାରେ। ସୁଖସୁବିଧା ଓ ଦେଖାଣିଆ ଜୀବନଶୈଳୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କଲେ ବଜେଟ ବିଗିଡ଼ିପାରେ। ଏହି ସମୟରେ ବଡ଼ ନିବେଶ ସମ୍ପର୍କିତ ନିଷ୍ପତ୍ତିକୁ ଟାଳିବା ସହ ଆର୍ଥିକ କାରବାରରେ ସ୍ବଚ୍ଛତା ରଖନ୍ତୁ।

