ଓ୍ବେଲିଂଟନ୍,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟର୍ କେଏଲ ରାହୁଲ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ସେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି। ଯେଉଁ ସଫଳତା ନିଜ ଟେଷ୍ଟ କ୍ୟାରିୟରରେ ଓପନର୍ ଭାବେ ବୀରେନ୍ଦ୍ର ସେହ୍ବାଗ ହାସଲ କରିପାରି ନ ଥିଲେ, ତାହା ରାହୁଲଙ୍କ ନାମରେ ଯୋଡ଼ି ହୋଇଛି। ତୃତୀୟ ଦିନରେ ତାଙ୍କ ପାଖରେ ଆଉ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ରୁ ଅଧିକ ରନ୍ର ପାଳି ଖେଳିବା ସହ କେଏଲ ରାହୁଲ SENA ଦେଶରେ ସେହି ଦେଶଗୁଡ଼ିକର ସମସ୍ତ ଦଳ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓପନର୍ ହୋଇଛନ୍ତି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମାଟିରେ ସେ ପୂର୍ବରୁ ଶତକ ହାସଲ କରିସାରିଛନ୍ତି। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ସେ ଏହି ବିରଳ ରେକର୍ଡ ନିଜ ନାମରେ କରିଛନ୍ତି।
SENA ଦେଶ କହିଲେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ବୁଝାଏ। ଏଠାରେ ଓପନର୍ ଭାବେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି। ବୀରେନ୍ଦ୍ର ସେହ୍ବାଗ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମାଟିରେ ଟେଷ୍ଟ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ଶତକ ମାରିଥିଲେ, କିନ୍ତୁ ସେହି ପାଳିରେ ସେ ଓପନିଂ କରିନଥିଲେ। ନ୍ୟୁଜିଲାଣ୍ଡ ମାଟିରେ ତାଙ୍କ ବ୍ୟାଟ୍ର ଶତକ ତ ଦୂରର କଥା, ଅର୍ଦ୍ଧଶତକ ମଧ୍ୟ ଆସି ନ ଥିଲା। ଏବେ ରାହୁଲ ଓପନର୍ ଭାବେ ଏହି ସଫଳତା ହାସଲ କରିଛନ୍ତି।
ଏସୀୟ ଟେଷ୍ଟ ଓପନରଙ୍କ ମଧ୍ୟରେ SENA ଦେଶ ବିପକ୍ଷରେ ସର୍ବାଧିକ ୫୦ରୁ ଅଧିକ ରନ୍ର ପାଳି ଖେଳିବା ତାଲିକାରେ ରାହୁଲ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୩ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରିଛନ୍ତି। ଏହି ତାଲିକାରେ ୧୯ଟି ୫୦+ ସ୍କୋର ସହ ସୁନୀଲ ଗାଭାସ୍କର ଶୀର୍ଷରେ ରହିଛନ୍ତି। ରାହୁଲ ଏହି ଉପଲବ୍ଧି ସହ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କୁ ପଛରେ ପକାଇଛନ୍ତି। କରୁଣାରତ୍ନେଙ୍କ ନାମରେ SENA ଦେଶରେ ୧୨ଟି ୫୦+ ସ୍କୋର ରହିଛି।
ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ କେଏଲ ରାହୁଲ ୧୧୬ଟି ବଲ୍ରୁ ୫୨ ରନ କରି ଅପରାଜିତ ରହିଥିଲେ। ତାଙ୍କ ପାଳିରେ ୫ଟି ଚୌକା ସାମିଲ ରହିଛି। ତୃତୀୟ ଦିନରେ ସେ ନିଜ ଶତକ ପୂରଣ କରିବାକୁ ଲକ୍ଷ୍ୟ ରଖିବେ। ଯଦି ସେ ଏହି ଶତକ ହାସଲ କରନ୍ତି, ତେବେ SENA ଦେଶରେ ଟେଷ୍ଟ ଶତକ ମାରିଥିବା ପ୍ରଥମ ଭାରତୀୟ ଓପନର୍ ହେବାର ଗୌରବ ଅର୍ଜନ କରିବେ। ଏହି ବଡ଼ ଉପଲବ୍ଧିଠାରୁ ସେ ମାତ୍ର ୪୮ ରନ ଦୂରରେ ଅଛନ୍ତି।
Dharitri – Odisha’s No.1 Odia Daily

