ପାପ ସମସ୍ତଙ୍କର

ଗତ କିଛିଦିନ ହେବ କ୍ରସ୍‌ଭୋଟିଂ (କୌଣସି କାରଣରୁ ପ୍ରଭାବିତ ହୋଇ ଅନ୍ୟ ଦଳକୁ ଭୋଟ ଦେବା), ଡିଫେକ୍ସନ (ନିର୍ବାଚିତ ହୋଇଥିବା ଦଳକୁ ଛାଡ଼ି ଅନ୍ୟତ୍ର ଯିବା) ଓ ହର୍ସ ଟ୍ରେଡିଂ (ଘୋଡ଼ା ବେପାର) ଭଳି ଶବ୍ଦ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହି ଅନୈତିକ କାର୍ଯ୍ୟ ଏକ ବିଚିତ୍ର ମାନସିକତା ପ୍ରଦର୍ଶନ କରିଥାଏ। ରାଜନୀତିରେ ଜନସେବା ଏବଂ ଦେଶର ଚିନ୍ତା କରିବା ପରିବର୍ତ୍ତେ ଯେତେବେଳେ ଅନ୍ୟ ଆକର୍ଷଣ ଜୋର୍‌ ଧରେ ସେତେବେଳେ ସମ୍ପୃକ୍ତ ନିର୍ବାଚିତ ପ୍ରତିନିଧି ନିଜର ବିଶ୍ୱାସକୁ ଜଳାଞ୍ଜଳି ଦେଇ କେବଳ ସ୍ବାର୍ଥ ଓ ସୁବିଧାକୁ ଦେଖିଥାଏ। ଏଭଳି ଚରିତ୍ର ଏବେ ଅଧିକ ବ୍ୟାପକ ହେଉଥିବାର ପ୍ରମାଣ ସବୁଆଡ଼େ ମିଳୁଛି।
ନିକଟରେ ରାଜ୍ୟ ସଭା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ହିମାଚଳ ପ୍ରଦେଶରେ କ୍ରସଭୋଟିଂ ହେବାରୁ କଂଗ୍ରେସ ପାଖରେ ଆବଶ୍ୟକ ସଦସ୍ୟ ଥିଲେ ମଧ୍ୟ ତା’ର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଗ୍‌ଭି ହାରିଯାଇଥିଲେ। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ। ଉଲ୍ଲେଖ କରାଯାଇପାରେ ଯେ, ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ଓ ୩ ସ୍ବାଧୀନ ବିଧାୟକଙ୍କୁ ନେଇ ସରକାର ଥିବା ବେଳେ ଭାଜପା ପାଖରେ ଥିଲା ମାତ୍ର ୨୫ ସଦସ୍ୟ। କଂଗ୍ରେସର ୬ ଓ ୩ ସ୍ବାଧୀନ ବିଧାୟକଙ୍କୁ ନେଇ ଭାଜପା ରାଜ୍ୟ ସଭା ନିର୍ବାଚନକୁ ଗୋଳମାଳିଆ କରିଦେଲା।
ଉପରଲିଖିତ ଘଟଣା ଭାରତୀୟ ରାଜନୀତିରେ ନୂଆ ନୁହେଁ। ହେଲେ ଏହି ଧାରା ଜାରି ରହିବା ଗଣତନ୍ତ୍ର ପାଇଁ ଅସ୍ବାସ୍ଥ୍ୟକର। ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ବିରୋଧୀଶୂନ୍ୟ ଶାସନ କରିବାକୁ ଚେଷ୍ଟା କରୁଛି। ଘୋଡ଼ା ବେପାର ଯେଉଁଠି ସମ୍ଭବ ହେଉ ନାହିଁ ବା ବିରୋଧୀଙ୍କ ସଂଖ୍ୟା ଭାଙ୍ଗିବା ଲାଗି ସଫଳ ନ ହେଲେ, ସେମାନଙ୍କୁ ଦମନ କରିବା ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପଛରେ ଲଗାଇ ଦିଆଯାଉଛି। ଫଳରେ ସେମାନେ ଭୟଭୀତ ହୋଇଯାଉଛନ୍ତି। ଆଜିର ପରିସ୍ଥିତିରେ ଅଧିକାଂଶ ରାଜନୈତିକ ବ୍ୟକ୍ତିଙ୍କର ଭିନ୍ନ ରୋଜଗାର ପନ୍ଥା ରଖିବା ଆବଶ୍ୟକ ହୋଇପଡୁଛି। ରାଜନୀତି ବ୍ୟତୀତ ଅନ୍ୟ ବାଟରେ ରୋଜଗାର କରିପାରିଲେ ଏହି ବ୍ୟକ୍ତିମାନେ ବଞ୍ଚିପାରିବେ। ଯେତେ ପ୍ରଚାର କରାଗଲେ ମଧ୍ୟ ବିଧାୟକ ଏବଂ ସାଂସଦମାନଙ୍କୁ ମିଳୁଥିବା ଦରମା ତୁଳନାରେ ସେମାନଙ୍କର ନିର୍ବାଚନମଣ୍ଡଳୀ ପାଇଁ ଖର୍ଚ୍ଚ ଦଶ ଗୁଣା ହୋଇଥାଏ। ଯେଉଁ ନିର୍ବାଚିତ ପ୍ରତିନିଧି ସହିତ ବ୍ୟବସାୟିକ ବନ୍ଧୁ ବା ପରିବାର ରହି ନ ଥିବେ ସେଭଳି ବ୍ୟକ୍ତି ତିଷ୍ଠିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ଦେଖିବାକୁ ଗଲେ ଭାରତର ସବୁ କ୍ଷମତାସୀନ ରାଜନୈତିକ ଦଳ ମଧ୍ୟ ଦୁର୍ନୀତି କରିବା ପାଇଁ ବାଧ୍ୟ ହୋଇ ନିଜର ବ୍ୟବସାୟିକ ଗୋଷ୍ଠୀକୁ ଅହେତୁକ ଅନୁଗ୍ରହ ଦେଖାଇଥାନ୍ତି। ଏହା ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ମଧ୍ୟ ପୂର୍ବରୁ ସିବିଆଇକୁ ‘କଂଗ୍ରେସ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ’ ଆଖ୍ୟା ଦେଇଥିଲେ। ଏବେ ପାଲଟା ପରିସ୍ଥିତିରେ ସେହି ଲୋକମାନେ ସିବିଆଇ, ଇଡି ଏବଂ ଇନ୍‌କମ୍‌ ଟ୍ୟାକ୍ସ ଭଳି ତଦନ୍ତକାରୀ ଓ ଦୁର୍ନୀତି ନିରୋଧୀ ସଂସ୍ଥାକୁ ନିଜର ରାଜନୈତିକ ଫାଇଦା ପାଇଁ ଖୋଲାଖୋଲି ଓ ଅତ୍ୟଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ସମ୍ଭବତଃ ଏହି ଲୋକମାନେ ଯେତେବେଳେ କ୍ଷମତାରୁ ଯିବେ ତାଙ୍କର ଓ ତାଙ୍କ ସହଯୋଗୀ ବ୍ୟବସାୟୀଙ୍କ ବିରୋଧରେ ପରବର୍ତ୍ତୀ ସରକାର ଏହି ସଂସ୍ଥାଗୁଡ଼ିକୁ ଲଗାଇବାକୁ ପଛଘୁଞ୍ଚା ଦେବେନାହିଁ। ଏହା ସତ୍ୟ ଯେ ରାଜନୀତି କରୁଥିବା ସବୁ ଦଳକୁ ନିର୍ବାଚନ ବେଳେ କଳାଧନ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ପୂର୍ବରୁ ତାହା କଂଗ୍ରେସ କରୁଥିଲା। ଏବେ ଭାଜପା ମଧ୍ୟ ସେଇଆ କରୁଛି। ଅର୍ଥାତ୍‌ ଯିଏ ଆସିଲା ସିଏ ସେହି ଗାତରେ ମୁଣ୍ଡପୋତି ପଡ଼ିଲା। କେତୋଟି ଦଳରେ ଅନେକ ରାଜନେତା ନିଜ ନିଜର ରୋଜଗାର କରିଥାନ୍ତି। ଆଉ କେତୋଟି ଦଳରେ କେବଳ ମୁଖ୍ୟ ଲୋକ ସବୁ ଅର୍ଥ ଠୁଳ କରି ଅନ୍ୟମାନଙ୍କୁ ସମୟ ଆସିଲେ ଖଟେଇ ଥାଆନ୍ତି। ତେବେ ପାପ ସମସ୍ତଙ୍କର ଏକପ୍ରକାର। ଏମାନଙ୍କ ମଧ୍ୟରୁ କେହି ଭଲ ଖରାପ ବାଛିପାରିବେ ନାହିଁ। ସାଧାରଣ ଲୋକ ନିଶାରେ କିଛିଦିନ କାହା ପଛରେ ଧାଇଁଥାନ୍ତି। ନିଶା ଛାଡ଼ିଗଲେ ମୋହ ଛାଡ଼ିଯାଏ। ପୁନର୍ବାର ନିଶା ହେଲେ ଆଉ କାହା ପଛରେ ଦୌଡ଼ି ଥାଆନ୍ତି। ଦୌଡ଼ିବା ହେଉଛି ଜନସାଧାରଣଙ୍କ ଭାଗ୍ୟ।
ଏବେ ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କୁ ଡରାଇ, ଧମକାଇ କିମ୍ବା ଅର୍ଥ ଲାଳସା ଦେଖାଇ ଏପଟ ସେପଟ କରିଦିଆଯାଇ ପାରିଛି। ଏହା କାହାର ଦୋଷ ବୋଲି କହିବା କଷ୍ଟକର। କାରଣ ନିଜ ସୁବିଧା ପାଇଁ କିଛି ଲୋକ ଦେଉଥିବା ବେଳେ ସେହିଭଳି ଅନ୍ୟ କିଛି ଲୋକ ନେଉଛନ୍ତି। ଯଦି ଘୁଷ୍‌ ଦେବାକୁ କେହି ନ ଥିବେ ପୃଥିବୀରେ କେହି ଘୁଷ୍‌ ନେଇପାରିବେ ନାହିଁ। ଆଜିର ଭାରତୀୟ ରାଜନୈତିକ ନେତାଙ୍କ ଚରିତ୍ର ସ୍ପଷ୍ଟ ଭାବେ ସାଧାରଣ ଲୋକଙ୍କ ଚରିତ୍ରକୁ ଦର୍ଶାଉଛି। ଆମ ଭିତରେ ଥିବା ଲୋଭ ଏବଂ ଭୟ ଉଭୟ ଆମ ନେତାମାନଙ୍କ ମନରେ ରହିଛି। ରାଜନେତାମାନେ ସ୍ବର୍ଗରୁ ଖସିନାହାନ୍ତି କିମ୍ବା ସେମାନଙ୍କୁ ଭଗବାନଙ୍କ ଆଖ୍ୟା ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri