ଇସଲାମାବାଦ,୧୦ ।୪: ପାକିସ୍ତାନରେ ଶନିବାର ରାତି ଅଧରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଂସଦରେ ଇମ୍ରାନ ଖାଁଙ୍କ ବିରୋଧରେ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଏହି ସମୟରେ ଇମ୍ରାନ ଖାଁ ପରାଜୟ ସ୍ୱୀକାର କରିଥିଲେ । ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ମିଳିଥିଲା । ଭୋଟିଂ ପ୍ରକ୍ରିୟାରେ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ଭାଗ ନେଇ ନ ଥିଲା । ଅନ୍ୟପଟେ ଏହି ଭୋଟିଂ ପରେ ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ଆବାସ ଛାଡି ଚାଲିଯାଇଛନ୍ତି । ପିଟିଆଇ ସାଂସଦ ଫୈସଲ ଜାଭେଦ କହିଛନ୍ତି ସେ ଶାଳିନତାର ସହ ବିଦା ହୋଇଛନ୍ତି ହେଲେ ନଇଁ ନାହାନ୍ତି ।
ଏବେ ପ୍ରଧାନମନ୍ତ୍ରୀ ନିର୍ବାଚନ ସୋମବାର ହେବ । ତେବେ ଇମ୍ରାନ ଖାଁଙ୍କ ବିରୋଧରେ ଏକଜୁଟ ହୋଇଥିବା ବିରାଧୀ ପୂର୍ବରୁ ଶହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ବାଛି ସାରିଛନ୍ତି କହିଲେ ଚଳେ । ତେଣୁ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ହେବେ ।
ଶହବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଓ ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ଅଧ୍ୟକ୍ଷ ରହିଛନ୍ତି । ଅବିଶ୍ୱାସ ପ୍ରସ୍ତାବ ଜିତିବା ପରେ ଶହବାଜ ସଂସଦରେ କହିଥିଲେ କି ଆଜି ଦ୍ୱିତୀୟ ଥର ପାଇଁ ସମ୍ବିଧାନ ଓ ଆଇନର ପାକିସ୍ତାନ ହେଲା । ଆମେ କାହାଠାରୁ ପ୍ରତିଶୋଧ ନେବୁନାହିଁ, ଆମେ କାହାପ୍ରତି ଅନ୍ୟାୟ କରିବୁ ନାହିଁ, ନିର୍ଦ୍ଦୋଶୀଙ୍କୁ ଜେଲ ପଠାଇବୁ ନାହିଁ, ଆଇନ ତା କାମ କରିବ । ଆମେ ବିଲାୱଲ ଭୁଟ୍ଟୋ ଓ ମୌଲାନା ଫଜଲୁର(ମେଣ୍ଟ ଦଳର ନେତା)ଙ୍କ ସହ ମିଶି କାମ ସରକାର ଚଳାଇବୁ ।