ଦ୍ୱିତୀୟ ସାମ୍ମୁଖ୍ୟ

ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସୁଛି। ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ତରିକାରେ ଭୋଟରଙ୍କ ପାଖରେ ପହଞ୍ଚିବା ସକାଶେ ଉଦ୍ୟମ ଜୋରଦାର କଲେଣି। ଭାଜପା ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଆସନ୍ତାବର୍ଷ ଦଶନ୍ଧି ରାଜୁତି ସାରି ଆଗକୁ ବଢ଼ିବା ପାଇଁ ପାଗ ଭିଡ଼ୁଥିବା ବେଳେ କଂଗ୍ରେସ ତା’ର ଗତିରୋଧ କରିବା ସକାଶେ ଅଣ୍ଟା ଭିଡ଼ିଛି। ଗଣତନ୍ତ୍ରରେ ପରିବର୍ତ୍ତନ ନ ଆସି ଦୀର୍ଘ ଶାସନ ରହିଲେ, ତାହା ପ୍ରଜାମାନଙ୍କ ପାଇଁ କାଳ ହୋଇଥାଏ ବୋଲି କୁହାଯାଇଥାଏ। ଛତିଶଗଡ଼ର ରାୟପୁରଠାରେ କଂଗ୍ରେସର ୮୫ତମ ମହାଅଧିବେଶନରେ ସୋନିଆ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଉପଲକ୍ଷ୍ୟ କରି ଦେଇଥିବା ମନ୍ତବ୍ୟ ଏବେ ଆଲୋଚନାର ବିଷୟ ହୋଇଛି। ସେ କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଘୃଣାର ନିଆଁ ଜାଳି ସଂଖ୍ୟାଲଘୁ, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରୁଛି। ଭାଜପା-ଆର୍‌ଏସ୍‌ଏସ୍‌ ଶାସନ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଅକ୍ତିଆର କରିନେଇଛନ୍ତି। ତେଣୁ ଧର୍ମନିରପେକ୍ଷ ଓ ସମାଜବାଦୀ ଶକ୍ତି ମିଶିପାରିଲେ ଭାଜପାର ଗତିରୋଧ କରାଯାଇପାରିବ ବୋଲି ସେ ଯେଉଁ ଆହ୍ବାନ ଦେଇଛନ୍ତି, ତାହାର ପ୍ରାସଙ୍ଗିକତା ରହିଛି ବୋଲି ଅନେକେ ମତ ଦେଉଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ‘ଏକ’ ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଯେତେବେଳେ ଆଦାନୀଙ୍କ ସହ ମୋଦିଙ୍କର କି ସମ୍ପର୍କ ଅଛି ବୋଲି ପ୍ରଶ୍ନ କରାଯାଉଛି, ସେତେବେଳେ ସମଗ୍ର ସରକାର ଆଦାନୀଙ୍କୁ ସୁରକ୍ଷା ଦେବାକୁ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ତେବେ ମହାଅଧିବେଶନରେ କଂଗ୍ରେସ କର୍ମୀ ଓ ନେତାମାନେ ଉତ୍ସାହିତ ଥିବା ଦେଖାଯାଉଥିବାରୁ ଏହା ଏକ ସଙ୍କେତ ଦେଉଛି ଯେ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ପରେ ଏହି ପୁରୁଣା ଦଳ ଭିତରେ ଏକ ଶକ୍ତି ସଞ୍ଚରିତ ହୋଇଛି। ମାତ୍ର ସେହି ଶକ୍ତିକୁ ମହାଶକ୍ତିରେ ରୂପାନ୍ତରିତ କରାଯାଇ ନ ପାରିଲେ ଭାଜପା ଭଳି ବଡ଼ ଆକାର ଧାରଣ କରିଥିବା ଦଳକୁ ସହଜରେ ପ୍ରତିହତ କରାଯାଇପାରିବ ନାହିଁ। ଗତ କିଛି ବର୍ଷ ହେବ ଦେଖାଯାଉଛି, ନିର୍ବାଚନ ଆସିଲେ ଏକ ତୃତୀୟ ସାମ୍ମୁଖ୍ୟ ବିଷୟରେ ଚର୍ଚ୍ଚା ହୋଇଥାଏ। ସେହି ସାମ୍ମୁଖ୍ୟ ସମାଜବାଦୀ ଓ ଧର୍ମନିରପେକ୍ଷ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଦଳଗୁଡ଼ିକୁ ନେଇ ଗଢ଼ି ଉଠିଥାଏ। ଏହାଦ୍ୱାରା ଉଭୟ କଂଗ୍ରେସ ଓ ଭାଜପାକୁ ଦୂରେଇ ରଖିବାର ଉଦ୍ୟମ ହେଉଥିଲା। ଏବେ କିନ୍ତୁ ତୃତୀୟ ପରିବର୍ତ୍ତେ ଦ୍ୱିତୀୟ ସାମ୍ମୁଖ୍ୟ ଚିନ୍ତା ହେଉଛି ବୋଲି କହିହେବ। ଏମାନେ ସମସ୍ତେ ଭାଜପା ବିଶେଷକରି ମୋଦିଙ୍କ ବିରୋଧରେ ଏକଜୁଟ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହା ଏକ ମୌଳିକ ତ୍ରୁଟି ବୋଲି କୁହାଯାଇପାରେ। ମୌଳିକ ତ୍ରୁଟି ଏଇଥିପାଇଁ କୁହାଯାଇପାରେ ଯେ, ଏମାନେ ରାଜନୈତିକ ଦୃଷ୍ଟିକୋଣରୁ ଯଦି କ୍ଷମତା ପାଇଁ ଏକଜୁଟ ହେବେ ତାହା ହେଲେ ଦେଶବ୍ୟାପୀ ବୁଲି କେବଳ ମୋଦିଙ୍କ ବିରୋଧରେ ଗର୍ଜନ କରିବେ। ଫଳରେ ମୋଦିଙ୍କ ନାମ ଦେଶବ୍ୟାପୀ ଗୁଞ୍ଜରିତ ହେବ। ତାହା ଦ୍ୱାରା ମୋଦିଙ୍କୁ ଲାଭ ପହଞ୍ଚତ୍ବ। ତେଣୁ ବୁଦ୍ଧିର କଥା ହୁଅନ୍ତା, ଯଦି ବିଗତ ଦଶନ୍ଧିରେ ଦେଶର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ଯେଉଁଭଳି କ୍ଷତି ପହଞ୍ଚାଯାଇଛି; ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇପାରନ୍ତା।
ଆଜିର ରାଜନୈତିକ ଦଳଗୁଡ଼ିକର ରଣକୌଶଳ ପୂର୍ବାପେକ୍ଷା ଯଥେଷ୍ଟ ତୀବ୍ର ଓ ତୀକ୍ଷ୍ଣ ହେଉଥିବା ଦେଖାଯାଉଛି। ଭାଜପା ବର୍ଷତମାମ ନିର୍ବାଚନରେ ଜିତିବା ଲାଗି ଅନେକ ଭଙ୍ଗାଗଢ଼ା କରୁଥିବାରୁ ସେଥିରୁ ପ୍ରେରଣା ପାଇ ଅନ୍ୟ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳର ଲକ୍ଷ୍ୟ ଥାଏ କିଭଳି ଶାସନ ଅକ୍ତିଆର କରିବା। ତାହାକୁ ଖୁଣି ହେବ ନାହିଁ। କିନ୍ତୁ ସେହି ଲକ୍ଷ୍ୟ ଭିତରେ ନାଗରିକଙ୍କ ମଙ୍ଗଳ ନିହିତ ରହିବା ଆବଶ୍ୟକ। କେନ୍ଦ୍ରରେ ଭାଜପା ସରକାର କେବଳ ଦଳ ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେଉଥିବାରୁ ତାହା ଜନସାଧାରଣଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କିନ୍ତୁ ଭାରତରେ ହିନ୍ଦୁଙ୍କ ମନରେ ଗଭୀର ଚେର ସୃଷ୍ଟି କରିଥିବା ମୁସଲମାନ ବିରୋଧୀ ଚିନ୍ତାକୁ ଭାଜପା ଅତି ଭଲ ଭାବେ ରାଜନୈତିକ ମୋଡ଼ ଦେଇ ବ୍ୟବହାର କରିପାରିଛି। ଏହାକୁ ଏକଜୁଟ ହେଉଥିବା ଦଳଗୁଡ଼ିକ ଠିକ୍‌ ଭାବେ ନିରୀକ୍ଷଣ କରିବା ଦରକାର।
ଏବେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ମଧ୍ୟ ତାହାକୁ ସୁଧାରିବା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରୁ ନାହିଁ। ସେହିଭଳି ଶିଳ୍ପପ୍ରୀତି, ଧର୍ମ ଓ ଜାତି ଭିତରେ ଅସହିଷ୍ଣୁତା ସୃଷ୍ଟି କରାଯାଇ ଯେଉଁ ବିଭାଜନ ରାଜନୀତି ହେଉଛି, ତାହା ଦେଶର ବିଭିନ୍ନ କ୍ଷେତ୍ରରେ ଅସ୍ବାଭାବିକ ସ୍ଥିତି ଆରମ୍ଭ କରିଦେଇଛି। ୨୬ ଫେବୃୟାରୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଫନ୍ଦିଫିକର କରି ଗିରଫ କରାଯିବା ସଦ୍ୟ ଦୃଷ୍ଟାନ୍ତ। ଏଭଳି ସ୍ଥଳେ ଉତ୍ତମ ଶାସନ ଲାଗି ନାଗରିକମାନେ ଭଲ ଭାବେ ହୃଦ୍‌ବୋଧ କରୁଥିବା ପ୍ରାର୍ଥୀଙ୍କୁ ବାଛିବା ଦରକାର। ଅନ୍ୟପକ୍ଷରେ ଏଇଠି କୁହାଯାଇପାରେ ଯେ, ଉପା-୧ ଓ ଉପା-୨ ସରକାର ଅମଳରେ କଂଗ୍ରେସର ବିଶୃଙ୍ଖଳିତ ବ୍ୟବହାର ଓ ଦୁର୍ନୀତି ଦଳକୁ ଶାସନଠାରୁ ଦୀର୍ଘ ବର୍ଷ ହେବ ଦୂରେଇ ରଖିଛି। ତେଣୁ କଂଗ୍ରେସ ସମେତ ଅନ୍ୟସବୁ ଅଣଭାଜପା ଦଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ବୁଝି ନିଜର ରଣକୌଶଳ ପ୍ରସ୍ତୁତ କଲେ ଦେଶ ପାଇଁ ମଙ୍ଗଳ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri