ଏଫ୍‌ବିଆଇ ବି ପଲିଟିକାଲ ହୋଇପାରେ

ସହଦେବ ସାହୁ

 

ଇଂଲଣ୍ଡ, ଇସ୍ରାଏଲ ଭଳି ଗଣତାନ୍ତ୍ରିକ ଦେଶରେ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ବି ଆଇନଭଙ୍ଗ ଦୋଷରେ ଦଣ୍ଡିତ କରିଥାଏ। କାରଣ ସେଠାରେ ସାଂସଦମାନେ ଓ ସେମାନଙ୍କ ପ୍ରଭାବରେ ସ୍ବଳ୍ପକାଳୀନ ଏକଜିକ୍ୟୁଟିଭ୍‌ (ପ୍ରଶାସନିକ) ହେଡ୍‌ ଅର୍ଥାତ୍‌ ପାଞ୍ଚବର୍ଷୀୟ ମନ୍ତ୍ରୀମାନେ ସେମାନଙ୍କ ଅଧୀନରେ କାମ କରୁଥିବା ସ୍ଥାୟୀ ଅଧିକାରୀମାନଙ୍କୁ ଆଇନର ଶାସନ ଚଳାଇବାକୁ ଛାଡ଼ିଦିଅନ୍ତି। ସୁଇଡେନ୍‌, ନରୱେ, ଫିନ୍‌ଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶରେ ପ୍ରଧାନମନ୍ତ୍ରୀମାନେ ନିଜ ଦଳରେ ବି ସଂଖ୍ୟାଗରିଷ୍ଠତା ଉପରେ ନିର୍ବାଚିତ ହୁଅନ୍ତି, ଦଳ ଭିତରେ ବିପରୀତ ଚିନ୍ତାର ସଦସ୍ୟ ରହିପାରନ୍ତି; ହେଲେ ପ୍ରଧାନମନ୍ତ୍ରୀ ଯାହା କହିବେ ତାହା ବେଦର ଗାର ହୁଏ ନାହିଁ। ନିଜର ଅକ୍ଷମତା ସ୍ବୀକାର କରି ନ୍ୟୁଜିଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ ନିକଟରେ ପଦତ୍ୟାଗ କରିଛନ୍ତି। ରାଷ୍ଟ୍ରପତିପ୍ରଧାନ ଗଣତାନ୍ତ୍ରିକ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ରେ ସଂଘୀୟ ବ୍ୟବସ୍ଥା ଥିବାରୁ ଆମ ଦେଶ ଭଳି ପ୍ରାଦେଶିକ ଓ କେନ୍ଦ୍ରୀୟ ସରକାର ଭିତରେ ଦଳଗତ ମତଭେଦ ବେଳେ ବେଳେ ବିଶୃଙ୍ଖଳା ଆଣେ, କିନ୍ତୁ ୟୁଏସ୍‌ଏରେ କାଳକ୍ରମେ ଶୃଙ୍ଖଳା ଆସିଯାଏ। କିନ୍ତୁ ଆମ ଦେଶରେ ପ୍ରତି କଥା ଓ ପ୍ରତି କାମ ଭିତରେ ରାଜନୀତି (ଖରାପ ଅର୍ଥରେ ପଲିଟିକ୍ସ) ପଶୁଛି। ସରକାରୀ ଅଧିକାରୀମାନେ ଆଉ ରେଗୁଲେଟୋରି ଅଥରିଟି ନ ହୋଇ ରେଗୁଲେଟେଡ୍‌ ସେବକ ହୋଇଯାଉଛନ୍ତି। ଆମ ପ୍ରଦେଶରେ ଗୋପାଳ ଦାସ ନାମକ ଜଣେ ପୋଲିସ ଏଏସ୍‌ଆଇଙ୍କ ଗୁଳିରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏମିତି ପଲିଟିକାଲ ହୋଇଗଲାଣି ଯେ ବିରୋଧୀଙ୍କ ଦାବିରେ ରାଜ୍ୟ ସରକାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ)କୁ ତଦନ୍ତ ଭାର ଦେବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ଲେଖିଛନ୍ତି। ଫଳ କ’ଣ ହେବ ସମୟ କହିବ।
ଏଫ୍‌ବିଆଇ ଯେ ପଲିଟିକାଲ ହୋଇପାରେ ତାହା ସଦ୍ୟ ଏକ ଖବର କହୁଛି। ୨୧ ଫେବୃୟାରୀ ୧୯୬୫ରେ ସିଭିଲ ରାଇଟ୍ସ ନେତା, ନାଗରିକ ଅଧିକାର ଆନ୍ଦୋଳନର ପ୍ରବକ୍ତା ମାଲକମ୍‌ ଏକ୍ସ (୩୯ବର୍ଷ) ନ୍ୟୁୟର୍କର ୱାଶିଂଟନ ହ୍ବାଇଟ୍ସ ପଡ଼ାରେ ଥିବା ଅଡିଟୋରିୟମରେ ଭାଷଣ ଦେବାକୁ ଯାଉଥିଲା ବେଳେ ୩ ଜଣ ବନ୍ଧୁକଧାରୀ ଅତି କମ୍‌ରେ ୨୧ ଥର ଗୁଳିମାରି ତାଙ୍କୁ ହତ୍ୟା କରିଥିଲେ। ଏଫ୍‌ବିଆଇ, ନ୍ୟୁୟର୍କ ପୋଲିସ ଓ ସିଆଇଏ ଦୋଷାରୋପ ପତ୍ର ଦାଏର କଲେ ଓ ବର୍ଷକ ଭିତରେ ୧୯୬୬ରେ ରାୟ ବାହାରିଲା (ଆମ ଦେଶରେ ୧୦ ବର୍ଷ କି ବେଶି ନେଇଥାନ୍ତା!) ଯେ ଦୁଇଜଣ ଦଣ୍ଡିତ ହୋଇଥିଲେ। ମାଲକମ୍‌ ଏକ୍ସ ‘ଅର୍ଗାନାଇଜେଶନ ଅଫ୍‌ ଆଫ୍ରୋଆମେରିକାନ୍‌ ୟୁନିଟ୍‌’ ନାମକ ସଂଗଠନ ଗଢ଼ି ତା’ ବିଷୟରେ କହିବା ପାଇଁ ନ୍ୟୁୟର୍କସ୍ଥ ଅଡୁବନ୍‌ ହଲ୍‌ରେ ପ୍ରସ୍ତୁତ ହେଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ସେ ଇସଲାମ୍‌ ଧର୍ମ ଗ୍ରହଣ କରିଥିଲେ ଏବଂ କୃଷ୍ଣକାୟମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ୟମ ଜାରି ରଖିଥିଲେ। ମାଲକମ୍‌ ବର୍ଣ୍ଣବିଦ୍ୱେଷକୁ ନିନ୍ଦା କରୁଥିଲେ, ଶ୍ୱେତାଙ୍ଗମାନଙ୍କୁ ‘ନୀଳଆଖିଆ ରାକ୍ଷସ’ କହୁଥିଲେ, କୃଷ୍ଣକାୟଙ୍କ ସମାଜକୁ ଅଲଗା କରି ସ୍ବତନ୍ତ୍ର ଦେଶ ଗଠନ ଚାହୁଁଥିଲେ। ତେଣୁ ଆମେରିକାନ୍‌ ପୋଲିସ ତାଙ୍କୁ ସଫା କରିଦେବାକୁ ଚାହୁଁଥିଲା ବୋଲି ଏବେ ଜନରବ। କିନ୍ତୁ ପୋଲିସ ରିପୋର୍ଟ ହେଲା ଯେ ସେ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠିଲା ବେଳେ ଦର୍ଶକମାନଙ୍କ ଭିତରେ ହଇଚଇ ଶୁଭିଲା, ଜଣେ ଲୋକ ଷ୍ଟେଜ୍‌ ଉପରକୁ ଦଉଡ଼ି ଯାଇ ମାଲକମ୍‌ ଏକ୍ସଙ୍କୁ ଗୁଳି ମାରିଲା। ପରେ ପରେ ଆଉ ଦୁଇ ଜଣ ମଞ୍ଚ ଉପରକୁ ଉଠି ଗୁଳି ମାରିଥିଲେ, ମୋଟ ୨୧ଟା ଗୁଳି। ଟମାସ୍‌ ହାଗାନ୍‌ (ଅନ୍ୟ ନାମ ମୁଜାହିଦ୍‌ ଅବଦୁଲ ହଲିମ୍‌) ନାମକ ଜଣେ ବ୍ୟକ୍ତିଙ୍କୁ ଜଣେ ବଡିଗାର୍ଡ ଗୁଳିମାରି ଧରିପକାଇଲେ, ସେ ଗୁଳି କରିଛି ବୋଲି ମାନିଗଲା, ତାକୁ ଆଜୀବନ ଜେଲ୍‌ ହେଲା। ବଟଲର କି ଜନସନ କାହା ନାଁରେ ଅଭିଯୋଗ ସହ ସମ୍ପୃକ୍ତି ସିଧାସଳଖ ନ ଥିଲେ ବି ସେମାନେ ଦଣ୍ଡିତ ହେଲେ।
୧୯୭୭ରେ (୧୧ବର୍ଷ ପରେ) ନାସନ୍‌ ଅଫ୍‌ ଇସ୍‌ଲାମ ନେତା ଏଲିଜା ମହମ୍ମଦଙ୍କ ପ୍ରଶଂସକ ଶ୍ରୀ ହେୟର କହିଲେ ଯେ ‘ନାସନ୍‌ ଅଫ୍‌ ଇସ୍‌ଲାମ’ (ନେୱାର୍କ ଶାଖା)ର ମେମ୍ବର ଦ୍ୱୟ ମେ’ ୧୯୬୪ରେ ମାଲକମ୍‌ଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ବିଚାରକୁ ଅଣାଯାଇ ନାହିଁ, ନିରୀହ ଲୋକଙ୍କୁ ଦଣ୍ଡ ଦିଆଯାଇଛି। ୨୦୨୦ରେ ନେଟ୍‌ ଫିକ୍ସ ଡକ୍ୟୁମେଣ୍ଟାରି ସିରିଜରେ ଗୋଟିଏ ଡକ୍ୟୁମେଣ୍ଟାରି ଥିଲା ‘ମାଲକମ୍‌ ଏକ୍ସଙ୍କୁ କିଏ ମାରିଲା’। ତାକୁ ଦେଖି ନ୍ୟୁୟର୍କ ଡିଷ୍ଟ୍ରିକ୍ଟ ଆଟର୍ନି ଅଫିସ୍‌ ପୁରୁଣା ନଥି ଖୋଲିଲା, ନୂଆ ଇନ୍‌ଭେଷ୍ଟିଗେଶନ୍‌ ଚାଲୁ କଲା। ମାଲକମ୍‌ ସମ୍ପର୍କରେ ତଥା ସିଭିଲ୍‌ ରାଇଟ୍ସ ମୁଭ୍‌ମେଣ୍ଟ ଉପରେ ଇତିହାସ ଲେଖୁଥିବା ଅବଦୁର ରହମାନ ମହମ୍ମଦ ନୂଆ ପ୍ରମାଣ ବାହାର କଲେ, ଲେସ୍‌ ପେଇନେ ନାମକ ଜଣେ ଅନିସନ୍ଧିତ୍ସୁ ସାମ୍ବାଦିକ ଖବର ପରିବେଷଣ କଲେ ଯେ ପ୍ରକୃତ ଆତତାୟୀମାନେ ନେୱାର୍କର ମସ୍‌ଜିଦର ସଦସ୍ୟ ଥିଲେ, ହାର୍‌ଲେମ ମସ୍‌ଜିଦର ନୁହେଁ। ଜନଜାଗରଣ ହୋଇସାରିଥିଲା। ସିଆଇଏ(ଆମେରିକାର ଗୋଇନ୍ଦା ସଂସ୍ଥା) ଓ ଏଫ୍‌ବିଆଇ ଲୋକେ ଭୁଲ ପ୍ରମାଣ ଯୋଗାଇଛନ୍ତି ବୋଲି ଲୋକଙ୍କ ଧାରଣା ହେଲା ଓ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ପାଟି ହେଲା। ମାନହାଟ୍ଟାନ ଡିଷ୍ଟ୍ରିକ୍ଟ ଆଟର୍ନି ସାଇରସ୍‌ ଭାନ୍ସ (ଜୁନିୟର୍‌) ପୁରୁଣା ଦଣ୍ଡାଦେଶର ପୁନର୍ବିଚାର ଦାବି କରି କୋର୍ଟରେ ଦରଖାସ୍ତ ପେଶ୍‌ କଲେ। ଆମ ଦେଶରେ ସରକାରୀ ଓକିଲ (ପ୍ରସିକ୍ୟୁଟର) କେବେ ନିଜ ଅଫିସର ଦୋଷ ସ୍ବୀକାର କରି କୋର୍ଟରେ ପୁନର୍ବିଚାର ପାଇଁ ଦରଖାସ୍ତ କରିବେ? ଆମର ସବୁ ସଂସ୍ଥା ତ ପଲିଟିକାଲ! ଶାସକ ଦଳର ସମର୍ଥକ ନ ହେଲେ ସରକାର କୌଣସି ଆଡ୍‌ଭୋକେଟଙ୍କୁ ସରକାରୀ ଓକିଲ ନିଯୁକ୍ତି ଦେବେ ନାହିଁ! ଏବେ ମାର୍କିନ୍‌ ଲୋକେ କହୁଛନ୍ତି- ପୋଲିସ, ଏଫ୍‌ବିଆଇ ଓ ସିଆଇଏ ‘ମାଲକମ୍‌ ଏକ୍ସ’ଙ୍କୁ ଜଣେ ବିପଜ୍ଜନକ ବ୍ଲାକ୍‌ (କୃଷ୍ଣକାୟ) ବୋଲି ମନେକରୁଥିଲେ। ତେଣୁ ତାଙ୍କୁ ସଫା କରିଦେବାର ଷଡ଼ଯନ୍ତ୍ର ଭିଆଇ ଥିଲେ। ୧୯୫୩ ମାର୍ଚ୍ଚରୁ ଏଫ୍‌ବିଆଇ ମାଲକମ୍‌ ଏକ୍ସ ନାଁରେ ଫାଇଲା ଖୋଲିଥିଲା ଓ ତାଙ୍କ ଉପରେ ନଜର ରଖିଥିଲା। ୧୯୬୪ ଜୁନ ୬ରେ ଏଫ୍‌ବିଆଇ ଡାଇରେକ୍ଟର ଜେ. ଏଡ୍‌ଗାର ହୁଭର୍‌(୧୯୭୨ରେ ମୃତ) ନ୍ୟୁୟର୍କ ଏଫ୍‌ବିଆଇ ଅଫିସକୁ ଚିଠି ଲେଖିଲେ ଯେ ମାଲକମ୍‌ ବଡ ବିପଦ ସୃଷ୍ଟି କଲାଣି, କିଛି ଗୋଟାଏ କର। ପୋଲିସ୍‌ ଆଉ ଏଫ୍‌ବିଆଇ ଅଣ୍ଡର୍‌କଭର୍‌ ଅଫିସର ବି ବରାଦ କରିଦେଲେ। ନ୍ୟୁୟର୍କର ସରକାରୀ ଓକିଲ (ଆଟର୍ନି) କୋର୍ଟକୁ ଏମିତି ଏକ ଷଡ଼ଯନ୍ତ୍ର ଜଣାଇ ମକଦ୍ଦମାର ପୁନର୍ବିଚାର ଚାହିଁଲେ। କୋର୍ଟ ଜେଲ୍‌ ଭୋଗୁଥିବା ଅଭିଯୁକ୍ତମାନଙ୍କୁୁ ନିର୍ଦ୍ଦୋଷ ବୋଲି ଖଲାସ କଲେ ଓ ସେମାନଙ୍କୁ ନ୍ୟୁୟର୍କ ରାଜ୍ୟ ସରକାର ୨୬ ମିଲିୟନ ଡଲାର କ୍ଷତିପୂରଣ ଦିଅନ୍ତୁ ବୋଲି ବି ଆଦେଶ ଦେଲେ।
ମାଲ୍‌କମ୍‌ ହତ୍ୟା ସ୍ଥାନରେ ଏବେ ଏକ ମେମୋରିଆଲ କରାହୋଇଛି, ସେହିଠାରେ ତାଙ୍କ ମୃତ୍ୟୁବାର୍ଷିକୀ ପାଳନ ଅବସରରେ ଫେବୃୟାରୀ ୨୧(୨୦୨୩)ରେ ତାଙ୍କ ଝିଅ ଇଲିଶା ସାବାଜ୍ଜ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି – ତାଙ୍କ ପରିବାର ସତ କଥାକୁ ପଦାକୁ ଆଣିବାକୁ ବର୍ଷ ବର୍ଷ ଧରି ଲଢେଇ କରିଆସିଛି। ଗୁଳିକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ରକାରୀ ପୋଲିସ ଅଧିକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯାଉ ଏବଂ ତାଙ୍କ ପରିବାରକୁ ସରକାର ୧୦ କୋଟି ଡଲାର କ୍ଷତିପୂରଣ ଦିଅନ୍ତୁ ବୋଲି ସେ ନାଲିସ୍‌ କରିବେ। ସିଭିଲ୍‌ ରାଇଟ୍ସ ଓକିଲ ବେନ୍‌ କ୍ରମ୍ପ ମଧ୍ୟ ସମର୍ଥନ କରିଛନ୍ତି। ଆତତାୟୀ ସରକାରୀ ପ୍ରାୟୋଜିତ ହୋଇଥିବାରୁ ଏଫ୍‌ବିଆଇ, ନ୍ୟୁୟର୍କ ପୋଲିସ ଓ ସିଆଇଏ ନାଁରେ ୧୦ କୋଟି ଡଲାର କ୍ଷତିପୂରଣ ନାଲିସ୍‌ କରିବାକୁ ଇଲିଶା ସାବାଜ୍ଜ ସଜବାଜ ହେଉଛନ୍ତି। ଏପରି ଅଭିଯୋଗ ନବକିଶୋର ଦାସଙ୍କ କ୍ଷେତ୍ରରେ ଉଠିବା ଅସମ୍ଭବ ନୁହେଁ! କିନ୍ତୁ ପଲିଟିକାଲ ପେଞ୍ଚ ତାକୁ ରୋକିପାରେ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri