ହାଇଦ୍ରାବାଦ,୧୫।୧୦: ଭାରତୀୟ କ୍ରିକେଟ ଦଳର ଉଇକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବିସ୍ଫୋରକ ବ୍ୟାଟିଂ। ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍ରେ ମାତ୍ର ୨୩ ବଲ୍ରେ ୫୬ ରନ୍ର ଦମ୍ଦାର ଇନିଂସ ଖେଳିଛନ୍ତି ସଞ୍ଜୁ।ଏହି ପାଳି ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ୧୦୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି ସେ। ଏହି ସଫଳତା ହାସଲ କରିବାରେ ସେ ଷଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ସମ୍ମୁଖରେ ୨୪୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଲକ୍ଷ୍ୟର ପିଛା କରିବାକୁ ଯାଇ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଭାରତକୁ ଦମ୍ଦାର ଆରମ୍ଭ ଦେଇଥିଲେ। ସଞ୍ଜୁ ମାତ୍ର ୨୩ ବଲ୍ରେ ୫୬ ରନ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଏହି ୪ଟି ଛକା ସହ ସେ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଛକାର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।
ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ରୋହିତ ଶର୍ମା ଶୀର୍ଷରେ ରହିଛନ୍ତି।
– ରୋହିତ ଶର୍ମା ୨୦୫ ଛକା
– ସୂର୍ଯ୍ୟକୁମାର ଯାଦବ ୧୭୯ ଛକା
– ଅଭିଷେକ ଶର୍ମା ୧୪୨ ଛକା
– ହାର୍ଦ୍ଦିକ ପାଣ୍ଡ୍ୟା ୧୨୬ ଛକା
– ବିରାଟ କୋହଲି ୧୨୪ ଛକା
– ସଞ୍ଜୁ ସାମସନ ୧୦୨ ଛକା
ଏହି ମ୍ୟାଚ୍ରେ ସଞ୍ଜୁ ସାମସନ ମାତ୍ର ୨୦ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଏହା ତାଙ୍କର ଦ୍ରୁତତମ ଅର୍ଦ୍ଧଶତକ ସହ ସମକକ୍ଷ ପ୍ରଦର୍ଶନ। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ୨୦ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
Dharitri – Odisha’s No.1 Odia Daily

