ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ ହେଉଛନ୍ତି ପ୍ରଥମ କଶ୍ମୀରୀ ଯେ କି ୨୦୦୯ରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରିଥିଲେ। ଜମ୍ମୁ ଓ କଶ୍ମୀରର କୁପଓ୍ବାରା ଜିଲା ସୋଗମ ଅଞ୍ଚଳରେ ଜନ୍ମିତ ଫୈଜଲଙ୍କ ପିତା ଥିଲେ ଜଣେ ଶିକ୍ଷକ। ଆତଙ୍କବାଦୀମାନେ ତାଙ୍କ ପିତାଙ୍କୁ ୨୦୦୨ରେ ହତ୍ୟା କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ଏହା ସତ୍ତ୍ୱେ ପାଠପଢ଼ାରେ ମନୋନିବେଶ କରି ସେ ଶୈର-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରୁ ଏମ୍‌ବିବିଏସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଥମ ପଦାର୍ପଣରେ ସେ ସିଭିଲ ସର୍ଭିସ ପରୀକ୍ଷା ଦେଇ ଟପ୍ପର ହୋଇଥିଲେ। ଜଣେ ମେଧାବୀ ଛାତ୍ର ଭାବେ ଫୈଜଲ କ୍ୟାରିୟର ଗଢ଼ିଥିଲେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଅଶାନ୍ତ ସ୍ଥିତି ଦେଖି ସିଭିଲ ସର୍ଭିସ ଭଳି ଏକ ଆକର୍ଷଣୀୟ ଚାକିରି ଛାଡ଼ି ଲୋକଙ୍କ ସେବା କରିବା ସକାଶେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ। ବର୍ତ୍ତମାନ ସେ ରାଜନୀତି ବିମୁଖ ହୋଇପଡ଼ିଛନ୍ତି। ଏହା ମଧ୍ୟ ଆଲୋଚନା ହେଲାଣି ଯେ, ସେ ଖୁବ୍‌ଶୀଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରେ ଯୋଗଦେଇ କାର୍ଯ୍ୟ କରିବେ। ଅତୀତରେ ସୋସିଆଲ ମିଡିଆରେ ସେ କରିଥିବା ଅନେକ ପୋଷ୍ଟ୍‌ ଉପରେ ତଦନ୍ତ ଚାଲିିଥିବାରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିଲା। ତେଣୁ ଫୈଜଲ ସିଭିଲ ସର୍ଭିସରେ ପୁନଶ୍ଚ ଯୋଗଦେବା ଆଶା ଉଜ୍ଜୀବିତ ହୋଇଛି।
ଫୈଜଲ ଅଚାନକ ରାଜନୀତି ଛାଡ଼ିବା ନେଇ କାହିଁକି ନିଷ୍ପତ୍ତି ନେଲେ ବୋଲି ଅନେକେ ଭାବିବା ସ୍ବାଭାବିକ। ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇ ଆସୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସେଠାକାର ନେତାମାନଙ୍କୁ ଗୃହବନ୍ଦୀ ଓ ଅଟକ କରି ରଖାଯାଇଥିଲା। ଏବେ ମଧ୍ୟ ଅନେକ ନେତା ଅଟକ ରହିଛନ୍ତି। ଫୈଜଲ ତୁର୍କୀ ଯାଉଥିବା ବେଳେ ୧୪ ଅଗଷ୍ଟରେ ତାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଫେବୃୟାରୀ ୨୦୨୦ରେ ତାଙ୍କ ବିରୋଧରେ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ଗିରଫ କରାଯାଇଥିଲା। ୩ ଜୁନ୍‌ରେ ତାଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ତା’ ପର ଦିନଠାରୁ ଗୃହବନ୍ଦୀରେ ଅଛନ୍ତି। ଜନସେବାକୁ ଓହ୍ଲାଇଥିବା ବ୍ୟକ୍ତି ଏତେ ସଂଘର୍ଷ କରିଥିଲେ ମଧ୍ୟ ଅଚାନକ ରାଜନୀତି କାହିଁକି ଛାଡ଼ିଲେ ଏଠାରେ ବସି କହିବା କଷ୍ଟକର। କାରାଗାରରେ ଥିବାବେଳେ ସବୁ କଶ୍ମୀର ନେତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିବ। କିନ୍ତୁ ଫୈଜଲ ଭାଙ୍ଗିପଡ଼ିଲେ। ରାଜନୀତି କରିବା ଏକ ସହଜ କାର୍ଯ୍ୟ ନୁହେଁ। ଦୂରରୁ ଛିଡ଼ାହୋଇ ସମାଲୋଚନା କରିବା କିମ୍ବା ଅଣ୍ଡାମାଡ଼ କରିବା ଅତ୍ୟନ୍ତ ସହଜ। ବ୍ୟବସ୍ଥା ଭିତରେ ରହି ଲୋକଙ୍କୁ ସାଙ୍ଗରେ ରଖିବା ଅତ୍ୟନ୍ତ କଷ୍ଟକର। ସବୁ ଗଣତାନ୍ତ୍ରିକ ଦେଶରେ ରାଜନୀତି ପାଇଁ ସାଧାରଣ ନାଗରିକଙ୍କ ମନରେ ବିତୃଷ୍ଣାଭାବ ଥାଏ। କ୍ଷମତାରେ ଥିବା ବ୍ୟକ୍ତିଙ୍କ ପାଇଁ କେତେକ କୁହାଳିଆ ସମର୍ଥକ ବାହାରୁଥିବା ବେଳେ ବିରୋଧରେ ମଧ୍ୟ ଅନେକ ବ୍ୟକ୍ତି ଥାଆନ୍ତି। କିନ୍ତୁ କଶ୍ମୀର ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଭିନ୍ନ ହୋଇଯାଇଛି। ସେଠାକାର ନେତାଙ୍କୁ ଗିରଫ କରିବା ସହିତ ଦୀର୍ଘଦିନ କର୍ଫ୍ୟୁ ଲାଗିରହିଥିବା ହେତୁ ସବୁ ରାଜନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ଦେଶର ଅନ୍ୟ ଅଞ୍ଚଳ ଭଳି ପୋଲିସ ନୁହେଁ, ସେନା ଦ୍ୱାରା ଶାସନ କରାଯାଉଛି। କଥା ନାହିଁ, କେବଳ ଗୁଳି। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ସଙ୍କୁଚିତ ହୋଇଯାଇଛି। ଏଭଳି ଭୟର ବାତାବରଣରେ ଗଣତନ୍ତ୍ରର ଚେର ଶୁଖିବାରେ ଲାଗିଛି। ଗୋଟେପଟେ ଅଶାନ୍ତ କଶ୍ମୀର ଶାନ୍ତି ଫେରିପାଇ ନ ଥିବା ବେଳେ ଗଣତାନ୍ତ୍ରିକ କାର୍ଯ୍ୟ ବନ୍ଦ ହୋଇଯିବା ଦ୍ୱାରା ଏକ ବିପଜ୍ଜନକ ପରିସ୍ଥିତି ଆଡ଼େ ମୁହଁ।ଇଛି। ଯେତେବେଳେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଯିବ ସେତେବେଳେ ଲୋକଙ୍କ କଥା କହିବା ପାଇଁ କେହି ରହିବେ ନାହିଁ। ଏଭଳି ସ୍ଥିତିରେ ଗୋଟିଏ ପଟେ ବାହାର ଦେଖାଣିଆ ଶାନ୍ତି ସ୍ଥାପନ ହୋଇଥିବା ବେଳେ ଭିତିରିଆ ଭାବେ ଆନ୍ଦୋଳନାତ୍ମକ ମାନସିକତା ବୃଦ୍ଧି ପାଇବ। ଯେତେବେଳେ ଦୃଶ୍ୟ ରାଜନୈତିକ ନେତୃତ୍ୱର ଅଭାବ ହେବ ସେତେବେଳେ ଅଦୃଶ୍ୟ ନେତୃତ୍ୱ ଦ୍ୱାରା ଜନସାଧାରଣ ପରିଚାଳିତ ହେବେ। ଏଠାରେ ପୃଥିବୀର ଇତିହାସକୁ ଦେଖାଯାଇପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନ ନେତା ଆଡ୍‌ଫ ହିଟଲର ଫ୍ରାନ୍ସଠାରୁ ନେଇ ସୋଭିଏଟ୍‌ ୟୁନିୟନ୍‌ ରାଜଧାନୀ ମସ୍କୋ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିଲେ। ସାମରିକ ଶକ୍ତି ଦ୍ୱାରା ସବୁ ଦେଶର ରାଜନେତାମାନଙ୍କୁ ହତ୍ୟା ବା ବନ୍ଦୀ କରିଦିଆଯାଇଥିଲା। କିନ୍ତୁ ସାଧାରଣ ଲୋକଙ୍କ ମନରେ କୁହୁଳୁଥିବା କ୍ରୋଧର ନିଆଁ ହିଟଲରଙ୍କୁ ଅଳ୍ପ କେତେବର୍ଷ ମଧ୍ୟରେ ଜାଳିଦେଇଥିଲା।
କଶ୍ମୀର ନେତାମାନଙ୍କୁ ସବୁ କ୍ଷେତ୍ରରୁ ଦୂରେଇ ଦେଲେ ସେହି ଅଞ୍ଚଳରେ କେଉଁ ପରିସ୍ଥିତି ସୃଷ୍ଟି ହେବ ଏବେ କହିବା କଷ୍ଟକର। ଫୈଜଲଙ୍କ ଭଳି ଶିକ୍ଷିତ ବ୍ୟକ୍ତି ରାଜନୀତିରେ ରହି ଏଭଳି ମାରାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ନିଜ ରାଜ୍ୟକୁ ଦୂରେଇ ରଖି ପାରିଥାନ୍ତେ। କିନ୍ତୁ ସମ୍ଭବତଃ ଅନେକ ସିନେମା ଦେଖି ପ୍ରଭାବିତ ହୋଇଥିବା ଫୈଜଲ ଭାବିଥିବେ ଯେ ବନ୍ଦୀ ସମୟରେ ତାଙ୍କୁ ଅନେକ ଲକ୍ଷ ଲୋକ ଆସି ଭେଟିଥାଆନ୍ତେ। ଅସୁବିଧାରେ ପଡ଼ିଥିବା ରାଜନେତାଙ୍କ ପାଖରେ ସାଧାରଣତଃ ଅଧିକାଂଶ ଲୋକ ରହନ୍ତି ନାହିଁ। ହୁଏତ ସେହି ଭିଡ଼ ନ ଦେଖିବାରୁ ଫୈଜଲଙ୍କ ମନ ଭାଙ୍ଗିଯାଇଛି। ଦୋହରାଇବାକୁ ଯାଇ ପୁଣି କୁହାଯାଇପାରେ ଯେ ରାଜନୀତି ସମସ୍ତଙ୍କ ପାଇଁ ନୁହେଁ। ଅନେକ ବ୍ୟକ୍ତି ଏଥିରେ ପ୍ରବେଶ କରି ଭଲ ସ୍ଥିତିରେ ରହିଗଲେ ପଦପଦବୀ ପାଇଯାଇଥାନ୍ତି। କିଛି ଠିକାଦାର ଓ କର୍ମୀ ମଧ୍ୟ ହାତେଇ ନେଇପାରନ୍ତି। କିନ୍ତୁ କଶ୍ମୀର ଭଳି ରାଜ୍ୟରେ ସେହି ଗତାନୁଗତିକ ରାଜନୀତି କରିବା ନିଶ୍ଚିତ ଭାବେ କଷ୍ଟକର। ସେଠାରେ ପ୍ରତ୍ୟେକ ପାଦରେ ମୃତ୍ୟୁର ଧ୍ୱନି ଶୁଣାଯାଇଥାଏ। ସେଥିପାଇଁ ସରକାରୀ ଚାକିରି ପ୍ରତି ଯୁବକ ସମୟରୁ ଆକୃଷ୍ଟ ହୋଇଥିବା ଫୈଜଲ ଏକ କଷ୍ଟ ଜୀବନ ସହିବା ପାଇଁ ପ୍ରସ୍ତୁତ ହୋଇ ନ ଥିବେ। ତେଣୁ ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ଛଡ଼ା ଅନ୍ୟ କିଛି ଚିନ୍ତା କରିବା କଥା ନୁହେଁ। ଏବେ ଫୈଜଲ ଜଣେ ଅମଲାତନ୍ତ୍ରୀ ଭାବେ ପଦପଦବୀ ସହିତ ସୁନ୍ଦର ଘର ଏବଂ ନୂଆ ଗାଡ଼ି ଖୋଜିବେ। ହୁଏତ ଜୀବନ ପାଇଁ ବିପଦ ଅଛି କହି ଦିଲ୍ଲୀରେ ପୋଷ୍ଟିଂ ନେଇପାରନ୍ତି। କଶ୍ମୀର ଅଫିସର ହୋଇଥିବାରୁ ତାଙ୍କୁ ଆଜୀବନ ବ୍ଲାକ୍‌କ୍ୟାଟ୍‌ ସୁରକ୍ଷା ସୁନିଶ୍ଚିତ ହୋଇଯିବ। ଏହାପରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବା ରାଜନେତାଙ୍କ ଭଲ କାର୍ଯ୍ୟକୁ ସମୀକ୍ଷା କରିବେ ଓ ନିଜ ଇଚ୍ଛାରେ କାର୍ଯ୍ୟ କରିବେ। ଏହା ହେଲା ଶାହା ଫୈଜଲ ଆଇଏଏସ୍‌ ଅଫିସରଙ୍କ ବିପ୍ଳବୀ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri