କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଏକ ସାମାଜିକ ସଙ୍କଟ

ଡ. ମନୋରଞ୍ଜନ ପ୍ରଧାନ

 

ମନେପଡ଼ୁଛି ପିଲାବେଳେ ଜେଜେମାଆଙ୍କ କୋଳରେ ବସି ଶୁଣିଥିବା ବ୍ରହ୍ମ ରାକ୍ଷସ କଥା। ଦିନେ ସକାଳୁ ସକାଳୁ ଗଁ। ମୁଣ୍ଡ ବିଶାଳ ବରଗଛର ଏକ ବିରାଟ ଶାଖା ମଡ଼ମଡ଼ ହୋଇ ଭାଙ୍ଗିପଡ଼ିଲା। ଶବ୍ଦ ଶୁଣି ଆମେ ଦୌଡ଼ିଲୁ। ସକାଳେ ସନ୍ଧ୍ୟାରେ ସେହି ଗଛମୂଳେ ଆମେ ଖେଳୁ। ହଠାତ୍‌ ପୁଆ(ଶାଖା)ଟି ଭାଙ୍ଗିଯିବାର କାରଣ ଜେଜେମାଆଙ୍କୁ ପଚାରିଲି। ସେ କହିଲେ ବ୍ରହ୍ମ ରାକ୍ଷସ ବସିପଡ଼ିଲା। ପଚାରିଲି ସେଇଟା କ’ଣ? ଯେଉଁମାନେ ଆତ୍ମହତ୍ୟା କରିଦିଅନ୍ତି, ଆୟୁଷ ସରିବା ଯାଏ ସେମାନଙ୍କ ଅତୃପ୍ତ ଆତ୍ମା ବ୍ରହ୍ମ ରାକ୍ଷସ ହୋଇ ଅଖିଆ ଅପିଆ ଏଣେତେଣେ ଘୂରି ବୁଲେ। ଆଉ ଯେଉଁଠି ବସେ ତାହା ଭାଙ୍ଗିଯାଏ। ତେଣୁ ଆତ୍ମହତ୍ୟା ମହାପାପ ଓ ମଣିଷ ଜନ୍ମ ପ୍ରତି ଅପମାନ। ଜେଜେମାଆଙ୍କ କଥାର ସତ୍ୟତା ଯାହା ହେଉନା କାହିଁକି ଆତ୍ମହତ୍ୟା ଯେ ମହାପାପ ଏ କଥା ପିଲାବେଳରୁ ଶିଖୁଥିଲୁ। ହେଲେ ଆଜି ଜେଜେ ମାଆ ବାପାଙ୍କ ପାଖରେ ବସି ଗପ ମାଧ୍ୟମରେ ନୈତିକତା ବିକାଶ ପାଇଁ ପିଲାଙ୍କ ବେଳ କାହିଁ? ତେଣେ ସାମ୍ପ୍ରତିକ ସମୟରେ ବୃଦ୍ଧାବସ୍ଥାରେ ଜେଜେଙ୍କୁ ଆଦର କେତେ ତାହା ସବୁ ଜାଣନ୍ତି। କିନ୍ତୁ କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଆଜି ମାନବ ସମାଜ ପାଇଁ ଏକ ମହାସଙ୍କଟ ରୂପେ ଦଣ୍ଡାୟମାନ।
କିଛିଦିନ ତଳେ ବିଶିଷ୍ଟ ସିନେ ତାରକା ତଥା ଉଦୀୟମାନ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶରେ ଆକ୍ରୋଶ ଓ ଆବେଗର କାରଣ ସାଜିଛି। ଏପଟେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଅକାଳ ଆତ୍ମହତ୍ୟା ଖବର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି। ଏଇ ଦୁଇ ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ଦିନଥିଲା ଆତ୍ମହତ୍ୟା ଭଳି ନିଷ୍ଠୁର ପାଶ୍ଚାତ୍ୟ ସଂସ୍କୃତିର ଦେଶଗୁଡ଼ିକରେ ନିତିଦିନିଆ ଘଟଣା ଥିଲା। ଏପରି କି ପାଶ୍ଚାତ୍ୟ ସଂସ୍କୃତିରେ ଆତ୍ମହତ୍ୟା କେବଳ ସାଧାରଣ ମଣିଷ ନୁହଁ ଅସାଧାରଣ ପ୍ରତିଭାମାନେ ମଧ୍ୟ ଏଭଳି ବାଟ ବାଛି ନେଇଥିବାର ଅନେକ ନଜିର ଅଛି। ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲ, ବିଖ୍ୟାତ ଐତିହାସିକ ତଥା ବାଗ୍ମୀ ଡେମୋଷ୍ଟିନିସ୍‌, କରାଳ ବିଶ୍ୱଯୁଦ୍ଧର ମହାନାୟକ ହିଟଲର, ପ୍ରଖ୍ୟାତ ଅଭିନେତା ରୋବିନ୍‌ ଓ୍ବିଲିୟମ, ଗାୟକ ଚେଷ୍ଟାର୍ଟନ୍‌ ପ୍ରମୁଖ ଉଦାହରଣ ମାତ୍ର। କୁହାଯାଏ ଡାଟନା, ମାର୍ଟିନ୍‌ ଲୁଥର, ଜେକେ ରାଓଲିଙ୍ଗ, କନ୍‌କୀଟ୍ସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଭାରତ ଭଳି ସଂସ୍କାର ଓ ସଂସ୍କୃତିସମ୍ପନ୍ନ ଦେଶରେ ଆତ୍ମହତ୍ୟା କ୍ୱଚିତ ପରିଦୃଷ୍ଟ ହେଉଥିଲା। କାରଣ ସନାତନ ସଂସ୍କୃତିରେ ଆତ୍ମହତ୍ୟା ମହାପାପ ଓ ଅପରାଧ। ଆମ ଶାସ୍ତ୍ର କହେ ଆତ୍ମହତ୍ୟା ପ୍ରେମମୟ, ମଙ୍ଗଳମୟ ସୃଷ୍ଟିର ସ୍ରଷ୍ଟାଙ୍କ ବିରୁଦ୍ଧରେ ଏକ ବିଦ୍ରୋହ। ଏହା ତାଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ଆତ୍ମହତ୍ୟାକାରୀ ଜଣେ ମହାପାପୀ; ଯାହାଙ୍କ ପାଇଁ ଶାନ୍ତି, ମୁକ୍ତି ଓ ମୋକ୍ଷ ଦୂରନ୍ତ ହୋଇଥାଏ। ଏପରି କି ଶାସ୍ତ୍ରାନୁଯାୟୀ ଆତ୍ମହତ୍ୟା ଓ କୃତଘ୍ନତା ହେଉଛି ଦୁଇ ମହାପାପ, ଯାହାର କୌଣସି ପ୍ରାୟଶ୍ଚିତ୍ତ ନାହିଁ ବୋଲି ଆମର ବିଶ୍ୱାସ। ତେଣୁ ପରାମର୍ଶ ଦିଆଯାଇଛି- ”ନ ଇଛିବ ମୃତ୍ୟୁ କେବେ, ନ ବଁ।ଛିବ ପରମାୟୁ ଭୋଗ/ପ୍ରତୀକ୍ଷା କରିବା କାଳ, ଭୃତ୍ୟ ଯେହ୍ନେ ପ୍ରଭୁର ନିଯୋଗ“।
ପରିତାପର ବିଷୟ କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ବର୍ତ୍ତମାନ ଆମ ସନାତନ ସଂସ୍କୃତି ଓ ଦର୍ଶନର ପବିତ୍ର କ୍ଷେତ୍ର ଭାରତକୁ ଆକ୍ରାନ୍ତ କଲାଣି। ଏହା ଈଶ୍ୱର ଓ ସମାଜ ପ୍ରତି ପିଶାଚିକ ଆହ୍ବାନ ଓ ଏକ ତରଫା ଲଢ଼େଇ ବା ଆକ୍ରମଣ ହୋଇଥିଲେ ହେଁ ସାଧାରଣରୁ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀମାନେ ଏଭଳି ପଳାୟନପନ୍ଥୀ ରାସ୍ତା ବାଛି ନେଉଛନ୍ତି, ଯାହା କି ମାନବ ସମାଜ ପାଇଁ ଏକ ଆହ୍ବାନ ଓ ଅଶୁଭ ସଙ୍କେତ ନିଶ୍ଚୟ। ଚିନ୍ତାଉଦ୍ରେକ କଥା ହେଉଛି ଜୀବନର ବିସ୍ଫୁରିତ ଆଲୋକ ଦେଖି ନ ଥିବା, ମଧୁରତାକୁ ଚାଖି ନ ଥିବା ତଥା ସିନ୍ଦୂରା ଫାଟି ନ ଥିବା ଯୁବତୀଯୁବକମାନେ ଆତ୍ମହତ୍ୟା ଭଳି କଠୋର ଓ ନିଷ୍ଠୁର ସହଜିଆ ବାଟ ବାଛିନେଇ ଏ ଦୁର୍ଲଭ ଜୀବନକୁ ଅନ୍ତ କରିଦେଉଛନ୍ତି। ଏହାଦ୍ୱାରା କେବଳ ଗୋଟିଏ ପରିବାର ଉଜୁଡ଼ି ଯାଏ ତାହା ନୁହେଁ, ଦେଶର ମାନବ ସମ୍ବଳର ଅଶେଷ କ୍ଷତି ହୁଏ। ଆଜି ଚାଷୀ ଆତ୍ମହତ୍ୟା, ଅସଫଳ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା, ଖେଳାଳିଙ୍କ ଆତ୍ମହତ୍ୟା, ନବବଧୂ ଆତ୍ମହତ୍ୟା, ବିଫଳ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ବିଶିଷ୍ଟ ବ୍ୟବସାୟୀ, ଉଚ୍ଚପଦସ୍ଥ ଅଧିକାରୀଙ୍କ ଆତ୍ମହତ୍ୟା ତଥା ରିଲ୍‌ ଓ ରିୟଲ ଲାଇଫ୍‌ର ନାୟକ ନାୟିକାଙ୍କ ଆତ୍ମହତ୍ୟା ଆମ ସାମାଜିକ ଜୀବନରେ ଆତଙ୍କର କାରଣ ସାଜିଛି। ପରିସଂଖ୍ୟାନ କହେ ବିଶ୍ୱରେ ବାର୍ଷିକ ଆଠଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତି। ସେଥିରୁ ଭାରତୀୟ ସଂଖ୍ୟା କୁଆଡ଼େ ଏକ ଲକ୍ଷ ପଞ୍ଚତିରିଶ ହଜାର। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ବାସ୍ଥ୍ୟ ପରିସଂଖ୍ୟାନ ୨୦୧୯ ଅନୁସାରେ ୨୦୧୬ ବେଳକୁ ଭାରତର ଆତ୍ମହତ୍ୟା ହାର ୧୭.୮, ଯାହା କି ବିଶ୍ୱ ଆତ୍ମହତ୍ୟା ହାର (୧୦.୫)ଠାରୁ ଯଥେଷ୍ଟ ଅଧିକ। ଅର୍ଥାତ୍‌ ସାରା ବିଶ୍ୱରେ ଏକ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୧୧ ଜଣ ଆତ୍ମହତ୍ୟା କରୁଥିବା ବେଳେ ଭାରତରେ ତାହା ପ୍ରାୟ ୧୮ ଜଣ। ଦୁଃଖର କଥା ଆତ୍ମହତ୍ୟା କରୁଥିବା ଅଧିକାଂଶ ବ୍ୟକ୍ତିଙ୍କ ବୟସ ୧୫ରୁ ୩୯ ବର୍ଷ।
ପ୍ରଶ୍ନଉଠେ ଯେଉଁମାନଙ୍କ ଉପରେ ନିଜର, ନିଜ ପରିବାରର ଓ ଦେଶର ଭାଗ୍ୟ ଓ ଭବିଷ୍ୟତ ନିର୍ଭରଶୀଳ, ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥାନ୍ତି କାହିଁକି? ଆତ୍ମହତ୍ୟାର କାରଣ କ’ଣ? ଏହାର କାରଣ ଏକ ନୁହେଁ, ଅନେକ ହୋଇପାରେ। ଏହା ବ୍ୟକ୍ତି ଆଧାରରେ ଭିନ୍ନ ହେଲେ ବି କେତେକ ସାଧାରଣ କାରଣ ଆଲୋଚନା କରାଯାଇପାରେ। ପ୍ରଥମତଃ ଅସହାୟତାବୋଧର କରୁଣ ଓ ଦାରୁଣ ପରିଣତି ଆତ୍ମହତ୍ୟା ହୋଇପାରେ। ଅର୍ଥାତ୍‌ ଯେତେବେଳେ ବ୍ୟକ୍ତି ସବୁଠାରେ ନିରାଶ ହୁଏ ଏବଂ ଭାବି ନିଏ ତା’ ପାଇଁ ସହାୟତାର ସବୁ ଦ୍ୱାର ବନ୍ଦ, ସେତେବେଳେ ସେ ଏଭଳି ଶେଷ ରାସ୍ତାର ପଥିକ ହୋଇଯାଏ। ଦ୍ୱିତୀୟତଃ ଅକୃତକାର୍ଯ୍ୟ ଉଚ୍ଚାଭିଳାଷର କରୁଣ ପରିଣତି ହୋଇପାରେ ଅତ୍ମହତ୍ୟା। ଅର୍ଥାତ୍‌ ନିଜ ଉଚ୍ଚ ଅଭିଳାଷକୁ ଚରିତାର୍ଥ କରି ନ ପାରି ମଣିଷ ଆତ୍ମହତ୍ୟାର ଶେଷ ଅସ୍ତ୍ର ନିଜକୁ ପ୍ରୟୋଗ କରି ସବୁ ଶେଷ କରିଦିଏ। ଏଥିପାଇଁ ଦୁଇଟି କାରଣ ହୋଇପାରେ ଯଥା- ବେଳେବେଳେ ବ୍ୟକ୍ତି ବିଭିନ୍ନ କାରଣବଶତଃ(ଯେପରି ଅନ୍ୟର ସଫଳତା ଦେଖି/ପିତାମାତାଙ୍କ ସ୍ବପ୍ନକୁ ସାକାର ନିଷ୍ପତ୍ତି, ଇତ୍ୟାଦି) ନିଜ ଶକ୍ତି, ସାମର୍ଥ୍ୟ ଓ ପ୍ରତିଭାଠାରୁ ଅଧିକ ଆଶା ଓ ଲକ୍ଷ୍ୟ ବାଛିନିଏ। ଯେତେବେଳେ ତା’ର ଈପ୍ସିତ ସ୍ବପ୍ନ ସାକାର ହୁଏ ନାହିଁ, ଆତ୍ମହତ୍ୟା ଭଳି ଦାରୁଣ ଓ କରୁଣ ପଥର ପଥିକ ହୋଇଯାଏ। ଅନ୍ୟପକ୍ଷରେ ସମସ୍ତ ଯୋଗ୍ୟତାର ଅଧିକାରୀ ହୋଇ ମଧ୍ୟ ବ୍ୟକ୍ତିକୁ କୌଣସି କାରଣହେତୁ ବାରମ୍ବାର ବିଫଳତାର ମୁହଁ ଦେଖିବାକୁ ପଡ଼େ। ଫଳତଃ ମଣିଷ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପଥାନୁସରଣ କରିଥାଏ। ତୃତୀୟତଃ ନିଜର ଅହଙ୍କାର, ପଦ ଓ କ୍ଷମତାରେ ଅନ୍ଧ ହୋଇ ମଣିଷ ଅନ୍ୟମାନଙ୍କୁ ଘୃଣା କରିବସେ। କିନ୍ତୁ ସବୁ ଚାଲିଯିବା ପରେ ଜୀବନର ଶେଷ ସମୟରେ ଏକାନ୍ତବାସରେ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା ଭଳି ଜଘନ୍ୟ ପାପ କରିବସେ। ଚତୁର୍ଥତଃ ସମ୍ପ୍ରତି ସମାଜରେ ଆତ୍ମହତ୍ୟାର ମୁଖ୍ୟ କାରଣ ନୈରାଶ୍ୟବୋଧ, ଭୋଗେଚ୍ଛା ଓ ଈଶ୍ୱର ବିଶ୍ୱାସବୋଧର ଅଭାବ ହୋଇପାରେ। କିନ୍ତୁ ସର୍ବୋପରି ଆତ୍ମହତ୍ୟା ଜଣେ ବ୍ୟକ୍ତିର ମାନସିକ ବିକାର ଓ ବିକୃତିର ନିଦର୍ଶନ ନିଶ୍ଚୟ। ତେବେ ମାନବ ସମ୍ବଳ ଓ ସମାଜର ନିର୍ମମ ଶତ୍ରୁ ଆତ୍ମହତ୍ୟା କବଳରୁ ଆଜିର ଯୁବପିଢ଼ି ମୁକୁଳିବେ କିପରି?
ଆତ୍ମହତ୍ୟା ଭଳି କଠୋର ଓ ନିଷ୍ଠୁର ଅକର୍ମରୁ ବଞ୍ଚତ୍ବା ପାଇଁ ଆତ୍ମନିରୀକ୍ଷଣ, ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା, ଉତ୍ତମ ପୁସ୍ତକ, ସ୍ବାଧ୍ୟାୟ, ସତସଙ୍ଗ, ପିତାମାତା ଓ ଗୁରୁଜନଙ୍କ ସମୟୋପଯୋଗୀ ପରାମର୍ଶ ଓ ଉପବେଶନ, କୁଅଭ୍ୟାସ, ଅତିଶୟ ଲୋଭ ଓ ଲାଭଖୋର ମନୋବୃତ୍ତିରୁ ଦୂରେଇ ରହିବା, ନିଜ ଦକ୍ଷତା, ଯୋଗ୍ୟତା ଓ ସାମର୍ଥ୍ୟ ଆଧାରରେ ଲକ୍ଷ୍ୟ ନିର୍ଦ୍ଧାରଣ, ଅତିଶୟ ବସ୍ତୁବାଦୀ ଚିନ୍ତାଧାରରୁ ବିରତ, ଶାସ୍ତ୍ରଜ୍ଞାନ ଓ ଆଧ୍ୟାତ୍ମିକ ଚିନ୍ତନ ଆଦି ସହାୟକ ହୋଇପାରେ। ଶେଷରେ ଏତିକି କୁହାଯାଇପାରେ, ପଶୁପକ୍ଷୀ ଭଳି ଇତର ପ୍ରାଣୀମାନେ ଯେତେବେଳେ ବଞ୍ଚତ୍ରହିବା ପାଇଁ ଆଜୀବନ ସଂଘର୍ଷ କରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି, ଈଶ୍ୱରଙ୍କ ସ୍ବତନ୍ତ୍ର ତଥା ସର୍ବଶ୍ରେଷ୍ଠ ସୃଷ୍ଟି ମହାଜ୍ଞାନୀ ମଣିଷ ଆତ୍ମହତ୍ୟା କରିବା ଗ୍ରହଣୀୟ ଓ ସ୍ପୃହଣୀୟ ନୁହେଁ। ଆତ୍ମହତ୍ୟା ମାନବ ଜୀବନର ପରିପନ୍ଥୀ। ତେଣୁ ଜୀବନରେ ଆସୁଥିବା ସବୁ ବାଧାବିଘ୍ନକୁ ସାହସର ସହ ମୁକାବିଲା କରି ସ୍ବାଭିମାନ ଜୀବନ ବିତେଇବା ମଣିଷର ପରମ କର୍ତ୍ତବ୍ୟ ହେବା ଉଚିତ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ
ଫୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri