ନୂଆଦିଲ୍ଲୀ,୨୮।୧୧: ଯଦି ଆପଣ ପ୍ରତି ମାସରେ ATMରୁ ଟଙ୍କା ଉଠାଉଛନ୍ତି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ନିୟମ ଜାଣିବା ଜରୁରୀ। ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ ଜଣାଇବେ ଯେ ମାସକୁ କେତୋଟି ମାଗଣା ATM ଟ୍ରାଞ୍ଜାକ୍ସନ ବ୍ୟବହାର ହୋଇଛି। ଏହା ସହିତ ପରବର୍ତ୍ତୀ ଥର ଟଙ୍କା ଉଠାଇଲେ କେତେ ଶୁଳ୍କ ଦେବାକୁ ପଡ଼ିବ, ସେ ବିଷୟରେ ମଧ୍ୟ ଆଗୁଆ ସୂଚନା ଦେବେ। ଫଳରେ ATMରୁ ଟଙ୍କା ଉଠାଇବା ପରେ ହଠାତ୍ ଅତିରିକ୍ତ ଚାର୍ଜ କଟିବା ନେଇ ଗ୍ରାହକଙ୍କୁ ଆଉ ଅସୁବିଧା ହେବନାହିଁ।
RBI ATM ଏବଂ PoS ମେଶିନ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ପୁରୁଣା ନିୟମଗୁଡ଼ିକୁ ଏକାଠି କରି ନୂଆ ମାଷ୍ଟର ଡାଇରେକ୍ସନ ଜାରି କରିଛି। ଏଥିସହ ୨୦୦୮ରୁ ୨୦୨୨ ମଧ୍ୟରେ ଜାରି ହୋଇଥିବା ୧୭ଟି ପୁରୁଣା ସର୍କୁଲାରକୁ ପ୍ରତ୍ୟାହାର କରିନେଇଛି। ନୂଆ ନିର୍ଦ୍ଦେଶ ୨୭ ନଭେମ୍ବର ୨୦୨୬ରୁ ଲାଗୁ ହୋଇଛି।
RBIର ନୂଆ ନିର୍ଦ୍ଦେଶ ଅନୁସାରେ, ବ୍ୟାଙ୍କଗୁଡ଼ିକ ଏଭଳି ବ୍ୟବସ୍ଥା କରିବେ, ଯାହାଦ୍ୱାରା ଗ୍ରାହକମାନେ ପ୍ରତି ମାସରେ କେତୋଟି ମାଗଣା ATM ଟ୍ରାଞ୍ଜାକ୍ସନ ବ୍ୟବହାର କରିଛନ୍ତି ତାହା ଜାଣିପାରିବେ। ଏହା ସହିତ ମାଗଣା ଟ୍ରାଞ୍ଜାକ୍ସନ ସୀମା ଶେଷ ହେବା ପରେ ପରବର୍ତ୍ତୀ ଟ୍ରାଞ୍ଜାକ୍ସନରେ କେତେ ଚାର୍ଜ ଲାଗିବ, ସେ ବିଷୟରେ ମଧ୍ୟ ବ୍ୟାଙ୍କ ସୂଚନା ଦେବେ।
ଏହି ବ୍ୟବସ୍ଥା ଦ୍ୱାରା ଗ୍ରାହକମାନେ ନିଜ ATM ବ୍ୟବହାର ଉପରେ ନଜର ରଖିପାରିବେ। ଯଦି ମାଗଣା ଟ୍ରାଞ୍ଜାକ୍ସନ ସୀମା ଶେଷ ହୋଇଯାଇଥାଏ, ତେବେ ଅତିରିକ୍ତ ଶୁଳ୍କରୁ ବର୍ତ୍ତିବା ପାଇଁ ଆବଶ୍ୟକତା ଅନୁସାରେ ଟଙ୍କା ଉଠାଇବାକୁ ଯୋଜନା କରିପାରିବେ।
RBIର ନିୟମ ଅନୁସାରେ, ମାଗଣା ATM ଟ୍ରାଞ୍ଜାକ୍ସନ ସୀମା ଶେଷ ହେବା ପରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ଅତିରିକ୍ତ ଶୁଳ୍କ ନେଇପାରିବେ। ପ୍ରତି ଟ୍ରାଞ୍ଜାକ୍ସନରେ ସର୍ବାଧିକ ୨୩ ଟଙ୍କା ଚାର୍ଜ ଲାଗିପାରେ। ଏହା ଉପରେ ଲାଗୁ ହେଉଥିବା ଟିକସ ମଧ୍ୟ ଦେବାକୁ ପଡ଼ିପାରେ।
ତେବେ ବ୍ୟାଙ୍କଗୁଡ଼ିକ ନିଜ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଅନୁସାରେ ପ୍ରକୃତ ଚାର୍ଜ ନିର୍ଦ୍ଧାରଣ କରିବେ। ତେଣୁ ଭିନ୍ନ ଭିନ୍ନ ବ୍ୟାଙ୍କରେ ATM ଟ୍ରାଞ୍ଜାକ୍ସନ ଶୁଳ୍କ ଅଲଗା ହୋଇପାରେ। କିନ୍ତୁ ଏହା RBI ଧାର୍ଯ୍ୟ କରିଥିବା ସର୍ବାଧିକ ସୀମାଠାରୁ ଅଧିକ ହୋଇପାରିବ ନାହିଁ।
ଅନେକ ସମୟରେ ATMରେ କାର୍ଡ ଭର୍ତ୍ତି କରିବା ଓ PIN ଦେବା ପରେ ମଧ୍ୟ ଟଙ୍କା ବାହାରେ ନାହିଁ। କେତେବେଳେ ମେଶିନରେ ଟଙ୍କା ନଥାଏ ତ ଆଉ କେତେବେଳେ ବୈଷୟିକ ତ୍ରୁଟି କିମ୍ବା ନେଟୱର୍କ ସମସ୍ୟା ଯୋଗୁ ଟ୍ରାଞ୍ଜାକ୍ସନ ଫେଲ ହୋଇଯାଏ।
RBIର ନିର୍ଦ୍ଦେଶ ଅନୁସାରେ, ଏଭଳି ପରିସ୍ଥିତିରେ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନିଆଯିବ ନାହିଁ। ବୈଷୟିକ ତ୍ରୁଟି, ନେଟୱର୍କ ସମସ୍ୟା କିମ୍ବା ATMରେ ଟଙ୍କା ନଥିବା କାରଣରୁ ବିଫଳ ହୋଇଥିବା ଟ୍ରାଞ୍ଜାକ୍ସନକୁ ମାସିକ ମାଗଣା ATM ଟ୍ରାଞ୍ଜାକ୍ସନ ସୀମା ମଧ୍ୟରେ ମଧ୍ୟ ଗଣନା କରାଯିବ ନାହିଁ। ଏହି ନିୟମ ଦ୍ୱାରା ଗ୍ରାହକମାନେ ଅଯଥା ଶୁଳ୍କ ଦେବାରୁ ରକ୍ଷା ପାଇବା ସହ ATM କାରବାରରେ ଅଧିକ ସ୍ବଚ୍ଛତା ଆସିବ।

