ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ବଜେଟ୍, ନିବେଶ ଏବଂ ଦୈନନ୍ଦିନ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ଉପରେ ପଡ଼ିବାକୁ ଯାଉଛି। ଆପଣ ଯଦି ଏସ୍ବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, କମୋଡିଟି ବଜାରରେ ଟ୍ରେଡିଂ କରୁଛନ୍ତି, ବିଦେଶରେ ରହି ଭାରତୀୟ ବଜାରରେ ନିବେଶ କରିବାକୁ ଯୋଜନା କରୁଛନ୍ତି କିମ୍ବା ଜଣେ ପେନସନ୍ଭୋଗୀ, ତେବେ ଏହି ନିୟମଗୁଡ଼ିକ ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ଏହି ପରିବର୍ତ୍ତନ ମଧ୍ୟରୁ କେତେକ କ୍ଷେତ୍ରରେ କାରବାର ଖର୍ଚ୍ଚ ବଢ଼ିବାକୁ ଥିବା ବେଳେ କେତେକ ପଦକ୍ଷେପ ଆର୍ଥିକ ପ୍ରକ୍ରିୟାକୁ ଆହୁରି ସହଜ କରିବ।
ଏସ୍ବିଆଇ କ୍ରେଡିଟ୍ କାର୍ଡ ଧାରକଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ଶୁଳ୍କ: ଏସ୍ବିଆଇ କ୍ରେଡିଟ୍ କାର୍ଡ ଜରିଆରେ ବଡ଼ ପରିମାଣର ଇନ୍ଧନ (ଫ୍ୟୁଏଲ୍) କିମ୍ବା ଯାତ୍ରା ସମ୍ପର୍କିତ କାରବାର କରୁଥିଲେ ଡିସେମ୍ବର ୧ରୁ ଅତିରିକ୍ତ ଚାର୍ଜ ଲାଗୁ ହେବ। ଅକ୍ଟୋବର ୨୭ର ବିଜ୍ଞପ୍ତି ମୁତାବକ, ଥରକେ ୩୦,୦୦୦ ଟଙ୍କାରୁ ଅଧିକ ଚୟନିତ ଟ୍ରାନ୍ସପୋର୍ଟେସନ୍ କାରବାର ଉପରେ ୧ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ଏହା ମର୍ଚାଣ୍ଟ କ୍ୟାଟାଗୋରୀ କୋଡ୍ (MCC) ୪୧୧୧, ୪୭୮୪ ଏବଂ ୪୧୩୧ ଅନ୍ତର୍ଗତ କାରବାର ପାଇଁ ଲାଗୁ ହେବ। ସେହିପରି ଗୋଟିଏ ବିଲିଂ ସାଇକେଲ୍ରେ ଯୋଗ୍ୟ ଫ୍ୟୁଏଲ୍ କାରବାରର ମୋଟ ରାଶି ୫୦,୦୦୦ ଟଙ୍କାରୁ ଅଧିକ ହେଲେ, ସମ୍ପୂର୍ଣ୍ଣ ବିଲିଂ ସାଇକେଲ୍ର ଫ୍ୟୁଏଲ୍ ଖର୍ଚ୍ଚ ଉପରେ ୧ ପ୍ରତିଶତ ଚାର୍ଜ ଏବଂ ଲାଗୁ ଟ୍ୟାକ୍ସ ଆଦାୟ କରାଯିବ। ଉଦାହରଣ ସ୍ୱରୂପ, ମାସକରେ ୬୦,୦୦୦ ଟଙ୍କାର ଇନ୍ଧନ ନେଲେ ଟ୍ୟାକ୍ସ ବ୍ୟତୀତ ଅତିରିକ୍ତ ୬୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ତେବେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ ଏହି ଚାର୍ଜ ଲାଗୁ ହେବ ନାହିଁ।
କମୋଡିଟି ଟ୍ରେଡର୍ସଙ୍କ ପାଇଁ ନୂଆ ମାର୍ଜିନ୍ ନିୟମ: କମୋଡିଟି ଡେରିଭେଟିଭ୍ସରେ କାରବାର କରୁଥିବା ଟ୍ରେଡର୍ସଙ୍କ ପାଇଁ ଡିସେମ୍ବର ୧ରୁ ସର୍ବନିମ୍ନ ଇନିସିଆଲ୍ ମାର୍ଜିନ୍ର ନୂଆ ବ୍ୟବସ୍ଥା ଲାଗୁ ହେଉଛି। ସେବି (SEBI)ର ନଭେମ୍ବର ୧୭ ସର୍କୁଲାର ଅନୁଯାୟୀ, କୃଷି ଓ ଅଣ-କୃଷି କମୋଡିଟି ଡେରିଭେଟିଭ୍ସ ପାଇଁ ମାର୍ଜିନ୍ ଢାଞ୍ଚାରେ ସଂଶୋଧନ କରାଯାଇଛି। କମୋଡିଟିର ଦରରେ ହେଉଥିବା ଅସ୍ଥିରତା (ଭୋଲାଟିଲିଟି) ଆଧାରରେ ସର୍ବନିମ୍ନ ଇନିସିଆଲ୍ ମାର୍ଜିନ୍ ଧାର୍ଯ୍ୟ ହେବ। ନୂଆ ନିୟମ ମୁତାବକ, କମ୍ ଅସ୍ଥିର ଥିବା କମୋଡିଟି ପାଇଁ ୬ ପ୍ରତିଶତ, ମଧ୍ୟମ ଅସ୍ଥିରତା ପାଇଁ ୮ ପ୍ରତିଶତ ଏବଂ ଅଧିକ ଅସ୍ଥିର କମୋଡିଟି ପାଇଁ ୧୦ ପ୍ରତିଶତ ସର୍ବନିମ୍ନ ଇନିସିଆଲ୍ ମାର୍ଜିନ୍ ରହିବ। ଏହାଛଡ଼ା ସର୍ବନିମ୍ନ ମାର୍ଜିନ୍ ପିରିଅଡ୍ ଅଫ୍ ରିସ୍କ (MPOR) କମ୍ ଓ ମଧ୍ୟମ ରିସ୍କ ଥିବା କମୋଡିଟି ପାଇଁ ୨ ଦିନ ଏବଂ ଅଧିକ ରିସ୍କ ପାଇଁ ୩ ଦିନ ଧାର୍ଯ୍ୟ ହୋଇଛି। ଏହି ବ୍ୟବସ୍ଥା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
ବିଦେଶୀ ନିବେଶକଙ୍କ ପାଇଁ ସହଜ ହେଲା ଡିଜିଟାଲ୍ କେୱାଇସି: ଭାରତୀୟ ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥିବା ପ୍ରବାସୀ ଭାରତୀୟ (NRIs), ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCIs) ଏବଂ ଏଫଏଟିଏଫ (FATF) ନିୟମ ପାଳନ କରୁଥିବା ଦେଶର ନାଗରିକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩ରୁ ସେବିର ନିୟମ କୋହଳ ହେବାକୁ ଯାଉଛି। ଏହାଫଳରେ ଯୋଗ୍ୟ ବିଦେଶୀ ନିବେଶକମାନେ ସେବି-ପଞ୍ଜୀକୃତ ମଧ୍ୟସ୍ଥିଙ୍କ ନିକଟରେ ଦୂରରୁ ଡିଜିଟାଲ୍ ମାଧ୍ୟମରେ କେୱାଇସି (KYC) ପ୍ରକ୍ରିୟା ଶେଷ କରିପାରିବେ। ଫିଜିକାଲ୍ ଭେରିଫିକେସନ୍ ପାଇଁ ଆଉ ଭାରତ ଆସିବାକୁ ପଡ଼ିବ ନାହିଁ।
ଆଧାରରେ ମାଗଣା ଇମେଲ୍ ଅପଡେଟ୍ର ଶେଷ ମାସ: ଆଧାର କାର୍ଡରେ ଇମେଲ୍ ଆଇଡି ଅପଡେଟ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଡିସେମ୍ବର ୩୧, ୨୦୨୬ ଶେଷ ତାରିଖ ରହିଛି। ୟୁଆଇଡିଏଆଇ (UIDAI) ପକ୍ଷରୁ ୨୦୨୬ ଜୁଲାଇ ୧ରୁ ୬ ମାସ ପାଇଁ ଏହି ସେବାରେ ଲାଗୁ ହେଉଥିବା ୭୫ ଟଙ୍କା ଶୁଳ୍କ ଛାଡ଼ କରାଯାଇଥିଲା। କେବଳ ଅଫିସିଆଲ୍ ଆଧାର ମୋବାଇଲ୍ ଆପ୍ ଜରିଆରେ ଇମେଲ୍ ଅପଡେଟ୍ କଲେ ଏହି ମାଗଣା ସୁବିଧା ମିଳିବ। ଅନ୍ୟ କୌଣସି ଆଧାର ଅପଡେଟ୍ କିମ୍ବା ସଂଶୋଧନ ପାଇଁ ସାଧାରଣ ଶୁଳ୍କ ଲାଗୁ ହେବ।
ପେନସନ୍ଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲର ଶେଷ ତାରିଖ: କେନ୍ଦ୍ର ସରକାରଙ୍କ ପେନସନ୍ ବ୍ୟବସ୍ଥା ଅଧୀନରେ ସୁବିଧା ପାଉଥିବା ପେନସନ୍ଭୋଗୀଙ୍କ ପାଇଁ ନଭେମ୍ବର ୩୦ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର ପେନସନ୍ରେ କୌଣସି ବାଧା ନ ଉପୁଜିବା ପାଇଁ ନଭେମ୍ବର ୩୦ ସୁଦ୍ଧା ବାର୍ଷିକ ଜୀବନ ପ୍ରମାଣ ପତ୍ର (ଲାଇଫ୍ ସାର୍ଟିଫିକେଟ୍) ଦାଖଲ କରିବା ବାଧ୍ୟତାମୂଳକ। ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ସୁବିଧା ମାଧ୍ୟମରେ ଘରେ ବସି ଅନଲାଇନ୍ କିମ୍ବା ଅନ୍ୟ ସ୍ୱୀକୃତ ମାଧ୍ୟମରେ ଏହା ଦାଖଲ କରାଯାଇପାରିବ।
ଆରବିଆଇ ମୁଦ୍ରାନୀତି ଓ ଲୋନ୍ ଇଏମ୍ଆଇ ଉପରେ ନଜର: ହୋମ୍ ଲୋନ୍ ବା ପର୍ସନାଲ୍ ଲୋନ୍ ନେଇଥିବା ଗ୍ରାହକଙ୍କ ପାଇଁ ଡିସେମ୍ବର ପ୍ରଥମ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଡିସେମ୍ବର ୨ରୁ ୪ ତାରିଖ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଦ୍ରାନୀତି କମିଟି (MPC) ବୈଠକ ବସିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୦୨୬ରେ ଆରବିଆଇ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦ ପ୍ରତିଶତ କରିଥିଲା। ଡିସେମ୍ବର ବୈଠକର ନିଷ୍ପତ୍ତି ଇବିଏଲ୍ଆର୍ (EBLR) ସହ ଯୋଡ଼ା ଥିବା ଲୋନ୍ଧାରୀଙ୍କୁ ପ୍ରଭାବିତ କରିପାରେ। ତେବେ ଆରବିଆଇର ନିଷ୍ପତ୍ତି ଡିସେମ୍ବର ୧ରୁ ସ୍ୱୟଂଚାଳିତ ଭାବେ ଲାଗୁ ହେବ ନାହିଁ; ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବେ।

