କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ ଆସୋସିଏସନ୍ ଵା ରୁଟା ସହ ସମ୍ବନ୍ଧିତ ଅଧ୍ୟାପିକା, ଅଧ୍ୟାପକମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ରୁଟାର ଡାକରାରେ, ଗୋଟିଏ ଦିନ ପାଇଁ ସମୂହ ଛୁଟି ନେଇଛନ୍ତି ସମସ୍ତେ। ୪୦ରୁ ଉର୍ଦ୍ଧ୍ବ ଅଧ୍ୟାପିକା ଅଧ୍ୟାପକ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍କୁ ଦୂରେଇ ରଖିବା ମୁଖ୍ୟ ଦାବି ରଖୁଛି ଶିକ୍ଷକ ସଂଘ । ଦ୍ଵିତୀୟରେ ରେଭେନ୍ସା କ୍ୟାମ୍ପସ୍ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଦାବି କରିଛନ୍ତି । ରେଭେନ୍ସା ହଷ୍ଟେଲ ଗୁଡିକର ଓ୍ବାର୍ଡେନ, ଡେପୁଟି ଓ୍ବାର୍ଡେନ ଓ ଡେପୁଟି ଚିଫ ଓ୍ବାର୍ଡେନଙ୍କୁ ସମୂହ ଵିଦା କରି ସେମାନଙ୍କ ସ୍ଥାନରେ ନୂଆ ଅଧ୍ୟାପକଙ୍କୁ ଦାୟିତ୍ଵ ଦେଵା ଘଟଣାକୁ ରୁଟା ବିରୋଧ କରିଆସୁଛି। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ରୁଟା ଦାବି କରିଆସୁଛି ।
ଏ ସମ୍ପର୍କରେ ରୁଟା କୁଳପତିଙ୍କୁ ଭେଟି ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ କୁଳପତି ଭେଟୁନଥିଵା ରୁଟା ଅଭିଯୋଗ କରିଛି ।ରୁଟା ଅଧ୍ୟାପିକା ଅଧ୍ୟାପକମାନେ ସମୁହ ଛୁଟିରେ ଯିଵାରୁ ରେଭେନ୍ସାରେ ସ୍ବାଭାବିକ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।

