ନୂଆଦିଲ୍ଲୀ,୧୪।୧୦: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍ (Productivity Linked Bonus)କୁ ମଞ୍ଜୁରୀ ମିଳିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ପରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଏହାଦ୍ୱାରା ପ୍ରାୟ ୧୧.୪୦ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ଏହି ବୋନସ୍ ପାଇଁ ସରକାର ପ୍ରାୟ ୨,୦୦୯ କୋଟି ଟଙ୍କା ଖର୍ଚ୍ଚ କରିବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦିନରାତି ପରିଶ୍ରମ କରୁଥିବା ରେଳ କର୍ମଚାରୀଙ୍କ ପାଇଁ ଏହା ଦୀପାବଳି ଉପହାର । ପର୍ବପର୍ବାଣୀ ସମୟରେ ମଧ୍ୟ ଅନେକ କର୍ମଚାରୀ ନିଜ ପରିବାରଠାରୁ ଦୂରରେ ରହି ରେଳ ଧାରଣା, ଟ୍ରେନ୍ ଓ ୱାର୍କସପ୍ରେ କାର୍ଯ୍ୟ କରିଥାନ୍ତି ।
କ୍ୟାବିନେଟ୍ ବୈଠକରେ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷାକୁ ନେଇ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଥିବା ଉଲ୍ଲେଖ କରାଯାଇଛି । ଦିବ୍ୟାଙ୍ଗତାର ନିର୍ଦ୍ଧାରିତ ସୀମାକୁ ୮୦ ପ୍ରତିଶତରୁ ହ୍ରାସ କରି ୪୦ ପ୍ରତିଶତ କରାଯାଇଥିବା ଏବଂ ଜନ୍ମରୁ ଦିବ୍ୟାଙ୍ଗ ପିଲାଙ୍କୁ ପେନ୍ସନ୍ ଦେବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ପୂର୍ବରୁ ୧୮ ବର୍ଷ ବୟସ ପରେ ପେନ୍ସନ୍ ମିଳୁଥିବା କୁହାଯାଇଛି । ସୂଚନା ଅନୁଯାୟୀ, ସାମାଜିକ ସୁରକ୍ଷା ପାଇଁ ମୋଟ ବ୍ୟୟ ବ୍ୟବସ୍ଥାକୁ ୫୩,୪୨୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ହିତାଧିକାରୀଙ୍କୁ ଅଧିକ ସାମାଜିକ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

