ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, NTA ପରୀକ୍ଷାର ପ୍ରାୟ ଦୁଇ ମାସ ପରେ ଏହାକୁ ବାତିଲ କରିଛି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, UGC-NETର ଏହି ୩ଟି ପରୀକ୍ଷା ୨୨ରୁ ୩୦ ଜୁନ୍ ମଧ୍ୟରେ ହୋଇଥିଲା। ପ୍ରାୟ ଦୁଇ ମାସ ପରେ NTA ଏହି ପରୀକ୍ଷାଗୁଡ଼ିକୁ ବାତିଲ କରିଛି। ପେପରରେ ଭୁଲ ପ୍ରଶ୍ନ, ପୁରୁଣା ପ୍ରଶ୍ନର ପୁନରାବୃତ୍ତି ଏବଂ ଅନ୍ୟାନ୍ୟ ତ୍ରୁଟି ଥିବାରୁ ଏହି ନିଷ୍ପତ୍ତି ହୋଇଛି। ରାହୁଲ ଗାନ୍ଧୀ କହିଛନ୍ତି, ହଜାର ହଜାର ପରୀକ୍ଷାର୍ଥୀ ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥିଲେ, ଫର୍ମ ପୂରଣ କରିଥିଲେ, ଫି’ ଦେଇଥିଲେ ଏବଂ ଦୂରଦୂରାନ୍ତର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଏବେ ସେମାନଙ୍କୁ ପୁଣି ସେପ୍ଟେମ୍ବରରେ ପରୀକ୍ଷା ଦେବାକୁ ପଡ଼ିବ।
ସେ କହିଛନ୍ତି, “ଭୁଲ NTA କରୁଛି, କିନ୍ତୁ ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି।” ଏହାକୁ ନେଇ ସେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପରୀକ୍ଷା ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିଲା କି? ଏହାର ମଧ୍ୟ ଉତ୍ତର ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। NTAର ନେତୃତ୍ୱର ମଧ୍ୟ ଜବାବଦେହି ନିର୍ଦ୍ଧାରଣ କରିବାକୁ ସେ ଦାବି କରିଛନ୍ତି। NTA ପକ୍ଷରୁ UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ପେପର ପୁଣିଥରେ କରାଯିବ। ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପିଂ, ଅନୁବାଦ, ବ୍ୟାକରଣ, ସ୍ପେଲିଂ ଏବଂ ପ୍ରିଣ୍ଟିଂ ସମ୍ପର୍କିତ ତ୍ରୁଟି ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ହୋଇଛି ।

