ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ DCP ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି । ତାଙ୍କ ସହ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ଜୟରାମ ରମେଶ ଓ ସଲମାନ ଖୁର୍ସିଦ ମଧ୍ୟ ଉପସ୍ଥିତ ଥିଲେ । ରାହୁଲଙ୍କ ସହ ଜନ୍ତର-ମନ୍ତରରେ ଆନ୍ଦୋଳନ ସମୟରେ ପେଲେଟ୍ ଗନ୍ରେ ଆହତ ହୋଇଥିବା ଜଣେ ଛାତ୍ର ମଧ୍ୟ ଥିଲେ। ଏହି ଘଟଣାର ତଦନ୍ତ କେତେ ଦୂର ଆଗେଇଛି ଏବଂ ପୋଲିସ କ’ଣ ପଦକ୍ଷେପ ନେଇଛି, ସେନେଇ ରାହୁଲ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ମାମଲାରେ FIR ଦାୟର ନହେବା ପର୍ଯ୍ୟନ୍ତ ସେ ସେଠାରୁ ହଟିବେ ନାହିଁ। କଂଗ୍ରେସର ଅଭିଯୋଗ ଅନୁସାରେ, ପେଲେଟ୍ ଗନ୍ରେ ଆହତ ହୋଇଥିବା ଛାତ୍ର ସାହିଲ ଲୋଚବ୍ ଅଗଷ୍ଟ ୧୪ରେ ତାଙ୍କ ଓକିଲଙ୍କ ସହ ଦିଲ୍ଲୀ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ। କିନ୍ତୁ ତାଙ୍କୁ ଅଭିଯୋଗର I/O ନମ୍ବର କିମ୍ବା ସମ୍ପର୍କିତ କାଗଜପତ୍ର ଦିଆଯାଇନଥିବା କଂଗ୍ରେସ କହିଛି।
ଜୁଲାଇ ୨୦ରେ ନିଟ୍ ପେପର ଲିକ୍କୁ ନେଇ ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ହଟାଇବା ସମୟରେ ଦିଲ୍ଲୀ ପୋଲିସ ପେଲେଟ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ରହିଛି। ଏଥିରେ କିଛି ଛାତ୍ର ଆହତ ହୋଇଥିବା କୁହାଯାଇଛି। ପେଲେଟ୍ ଗନ୍ ବ୍ୟବହାରକୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି। କାହା ନିର୍ଦ୍ଦେଶରେ ଛାତ୍ରମାନଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଗଲା ଏବଂ ଏହା ପାଇଁ ଦାୟୀ କିଏ, ତାହାର ଜବାବ ଦାବି କରୁଛି କଂଗ୍ରେସ।

