ନୂଆଦିଲ୍ଲୀ,୮।୧୧: ଆଇପିଏଲ୍ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଫିଲ୍ଡିଂ କୋଚ ବ୍ରାଡ ହାଡିନ ଏବଂ ପେସ ବୋଲିଂ କୋଚ ଜେମ୍ସ ହୋପ୍ସ ଆଗାମୀ ସିଜଜ୍ରେ ପଞ୍ଜାବ କିଙ୍ଗ୍ସ ସହ ରହିବେ ନାହିଁ। ଉଭୟ କୋଚ ନିକଟରେ ଟିମ ମ୍ୟାନେଜମେଣ୍ଟକୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିବା କୁହାଯାଉଛି। ଏହା ପରେ ଫ୍ରାଞ୍ଚାଇଜି ପକ୍ଷରୁ ଉଭୟଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି।
ବ୍ରାଡ ହାଡିନ ଦଳର ଫିଲ୍ଡିଂ କୋଚ ଭାବେ ଦାୟିତ୍ୱରେ ଥିବା ବେଳେ ଜେମ୍ସ ହୋପ୍ସ ପେସ ବୋଲିଂ କୋଚ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ଆଇପିଏଲ୍ର ଗତ ସିଜନ ଶେଷ ହେବା ପରେ ସାଇରାଜ ବହୁତୁଲେ ମଧ୍ୟ ପଞ୍ଜାବ କିଙ୍ଗ୍ସର ସାଥ ଛାଡ଼ିଥିଲେ। ବାହୁତୁଲେ ବର୍ତ୍ତମାନ ଭାରତୀୟ ଦଳର ସ୍ପିନ ବୋଲିଂ କୋଚ ଭାବେ କାର୍ଯ୍ୟ କରୁଛନ୍ତି। ସେ ପଞ୍ଜାବ କିଙ୍ଗ୍ସରେ ସୁନୀଲ ଜୋଶୀଙ୍କ ସ୍ଥାନ ନେଇଥିଲେ। ଏବେ ହାଡିନ ଓ ହୋପ୍ସଙ୍କ ବିଦାୟ ପରେ ପଞ୍ଜାବ କିଙ୍ଗ୍ସର କୋଚିଂ ଷ୍ଟାଫ୍ରେ ମୋଟ ୩ଟି ପଦ ପାଇଁ ନୂଆ ନିଯୁକ୍ତିର ଆବଶ୍ୟକତା ଦେଖାଦେଇଛି।
ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ ରିକି ପଣ୍ଟିଂଙ୍କୁ ଏବେ ନିଜ ସପୋର୍ଟ ଷ୍ଟାଫଙ୍କୁ ପୁଣିଥରେ ଗଢ଼ିବାକୁ ପଡ଼ିବ। ଆଗାମୀ ଆଇପିଏଲ ଅକ୍ସନ ପୂର୍ବରୁ ନୂଆ କୋଚିଂ ଷ୍ଟାଫ ଚୟନ କରିବା ତାଙ୍କ ପାଇଁ ଏକ ଅତିରିକ୍ତ ଦାୟିତ୍ୱ ହୋଇଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ଆଗାମୀ ସିଜନ ପାଇଁ ଦଳ ଗଠନରେ ବ୍ୟସ୍ତ ଥିବା ବେଳେ କୋଚିଂ ଷ୍ଟାଫ୍ରେ ଏହି ପରିବର୍ତ୍ତନ ଫ୍ରାଞ୍ଚାଇଜି ପାଇଁ ନୂଆ ଚ୍ୟାଲେଞ୍ଜ ଆଣିଛି।
Dharitri – Odisha’s No.1 Odia Daily

