ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଥିବାବେଳେ, ରାଜ୍ୟ ସରକାର ୪୨ଟି କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।
ଏହି ପ୍ରସ୍ତାବିତ ତାଲିକାରେ ଗଞ୍ଜାମ ଜିଲାର ୧୧ଟି ମହାବିଦ୍ୟାଳୟ ସ୍ଥାନ ପାଇଥିବାବେଳେ ୧୯୬୦ ମସିହାରେ ସ୍ଥାପିତ ଭଞ୍ଜନଗରର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ମଧ୍ୟ ଏଥିରେ ସାମିଲ ରହିଛି। ଏହାଦ୍ୱାରା ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବା ସହ ଛାତ୍ରୀଛାତ୍ରମାନେ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି।
ତାଲିକାରେ ଥିବା ଅନ୍ୟ ମହାବିଦ୍ୟାଳୟଗୁଡ଼ିକ ହେଲେ ବ୍ରହ୍ମପୁରର ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ଚିକିଟି ଡିଗ୍ରୀ ମହାବିଦ୍ୟାଳୟ, ପୋଲସରା ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ, ଗୋପାଳପୁର କଲେଜ, କୋଦଳାର ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜ, ଗଞ୍ଜାମ ଡିଗ୍ରୀ କଲେଜ, କବିସୂର୍ଯ୍ୟନଗରର ବଳଦେବ ବିଜ୍ଞାନ ଡିଗ୍ରୀ କଲେଜ, କଙ୍କୋରଡ଼ା ବିଜ୍ଞାନ ଡିଗ୍ରୀ କଲେଜ ଏବଂ ଭୀଷ୍ମଗିରିର ରାମଜୀ ଡିଗ୍ରୀ କଲେଜ।
ଏହି ପ୍ରସ୍ତାବ ସମ୍ପର୍କରେ ତାଲିକାଭୁକ୍ତ ୪୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଏଥିସହ ତାଲିକାଭୁକ୍ତ କଲେଜଗୁଡ଼ିକୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏଚଆଇଏମଏସ (HIMS) ପୋର୍ଟାଲରେ ସମସ୍ତ ଆବଶ୍ୟକ ତଥ୍ୟ ଅପଲୋଡ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ତାଲିକାରେ ସ୍ଥାନ ପାଇଥିବା ଅନେକ ମହାବିଦ୍ୟାଳୟ ଦୀର୍ଘବର୍ଷର ପୁରୁଣା ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏଯାଏ ସ୍ବୟଂଶାସିତ ମାନ୍ୟତା ପାଇପାରିନାହାନ୍ତି। ଏହି ମାନ୍ୟତା ମିଳିଲେ ମହାବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ, ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ବାଧୀନତା ପାଇବା ସହ ଛାତ୍ରୀଛାତ୍ରସ୍ମାନେ ଏହାର ସୁଫଳ ପାଇପାରିବେ। ତେବେ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ମହାବିଦ୍ୟାଳୟଗୁଡ଼ିକରସ୍ବୟଂଶାସିତ ମାନ୍ୟତା ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily

