ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେମାନେ ରାଜ ପରିବାରର କାର୍ଯ୍ୟରତ ସଦସ୍ୟ ଭାବେ ରହିବେ ନାହିଁ। କିଙ୍ଗ୍ ଚାର୍ଲସ ୩ୟଙ୍କ ପୁଅ ହ୍ୟାରୀ ୬ବର୍ଷ ପୂର୍ବେ ରାଜକୀୟ ଦାୟିତ୍ୱରୁ ଓହରିଯିବା ପରେ ପରିବାର ସହ ଆମେରିକାକୁ ଚାଲିଯାଇଥିଲେ। ୪୧ ବର୍ଷୀୟ ହ୍ୟାରୀ ଏବଂ ତାଙ୍କ ପନତ୍ୀ ଲଣ୍ଡନ ବାହାରେ ଏକ ବେସରକାରୀ ବାସଭବନରେ ରହିବେ ବୋଲି ଆଶା କରାଯାଉଛି। ସେମାନଙ୍କ ୭ ବର୍ଷ ବୟସ୍କ ପୁଅ ପ୍ରିନ୍ସ ଆର୍ଚି ଏବଂ ୫ ବର୍ଷ ବୟସ୍କା ଝିଅ ପ୍ରିନ୍ସେସ୍ ଲିଲିବେଟଙ୍କୁ ସେପ୍ଟେମ୍ବରରୁ ନୂତନ ଅଧିବେଶନ ଆରମ୍ଭରୁ ଏକ ବ୍ରିଟିଶ୍ ସ୍କୁଲରେ ନାମ ଲେଖାଯାଇଥିବା କୁହାଯାଉଛି। ଏନେଇ ପ୍ରାସାଦ କିମ୍ବା ଡ୍ୟୁକ୍ ଏବଂ ଡଚେସ୍ ଅଫ ସସେକ୍ସଙ୍କ ପ୍ରତିନିଧିମାନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇନାହିଁ । ଏହି ପଦକ୍ଷେପ ପରିବାର ମଧ୍ୟରେ ସମ୍ପର୍କକୁ ସୁଧାରିବାର ଏକ ନୂତନ ଅଧ୍ୟାୟ ହେବ ବୋଲି ଚର୍ଚ୍ଚା ହେଉଛି।
ପ୍ୟାଲେସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନ ଥିଲେ ମଧ୍ୟ ରାଜାଙ୍କୁ ଏହି ପଦକ୍ଷେପ ବିଷୟରେ ଅବଗତ କରାଯାଇଛି। ଗତବର୍ଷ ସୁରକ୍ଷା ପ୍ରସଙ୍ଗରେ କୋର୍ଟରେ ହାରିବା ପରେ ପ୍ରିନ୍ସ ହ୍ୟାରୀ ତାଙ୍କ ପରିବାର ସହିତ ସମ୍ପର୍କକୁ ପୁନଃ ନିର୍ମାଣ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

