ଧାଡ଼ି ଲାଗିଲେ ବଢ଼ୁଛି ଧଡ଼ା ଦର

ଅନୁଗୋଳ ଅଫିସ, ୧୭ା୫:  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ପରିବା ଓ ରାଶନ ଦୋକାନ ଖୋଲାଯାଉଛି। ହେଲେ କରୋନାକୁ ଭୟ କରି ଲୋକେ ଏତେ ବ୍ୟତିବ୍ୟସ୍ତ ହେଉଛନ୍ତି ଯେ ସାମାଜିକ ଦୂରତ୍ୱ ନ ରଖି ଚଢ଼ାଚଢ଼ି ହୋଇ ପରିବା ଓ ରାଶନ କିଣୁଛନ୍ତି। ବିଶେଷକରି ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରଦିନ ସୋମବାର ବଜାରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଆଉ ଏହାକୁ ସୁଯୋଗ ଭାବି କେତେଜଣ ଅସାଧୁ ବ୍ୟବସାୟୀ ଆଳୁ, ପିଆଜ ଧଡ଼ା (ଅଢ଼େଇ କେଜି) ପ୍ରତି ମୂଲ୍ୟ ବଢ଼ାଇ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି। ଅନୁଗୋଳର ବିଭିନ୍ନ ବଜାରରେ ଗ୍ରାହକ ଏପରି ଶୋଷଣର ଶିକାର ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଯୋଗାଣ ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀର ଦର ତାଲିକା ସାଧାରଣରେ ପ୍ରକାଶ କରୁ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ମୂଲ୍ୟ ନେଉଥିବା ସହରବାସୀ କହିଛନ୍ତି।
ଅନୁଗୋଳ ଜିଲାର ବିଭିନ୍ନ ବଜାରରେ ଆଳୁ, ପିଆଜ ଦର କେଜି ପିଛା ୩୦ ଛୁଇଁଲାଣି। ଏହାକୁ ଦେଖି ରାଶନ ସାମଗ୍ରୀ ବିକୁଥିବା କେତେଜଣ ଅସାଧୁ ବ୍ୟବସାୟୀ, ଚାଉଳ, ଡାଲି ଦର ମଧ୍ୟ ବଢ଼ାଇ ଦେଇଛନ୍ତି। ଲକ୍‌ଡାଉନ୍‌ରେ ମାଲ୍‌ ପରିବହନ ସ୍ବାଭାବିକ ଥିଲେ ବି କେତେବେଳେ ଗାଡ଼ି ଆସୁ ନ ଥିବା ଓ ସାମଗ୍ରୀ ଅଭାବ ଥିବା ଦର୍ଶାଇ ସମ୍ପୃକ୍ତ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଚଢ଼ା ଦର ନେଉଛନ୍ତି। ଆଳୁ କୁଇଣ୍ଟାଲ ପିଛା ୧୨ଶହ ଟଙ୍କା କିଣା ରହୁଥିବାବେଳେ ପିଆଜ କୁଇଣ୍ଟାଲ ପିଛା ୧୯ଶହ ଟଙ୍କାରେ ବ୍ୟବସାୟୀମାନେ କିଣି ୩୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। କେତେକ ସ୍ଥାନରେ ଆଳୁ ୪୦ ପାଖାପାଖି ସ୍ଥିତିରେ ପହଞ୍ଚିଲାଣି। ଅଭିଯୋଗ ବଢ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯିବାରୁ ଯୋଗାଣ ବିଭାଗର ନିଦ ଭାଙ୍ଗିଛି। ବିଭିନ୍ନ ବଜାରରେ ଚଢ଼ାଉ କରାଯାଉଛି। କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହାର ସୁଫଳ ଲୋକଙ୍କୁ ମିଳୁନି। ଅନ୍ୟପକ୍ଷରେ କେତେଜଣ ବ୍ୟବସାୟୀ କହିଛନ୍ତି, ଲକଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଲୋକମାନେ ଏକାଥରକେ ଅଧିକ ସାମଗ୍ରୀ କିଣିବାକୁ ଚାହଁୁଛନ୍ତି। ତେଣୁ ବାରମ୍ବାର ମାଲ୍‌ ମଗାଇବାକୁ ପଡ଼ୁଛି। ଗାଡ଼ି ଭନା ଅଧିକ ଦେବାକୁ ପଡ଼ୁଥିବାବେଳେ ଗୋଦାମରେ ଦର ମଧ୍ୟ ସ୍ଥିର ରହୁନାହିଁ। ସେଥିପାଇଁ କେତେକ ସ୍ଥାନରେ ବ୍ୟବସାୟୀ ଚଢ଼ା ମୂଲ୍ୟ ନେଉଛନ୍ତି।

ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯିବ
ଯେଉଁମାନେ ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିୟମିତ ଚଢ଼ାଉ ମଧ୍ୟ ହେଉଛି। ଆଗାମୀ ଦିନରେ ଏହି ଚଢ଼ାଉକୁ ଜୋରଦାର କରିବାକୁ ଓ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି
ଅନୁଗୋଳର ବିଭିନ୍ନ ସ୍ଥାନରେ କେତେଜଣ ବ୍ୟବସାୟୀ ଚଢ଼ା ଦରରେ ଆଳୁ ଓ ପିଆଜ ବିକ୍ରି କରୁଛନ୍ତି। ଏ ନେଇ ବିଭାଗ ନିକଟରେ ସୂଚନା ପହଞ୍ଚିଛି। ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଉଛି। ଏଣିକି ହାଟ ଓ ବଜାରରେ ଜୋରଦାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଶ୍ରୀନିବାସ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ

ଲୋକଦେଖାଣିଆ ଚଢ଼ାଉ
ମହାମାରୀ ସମୟରେ ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଲୁଟୁଛନ୍ତି। କିନ୍ତୁ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଛି। କେବଳ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଉଛି। କିନ୍ତୁ ବାସ୍ତବରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅସାଧୁ ବ୍ୟବସାୟୀମାନଙ୍କୁ ସାବାଡ଼ କରାଯିବା ଦରକାର।
-ଶିଶିର କୁମାର ପ୍ରଧାନ, ଅନୁଗୋଳ

ଗରିବଙ୍କ ପକେଟକୁ ବାଧୁଛି
ବଜାରରେ ଅସାଧୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ଲୁଟୁଥିବାରୁ ଅନେକ ଗରିବ ଲୋକଙ୍କ ପକେଟକୁ ବାଧୁଛି। ସେମାନଙ୍କ ପକ୍ଷେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର। ଏହା ନ ହେଲେ ମହାମାରୀ ସମୟରେ ଲୋକେ ପରିବାର ମୁହଁରେ ଖାଦ୍ୟ ପହଞ୍ଚାଇ ପାରିବେ ନାହିଁ। ଅନାହାରରେ ଅନେକ ଲୋକଙ୍କ ମୃତ୍ୟୁ ହେବ।
-ରଞ୍ଜନ ବାରିକ, ଅନୁଗୋଳ

ନିର୍ଦ୍ଧାରିତ ଦରରେ ବିକ୍ରି କର
ମହାମାରୀ ସମୟରେ ଲୋକମାନେ ସମସ୍ୟାରେ ଗତି କରୁଛନ୍ତି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଯାଥାର୍ଥ ନୁହେଁ। ଯେଉଁ ସାମଗ୍ରୀର ଚାହିଦା ଅଧିକ ରହୁଛି, ତାହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବିକ୍ରି କଲେ ସମସ୍ୟା ହେବନାହିଁ। ବଜାରକୁ ମାଲ୍‌ ସହଜରେ ଆସିପାରୁଛି। ତେଣୁ ବ୍ୟବସାୟୀମାନେ ଏପରି ଅସାଧୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ, ଅନୁଗୋଳ ଜିଲା ବଣିକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri