ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ ଜାରି କରିଥିବା ଆଦେଶ ଅନୁସାରେ, ୱାଙ୍ଗଚୁକ୍ଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ଏଥିସହ କୌଣସି ରାଲି କିମ୍ବା ଶୋଭାଯାତ୍ରାରେ ଯୋଗଦେବାକୁ ମଧ୍ୟ ତାଙ୍କୁ ଅନୁମତି ନାହିଁ । ପୋଲିସର ଏକ ରିପୋର୍ଟ ଆଧାରରେ ପ୍ରଶାସନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରି ଏହି ଆଦେଶ ଜାରି କରିଛି । ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲମାନେ ତାଙ୍କୁ ୬୦ ଦିନ ପାଇଁ ଗୃହବନ୍ଦୀ କରାଯାଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ କହିଥିଲେ । ନା ସେ କେବଳ ନିଜ ଘରେ ରହିବାକୁ ପରାମର୍ଶ ପାଇଛନ୍ତି, ତାହା ଜାଣିବାକୁ ଓକିଲମାନେ ଚାହିଁଥିଲେ । କାରଣ ଲଦାଖ ପୋଲିସ ମହାନିର୍ଦ୍ଦେଶକ (DGP) ଏହାକୁ ଗୃହବନ୍ଦୀ ନୁହେଁ, ବରଂ ନିଜ ଘରେ ରହିବାକୁ ପରାମର୍ଶ ବୋଲି କହିଥିଲେ। ୱାଙ୍ଗଚୁକ୍ଙ୍କ କହିବା ଅନୁସାରେ, ମାଜିଷ୍ଟ୍ରେଟ୍ଙ୍କ ଆଦେଶରେ ସ୍ଥିତି ସ୍ପଷ୍ଟ ନଥିବାରୁ ସତ୍ୟ ଜାଣିବା ପାଇଁ ସେ ଭିଡିଓ ରେକର୍ଡିଂ ମାଧ୍ୟମରେ ଏକ ପରୀକ୍ଷଣ କରିଥିଲେ।
ଏହି ପରୀକ୍ଷଣରେ ୱାଙ୍ଗଚୁକ୍ ମାଜିଷ୍ଟ୍ରେଟ୍ଙ୍କ ଆଦେଶର ନକଲ ଧରି ଘରୁ ବାହାରକୁ ଯିବାକୁ ଉଦ୍ୟମ କରିଥିଲେ । ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ କ୍ୟାମେରା ସାମ୍ନାରେ ପଚାରିଥିଲେ ଯେ, ତାଙ୍କୁ ବାହାରକୁ ଯିବାରୁ ରୋକାଯାଉଛି କି ନାହିଁ । ଏହାର ଭିଡିଓ ପ୍ରମାଣ ସେ ସୁପ୍ରିମକୋର୍ଟର ଓକିଲଙ୍କୁ ପଠାଇବାକୁ ଚାହୁଁଥିଲେ। ସେ ଆଗକୁ ବଢ଼ିବାକୁ ଉଦ୍ୟମ କରିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉପରୁ ନିର୍ଦ୍ଦେଶ ଥିବାରୁ ତାଙ୍କୁ ଯିବାକୁ ଦିଆଯାଉନାହିଁ ବୋଲି ପୋଲିସ କର୍ମଚାରୀ କ୍ୟାମେରା ସାମ୍ନାରେ କହିଥିବା ୱାଙ୍ଗଚୁକ୍ ଦାବି କରିଛନ୍ତି । ଏହାକୁ ପ୍ରକୃତ ଗୃହବନ୍ଦୀ ବୋଲି ସେ କହିଛନ୍ତି ।

