ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳ ମାନଙ୍କରେ ବାତ୍ୟା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ବହୁ ସଂଖ୍ୟକ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା। ବୁଧବାର ସୁଦ୍ଧା ୨୪ ଟି ଅଚଳ ପ୍ରକଳ୍ପ ମଧ୍ୟରୁ ୨୧ ଟି କୁ କାର୍ଯ୍ୟକ୍ଷମ କରାଯାଇଥିବା ସାନଖେମୁଣ୍ଡି ବ୍ଲକ ଜନସ୍ବାସ୍ଥ୍ୟ ପରିମଳ ଓ ପାନୀୟଜଳ ଯୋଗାଣ ବିଭାଗ (ଆରଡ଼ବ୍ଲ୍ୟୁଏସଏସ ) ସହକାରୀ ଯନ୍ତ୍ରୀ ଇଂ.ଉପମା ଘଡେଇ ଜଣାଇଛନ୍ତି । ବନ୍ୟା ପରବର୍ତ୍ତୀ ସମୟରେ ଦୂଷିତ ଜଳ ଯୋଗୁଁ ହଇଜା, ଡାଇରିଆ ଭଳି ଜଳବାହିତ ସଂକ୍ରାମକ ରୋଗର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସ୍ଥିତ ଜିଲା ଜନସ୍ବାସ୍ଥ୍ୟ ଓ ପାନୀୟଜଳ ଯୋଗାଣ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ.ମନୋରଞ୍ଜନ ଜେନା, ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରଶାନ୍ତ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀ ବୃନ୍ଦ ବିଭିନ୍ନ ଗ୍ରାମରେ ପହଞ୍ଚି ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ଲୋକଙ୍କୁ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତଦାରଖ କରିଥିଲେ।
ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳ ମାନଙ୍କରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଚଳନ୍ତି ଜଳ ବିଶୋଧନ (ଏମଟିୟୁ) ଗାଡ଼ି ନିୟୋଜିତ କରାଯାଇଛି । ନଦୀ, ନାଳ ଓ ପୋଖରୀମାନଙ୍କରୁ ଜଳ ସଂଗ୍ରହ କରାଯାଇ ତାହାକୁ ବିଶୋଧନ ପରେ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଏପରିକି ଅନେକ ଗାଁକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ପ୍ରାୟ ସମସ୍ତ ଗ୍ରାମର ନଳକୂପ ଓ ବେସରକାରୀ କୂଅ ଗୁଡ଼ିକୁ ବିଶୋଧନ କରାଯାଇଛି । ସେହିପରି ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ନିର୍ମିତ ଟାଙ୍କିିରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଏନଏସିର ୧୧ ଟି ୱାର୍ଡ ଅଧିନ ସାହି ବସ୍ତି ମାନଙ୍କରେ ରହୁଥିବା ପ୍ରାୟ ୩୮୦୦ ପରିବାର ପାଇପ ସଂଯୋଗ ନେଇଛନ୍ତି ।
ସେହିପରି ୬୦ରୁ ଉର୍ଦ୍ଧ୍ବ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ଲୋକଙ୍କୁ ପାଇପ ପାଣି ଯୋଗାଇ ଦିଆଯାଉଛି । ସେହିପରି ମଳାଭଞ୍ଜା ନଦୀରୁ ମୋଟର ଯୋଗେ ପାଣି ଉଠାଣରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଲେ ସହରର ହସ୍ପିଟାଲ ରାସ୍ତାରେ ଜନସ୍ବାସ୍ଥ୍ୟ ପାନୀୟଜଳ ବିଭାଗ ପକ୍ଷରୁ ବୋର୍ ଖୋଳି ନିର୍ମାଣ କରାଯାଇଥିବା ସମ୍ପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ନିୟମିତ ବ୍ୟବଧାନରେ ଟାଙ୍କି ଗୁଡ଼ିକୁ ବ୍ଲିଚିଂ ଦ୍ଵାରା ଶୋଧନ କରାଯାଉଛି । ଭାଙ୍ଗି ଯାଇଥିବା ଅନେକ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକୁ ମରାମତି କରାଯାଇଥିବା ପିଏଚଡି କନିଷ୍ଠ ଯନ୍ତ୍ରୀ ଇଂ.ଅଜିତ କୁମାର ବସ୍ତିଆ କହିଛନ୍ତି ।
ମଳାଭଞ୍ଜା ଗ୍ରାମ ନିକଟ ଘୋଡାହାଡ଼ ନଦୀ ପଠାରେ ପ୍ରବଳ ବନ୍ୟାପାଣିରେ ମୋଟର ୟୁନିଟ ୱାଲ ଗୁଡିକ ନଷ୍ଟ ହୋଇ ବାଲିରେ ପୋତି ହୋଇଯାଇଥିଲା। ସେଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବା ସେ ଜଣାଇଛନ୍ତି । ସହରର ଥାନା ନିକଟରେ ୬ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଓଭରହେଡ୍ ଟାଙ୍କି ନିର୍ମାଣ ଚାଲିଛି । ଆଗାମୀ ମାସେ ଦୁଇମାସ ମଧ୍ୟରେ ନିର୍ମାଣ କାମ ସରିଗଲେ ପାଣି ପାଇଁ ଆଉ ସମସ୍ୟା ରହିବ ନାହିଁ । ସେହିପରି ମେଗା ପ୍ରକଳ୍ପ କାର୍ଯ୍ୟ ସରିଗଲେ ସହରକୁ ଉକ୍ତ ପ୍ରକଳ୍ପରୁ ଦୈନିକ ୩ ଲକ୍ଷ ଲିଟର ପାଣି ଯୋଗାଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସେ ଜଣାଇଛନ୍ତି ।

