ଭଞ୍ଜନଗର,୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଭୟାବହ ବନ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଯାଉଛି। ଏହି କ୍ରମରେ ଗୁରୁବାର ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ଆସିକା ଜୋନ କର୍ମଚାରୀ ସଂଘ, ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ କିରାଣି ସଂଘ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନେ ମିଳିତ ଭାବେ ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରେ ପ୍ରାୟ ୪୦୦ ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କୋ-ୟୁନିଟ ଅଧିକାରୀ ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ସେୱଚ୍ଛାସେବୀମାନେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପ୍ରସ୍ତୁତ ୪୦୦ ପ୍ୟାକେଟ ରିଲିଫ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ। ଏହି ପ୍ୟାକେଟ୍ରେ ଶୁଖିଲା ଖାଦ୍ୟ, ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଥିଲା।
ବାହାଡ଼ାପଦର ବିଦ୍ୟାଳୟ ସାହି, ଚଢ଼େୟାପଲ୍ଲୀ, ଗମ୍ଭାରୀଗୋଛା ଏବଂ ବାଇବାଲି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିଲା।
ଏହି ସେବା କାର୍ଯ୍ୟରେ ଷ୍ଟେଟ୍ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତ୍ତା ବିଶ୍ୱଜିତ୍ ମହାରଣା, ଭାସ୍କର ଗୌଡ଼, ଅମିୟ ରଞ୍ଜନ ଦାସ, ଅଲେଖ ବେହେରା ଓ ଶଙ୍କର ତାରିଣୀଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ଦେବରାଜ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଢ଼ୀ ଓ ସୋମନାଥ ନନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଏହି ମାନବିକତା ପୂର୍ଣ୍ଣ ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।
ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କରେ ରହି ଲୋକଙ୍କୁ ଆର୍ଥିକ ସେବା ଯୋଗାଇ ଆସୁଛନ୍ତି। ତେବେ ବିପତ୍ତି ସମୟରେ ମଧ୍ୟ ସେମାନେ ଲୋକଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇବା ଏକ ପ୍ରଶଂସନୀୟ ପଦକ୍ଷେପ। ସେମାନଙ୍କ ଏହି ମାନବିକତା ଓ ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।

