ବିଚରା ମୁଖ୍ୟବକ୍ତା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ପୂର୍ବରୁ ବିନା ବ୍ୟୟରେ ଉପଲବ୍ଧ ବିଦ୍ୟା ଅର୍ଥର ନାଗଫାଶରେ ବନ୍ଦୀ ହୋଇସାରିଲା ପରେ ଏବେ ଅନ୍ୟ ଯେଉଁ ଚିତ୍ରଟି ମାଗଣାରେ ମିଳିପାରୁଛି, ତାହା ହେଉଛି ବକ୍ତୃତା ବା ଭାଷଣ। ଅନ୍ୟର ଚିନ୍ତା ଓ ଚେତନାରେ କିଛି ସମୟ ପାଇଁ ଚମକ ସୃଷ୍ଟି କରି ପାରୁଥିବା ଭାଷଣର ଆୟୁକାଳ ନିର୍ଦ୍ଧାରଣ; ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ହୋଇଥାଏ। ଏହା କେଉଁଠି କାନରୁ ବାହାରି ତତ୍‌କ୍ଷଣାତ୍‌ ପବନରେ ମିଳାଇଯାଏ ତ ଅନ୍ୟ କେଉଁଠି ବେଶ୍‌ କିଛି କାଳ ଚର୍ଚ୍ଚିତ ହୋଇ ରହିଥାଏ। ରାଜନୀତିର ଅବୋଧ୍ୟ ତତ୍ତ୍ୱ ବା ସାଂସ୍କୃତିକ ଜାଗରଣର ବୌଦ୍ଧିକ ଆହ୍ବାନ ଭଳି କ୍ଳୀଷ୍ଟ ବିଷୟକୁ ସହଜ ସୁନ୍ଦର କରିପାରୁଥିବାର ଏକମାତ୍ର ସୁଲଭ ମାଧ୍ୟମ ଏହି ଭାଷଣ।
ଧର୍ମ ସମାବେଶଠାରୁ ଆରମ୍ଭ କରି ବିଦ୍ୟାଳୟର ପୁରସ୍କାର ବିତରଣ ସଭାଯାଏ ସବୁଠି ବିଶାଳ ଶ୍ରୋତୃମଣ୍ଡଳୀକୁ ଉଦ୍‌ବୋଧନ ଦେଉଥିବା ବକ୍ତାମାନେ କେବେ କାହାଠାରୁ ଫଟା ପାହୁଲାଟିଏ ନେଉଥିବାର ଦୃଷ୍ଟାନ୍ତ ବେଶ୍‌ ବିରଳ। ଅଥଚ ଅସାଧାରଣ ବାଗ୍ମିତା ପ୍ରଦର୍ଶନ କରି ଏମାନେ ଘଣ୍ଟା ଘଣ୍ଟା ଧରି ଶ୍ରୋତାମାନଙ୍କୁ ବହୁ ସାର ଅସାର କଥା କହି ଚମତ୍‌କୃତ କରନ୍ତି। ଅବଶ୍ୟ କାଁ ଭାଁ ଦେଖାଯାଏ, କିଛି ବକ୍ତା ନିଜ ବାଗ୍ମିତାକୁ ନେଇ କିଛି ପାରିଶ୍ରମିକ ଦାବି ରଖନ୍ତି। ତେବେ ମାଗଣାରେ ଭାଷଣ ଦେଉଥିବା ବକ୍ତାଙ୍କ ତୁଳନାରେ ଏମାନଙ୍କ ସଂଖ୍ୟା ଖୁବ୍‌ ନଗଣ୍ୟ।
ଆମ ସମାଜରେ ସାଂସ୍କୃତିକ ଭିତ୍ତିଭୂମିର ବ୍ୟାପକ ପ୍ରସାର ପାଇଁ ଧର୍ମସଭା, ସାହିତ୍ୟ ସଭା ବା ସ୍କୁଲ କଲେଜର ଆନୁଷ୍ଠାନିକ ବାର୍ଷିକ ସଭାକୁ ଛାଡ଼ିଦେଲେ କ୍ଲବ ଓ ଯୁବକ ସଂଘର ବିଭିନ୍ନ କ୍ରୀଡ଼ା, ଟୁର୍ନାମେଣ୍ଟଠାରୁ ଆରମ୍ଭ କରି କବିମାନଙ୍କ କବିତା ପାଠୋତ୍ସବଯାଏ ବର୍ଷର ବିଭିନ୍ନ ସମୟରେ କିଛି ନା କିଛି ସଭା ସମାବେଶ ଅନୁଷ୍ଠିତ ହୋଇ ଚାଲିଥାଏ। ପ୍ରତି ସଭା ସମାବେଶରେ ମଞ୍ଚାସୀନ ହେବା ପାଇଁ ଅତି କମ୍‌ରେ ଚାରିଜଣ ବିଶିଷ୍ଟ ଲୋକ ଲୋଡ଼ାପଡ଼ନ୍ତି, ତେଣିକି ସଭାରେ ଉପସ୍ଥିତ ଶ୍ରୋତାଙ୍କ ସଂଖ୍ୟା ଯାହା ହୋଇଥାଉନା କାହିଁକି! ଅବଶ୍ୟ ଯେଉଁସବୁ ସଂଘ ବା ସଙ୍ଗଠନରେ ରାଜନୀତିର ମାତ୍ରା ଅଧିକ ଓ ଗଣତନ୍ତ୍ର ଅତି ମାତ୍ରାରେ ବିକଶିତ, ସେଠି ଅସ୍ଥାୟୀ ଭାବେ ଗଢ଼ି ଉଠିଥିବା ମଞ୍ଚଟି ସମ୍ଭାଳି ପାରିଲାଯାଏ ଆଗପଛ ହୋଇ ଚୌକିମାନଙ୍କ ସଂଖ୍ୟା ବଢ଼ିଚାଲିଥାଏ। ତେବେ ବର ନ ଆସିବାଯାଏ ବିବାହ କାର୍ଯ୍ୟ ସମ୍ପାଦନ ନ ହେଲା ପରି, ଯେଉଁ ଚାରିଜଣଙ୍କ ବିନା ସଭାକାର୍ଯ୍ୟ ଇଞ୍ଚେ ମଧ୍ୟ ଆଗକୁ ମାଡ଼ିପାରେ ନାହିଁ, ସେମାନେ ହେଲେ ସଭାର ସଭାପତି, ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସଙ୍ଗଠନର ବିବରଣୀ ପଢ଼ିବା ପାଇଁ ସମ୍ପାଦକ ବା ସେହି ପ୍ରକାରର ଅନ୍ୟ କେହି କାର୍ଯ୍ୟକର୍ତ୍ତା।
ଉତ୍ସବର ସବୁଠାରୁ ମୁଖ୍ୟ ଆକର୍ଷଣ ମୁଖ୍ୟ ଅତିଥି। ଶିକ୍ଷା, ସାହିତ୍ୟ, ସଂସ୍କୃତି ବା ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠିତ କେହି ଜଣେ ବିଜ୍ଞ ଲୋକଙ୍କୁ ମୁଖ୍ୟ ଅତିଥି ଭାବେ ବରଣ କରିବା ବୋଧହୁଏ ଏତେ ଆଳଙ୍କାରିକ ହୁଏନାହିଁ ବୋଲି ସବୁଠି ଲୋଡ଼ାଯାଏ ମନ୍ତ୍ରିତ୍ୱର ମୁକୁଟ ପିନ୍ଧିଥିବା କେହି ରାଜନେତା। ମନ୍ତ୍ରୀଙ୍କ ସଦୟ ସ୍ବୀକୃତି ଉପଲବ୍ଧ ନ ହେଲେ କୌଣସି ଦ୍ୱିତୀୟ ଶ୍ରେଣୀର ନେତା ବା ପ୍ରଶାସନିକ ଅଧିକାରୀଙ୍କ କଥା ବିଚାରକୁ ନିଆଯାଏ। ମୁଖ୍ୟ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନିଆଯାଏ। ମଞ୍ଚର ଗୋଟିଏ କୋଣରେ ଜଗନ୍ନାଥଙ୍କ ଚିତ୍ରପଟରେ ଧୂପଦୀପ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍‌ଘାଟନ କରନ୍ତି ମୁଖ୍ୟ ଅତିଥି। ଘନ ଘନ ତାଳିରେ ପ୍ରକମ୍ପିତ ହୋଇ ଉଠୁଥାଏ ସଭାସ୍ଥଳ। ମନ୍ତ୍ରୀ ଏହି କାର୍ଯ୍ୟଟି ନ କରି ଅନ୍ୟକେହି ସାଧାରଣ ଜ୍ଞାନୀ ଗୁଣୀଙ୍କ ଦ୍ୱାରା କାର୍ଯ୍ୟଟି ସମ୍ପାଦିତ ହେଲେ କେମିତି ଅପୂର୍ଣ୍ଣ ଅପୂର୍ଣ୍ଣ ଭାବ ଅନୁଭୂତ ହେଉଥାଏ ଚାରିଆଡ଼େ। ସାହିତ୍ୟଠାରୁ ଯୋଜନ ଯୋଜନ ଦୂରତ୍ୱରେ ଥିବା ମନ୍ତ୍ରୀ ମହୋଦୟଙ୍କ ହସ୍ତରେ ଗ୍ରନ୍ଥ ଉନ୍ମୋଚନ ନ ହେଲେ ବହିଟି କେମିତି ସୁଖପାଠ୍ୟ ହୋଇ ନ ଥାଏ।
ଭାଷଣ ପର୍ବର ଆଦ୍ୟ ସୋପାନ ମୁଖ୍ୟବକ୍ତାଙ୍କର। ମୁଖ୍ୟବକ୍ତା ଗୁଣୀ ଜ୍ଞାନୀ ଲୋକଟିଏ। ସାଧାରଣତଃ କୌଣସି ଲେଖକ, ବୈଜ୍ଞାନିକ, ସମାଜ ସଂସ୍କାରକ ବା ନିକଟସ୍ଥ କଲେଜର ଅଧ୍ୟାପକଟିଏ। ମୁଖ୍ୟବକ୍ତା ମାଇକ୍ରୋଫୋନ ଆଗରେ ଛିଡ଼ା ହୋଇ ସଭାର ଉଦ୍ଦେଶ୍ୟ ଓ ପ୍ରସଙ୍ଗକୁ ଚାହିଁ ବିଭିନ୍ନ କଥା କହନ୍ତି। ସମାଜର କ୍ରମହାସମାନ ନୈତିକତା ଓ ସାମାଜିକତାକୁ ଉଜ୍ଜୀବିତ କରିବା ପ୍ରୟାସରେ ଶାସ୍ତ୍ର ପୁରାଣରେ ଥିବା ବିଭିନ୍ନ ଦୃଷ୍ଟାନ୍ତର ଅବତାରଣା କରନ୍ତି ଓ ସଂସାରର ସକଳ ପ୍ରକାର ଆଦର୍ଶର ଆହ୍ବାନ ଶ୍ରୋତାମାନଙ୍କ ଆଗରେ ଅଜାଡ଼ି ପକାନ୍ତି। ତାଙ୍କ ଆହ୍ବାନ ପ୍ରତି ଆଖି ବୁଜିଦେଲେ ଏଇ ସମାଜ ରସାତଳକୁ ଚାଲିଯିବ ବୋଲି ଚେତାବନୀ ଦେଇ ବିଦାୟ ନିଅନ୍ତି।
ମୁଖ୍ୟବକ୍ତାଙ୍କ ପରେ ଆଞ୍ଚଳିକ ଆବଶ୍ୟକତା ଭିତ୍ତିରେ ନିମନ୍ତ୍ରିତ ହୋଇଥିବା ସମ୍ମାନିତ ଅତିଥିମାନଙ୍କର ପାଳି ପଡ଼େ ଓ ଶେଷ ପର୍ଯ୍ୟାୟରେ ସଭାପତିଙ୍କଠୁ ନିମନ୍ତ୍ରଣ ଆସେ ଏମିତି କିଛି ମନ୍ତବ୍ୟ ସହ, ”ବର୍ତ୍ତମାନ ସମ୍ବୋଧନ କରିବେ ଆଜିର ମୁଖ୍ୟ ଆକର୍ଷଣ ମାନନୀୟ ମୁଖ୍ୟ ଅତିଥି ମହୋଦୟ।“ ମାନନୀୟଙ୍କ ଶ୍ରୀମୁଖରୁ ପ୍ରଥମ ଶବ୍ଦଟି ନିଃସୃତ ହେବା ପୂର୍ବରୁ ଶ୍ରୋତାମାନେ ଏକ ଅପୂର୍ବ ପୁଲକରେ ଉଲ୍ଲସିତ ହୋଇଉଠନ୍ତି ଓ ସେମାନଙ୍କ ଉଲ୍ଲାସ ପ୍ରକଟିତ ହୁଏ କେତେବେଳେ ତାଳିବାଦନ ସହ ତ ଅନ୍ୟବେଳେ ମୁଖ୍ୟ ଅତିଥିଙ୍କ ନାମରେ ଜିନ୍ଦାବାଦ ସହ। ମୁଖ୍ୟ ଅତିଥି ଆମୋଦିତ ହୁଅନ୍ତି ଓ ନିଜସ୍ବ ଶୈଳୀରେ ତାହାର ପ୍ରତିଦାନ ଦେବାକୁ ବକ୍ତୃତା ମଧ୍ୟରେ ଘୋଷଣା କରନ୍ତି। ବାସ୍‌, ପୁଣି ଚାଲେ ତାଳିମାଡ଼। ଆରମ୍ଭରୁ ତାଳି ଓ ଶେଷରେ ତାଳି ସହ ମୁଖ୍ୟ ଅତିଥି ପ୍ରସ୍ଥାନ କରନ୍ତି ସଭା ମଞ୍ଚରୁ ପରମ୍ପରାଗତ ଧନ୍ୟବାଦ ଅର୍ପଣକୁ ଅପେକ୍ଷା ନ କରି ନିଜର ବ୍ୟସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ଉଲ୍ଲେଖ କରି।
ମୁଖ୍ୟ ଅତିଥି ଫେରିଯାଆନ୍ତି ନିଜ ଦାମିକା ଗାଡ଼ିରେ। ପଛରେ ପଡ଼ିରହନ୍ତି ସଭାସଦ୍‌ବର୍ଗଙ୍କ ସହ ସେଯାଏଁ ସମସ୍ତଙ୍କ ବିସ୍ମୃତି ଗର୍ଭରେ ଅତି ଦୟନୀୟ ଭାବେ ହଜି ଯାଇଥିବା ବିଚରା ମୁଖ୍ୟବକ୍ତା। ନିଜ ବାହୁଡ଼ା ଯାତ୍ରାର ଉପକ୍ରମ କରି ସେ ଅତ୍ୟନ୍ତ କାକୁସ୍ଥ ଭାବେ ନିମନ୍ତ୍ରଣକାରୀ ଆୟୋଜକଠୁ ବିଦାୟ ମାଗନ୍ତି। ବେଳେବେଳେ ଏମିତି ବି ହୁଏ, ମୁଖ୍ୟ ଅତିଥି ମନ୍ତ୍ରୀଙ୍କ ବିଦାୟଜନିତ କୋଳାହଳ ମଧ୍ୟରେ ଆୟୋଜକମାନେ ମୁଖ୍ୟବକ୍ତାଙ୍କ ଗସ୍ତଖର୍ଚ୍ଚ ଦେବାକୁ ଭୁଲି ଯାଇଥା’ନ୍ତି ଓ ବିଚରା ମୁଖ୍ୟବକ୍ତା ନିଜ ହାତରୁ ଗାଡ଼ିଭଡ଼ା ଭରଣା କରନ୍ତି।
ଫେରିଲାବେଳେ ମୁଖ୍ୟବକ୍ତାଙ୍କ ମନରେ କେତୋଟି ଅବ୍ୟକ୍ତ ପ୍ରଶ୍ନ ମୁଣ୍ଡ ଟେକି ତାଙ୍କୁ ଭାରି ହନ୍ତସନ୍ତ କରେ। ସେ ଭାବି ଚାଲନ୍ତି, ଏମିତି କାହିଁକି ହୁଏ? ଏକା ଉତ୍ସବର ସମାନ ମଞ୍ଚରେ ବସିଥିବା ଦୁଇଟି ଚରିତ୍ର ପାଇଁ ଲୋକଙ୍କ ଆଚରଣ ଭିନ୍ନ ହୁଏ କାହିଁକି? ମୁଖ୍ୟ ଅତିଥିଙ୍କ ଆତିଥ୍ୟରେ ଉଷ୍ମତା ଭରି ରହିଥିବା ବେଳେ ମୁଖ୍ୟବକ୍ତାଙ୍କ ପାଇଁ ଏତେ ଶୀତଳ ପ୍ରତିବେଦନ କାହିଁକି? ଅତିଥିଙ୍କ ବ୍ୟକ୍ତିସ୍ବାର୍ଥ ବିଜଡ଼ିତ, ମିଥ୍ୟା ପ୍ରତିଶ୍ରୁତିମୂଳକ ବକ୍ତୃତାରେ ଶ୍ରୋତାଙ୍କ ଅବିରତ ତାଳିବାଦନ ଚାଲୁଥିବା ବେଳେ ମୁଖ୍ୟବକ୍ତାଙ୍କ ଅର୍ଥପୂର୍ଣ୍ଣ ସନ୍ଦେଶର ପ୍ରାଣମୟ ଶୁଭେଚ୍ଛା ପାଇଁ ଶ୍ରୋତାଙ୍କର ଏତେ ନିଷ୍ପ୍ରାଣ ପ୍ରତିବେଦନ କାହିଁକି? ନିଜ ଘରେ ପହଞ୍ଚତ୍ବା ପୂର୍ବରୁ ମୁଖ୍ୟବକ୍ତା ନିଜ ଅନୁଚାରିତ ପ୍ରଶ୍ନଗୁଚ୍ଛର ଉତ୍ତର ନିଜେ ପାଇଥା’ନ୍ତି। ବୋଧହୁଏ ଏଥିପାଇଁ ଯେ ତାଙ୍କ ଆଦର୍ଶବାଦର ଉଚ୍ଚାରଣ ଶ୍ରୋତାଙ୍କ କାନକୁ ଭାରି ଶୁଷ୍କ ଲାଗୁଥିବା ବେଳେ ତାଙ୍କ ଭଳି ବାକ୍ୟବୀରଙ୍କ ତୁଳନାରେ ବହୁବିଧ ପ୍ରତିଶ୍ରୁତି ଅଜାଡ଼ି ଦେଉଥିବା କର୍ମବୀର ମୁଖ୍ୟ ଅତିଥି ଅଧିକ ଓଜନଦାର ବ୍ୟକ୍ତିତ୍ୱର ଅଧିକାରୀ। ଆଉ ବକ୍ତୃତା ଫକ୍ତୃତା ଦେଇ ସମୟ ନଷ୍ଟ ନ କରିବାକୁ ସେଦିନ ସେ ଶପଥ ନିଅନ୍ତି ସିନା, ପରିସ୍ଥିତି ଚାପରେ ସେଇ ଶପଥ ରକ୍ଷା କରିପାରନ୍ତି ନାହିଁ ବିଚରା ମୁଖ୍ୟବକ୍ତା।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?