ସ୍ୱାଧୀନତାର ନିର୍ଭୀକ ସ୍ଵର

‘ଗଣତନ୍ତ୍ର, ସମାନତା ଓ ନାରୀ ସ୍ୱାଧୀନତା ନ ମିଳିବା ଯାଏ ଇରାନର ଦମନମୂଳକ ଧର୍ମୀୟ ସରକାରଙ୍କ ନିର୍ମମ ପକ୍ଷପାତ, ଜୁଲମ ଓ ଲିଙ୍ଗଗତ ଅତ୍ୟାଚାର ବିରୋଧରେ ସଂଗ୍ରାମ ଜାରି ରହିବ’। ତେହେରାନ୍‌ର ଏଭିନ୍‌ ଜେଲରେ କାଳାତିପାତ କରୁଥିବା ନାରୀ ଅଧିକାର ପ୍ରବକ୍ତା ନର୍ଗିସ ମହମ୍ମଦିଙ୍କ ନାମ ୨୦୨୩ ନୋବେଲ ଶାନ୍ତି ଲାଗି ଘୋଷଣା ହେବା ପରେ ତାଙ୍କର ଏହି ବିବୃତିିକୁ ଉଧାର କରି ନ୍ୟୁୟର୍କ ଟାଇମ୍ସ ଏପରି ଖବର ପ୍ରସାରଣ କରିଛି। ଉଲ୍ଲେଖ କରାଯାଇପାରେ, ରାଷ୍ଟ୍ର ବିରୋଧରେ ପ୍ରଚାର କରିବା ଅଭିଯୋଗରେ ନର୍ଗିସଙ୍କୁ ଇରାନ୍‌ ସରକାର କ୍ରମାଗତ ଦଣ୍ଡିତ କରିଚାଲିଛନ୍ତି। ଇସ୍‌ଲାମିକ୍‌ ରିପବ୍ଲିକ୍‌ ମହିଳାଙ୍କ ପାଇଁ କରିଥିବା ଡ୍ରେସ୍‌ କୋଡ୍‌କୁ ଗତବର୍ଷ ୨୨ ବର୍ଷୀୟା ମହସା ଅମିନ ବିରୋଧ କରିବାରୁ ଇରାନ୍‌ର ନୈତିକ ପୋଲିସ ହାଜତରେ ତାଙ୍କର ମୃତ୍ୟୁ ଘଟିଥିଲା। ତାହାକୁ ନେଇ ସମଗ୍ର ଇରାନ୍‌ରେ ଦେଖାଦେଇଥିବା ବିକ୍ଷୋଭ ଓ ପ୍ରତିବାଦ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା। ଏହାର ବର୍ଷକ ପରେ ନୋବେଲ କମିଟି ନର୍ଗିସଙ୍କୁ ଶାନ୍ତି ପାଇଁ ଚୟନ କରିବା ଯଥେଷ୍ଟ ଗୁରୁତ୍ୱ ବହନ କରିଛି। ଅନ୍ୟପକ୍ଷରେ ତାଙ୍କୁ ଏହି ପୁରସ୍କାର ଲାଗି ଚୟନ କରିବା ପଛରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିଧ୍ୱଂସୀ ଚିନ୍ତାଧାରା ନିହିତ ଅଛି କହି ଇରାନ୍‌ ସରକାର ନୋବେଲ କମିଟିକୁ ଦୋଷୀ କରିଛି। ତେବେ ନରଓ୍ବେସ୍ଥିତ ନୋବେଲ କମିଟି କହିଛି ନର୍ଗିସଙ୍କୁ ଶାନ୍ତି ସମ୍ମାନ ହେଉଛି ଇରାନ୍‌ରେ ଦେଖାଦେଇଥିବା ଅପ୍ରତ୍ୟାଶିତ ପ୍ରତିବାଦ, ତିନି ଦଶନ୍ଧି ଧରି ମହିଳାଙ୍କ ଅଧିକାର ହନନ ଏବଂ ମୃତ୍ୟୁଦଣ୍ଡ ବିରୋଧରେ ସେ ଚଳାଇଥିବା ଅଭିଯାନକୁ ସ୍ବୀକୃତି। ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତା ହେବାରେ ନର୍ଗିସ ୧୯ତମ ମହିଳା। ସମଗ୍ର ବିଶ୍ୱର ମହିଳା, ଯେଉଁମାନେ ଯେଉଁଠାରେ ପକ୍ଷପାତିତାର ଶିକାର ହେଉଛନ୍ତି ସେମାନଙ୍କୁ ‘ସାହସ ଧରି ଆଗେଇ ଚାଲିବା’ର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ନର୍ଗିସଙ୍କୁ ଚୟନ କରାଯାଇଛି ବୋଲି ନୋବେଲ କମିଟି ଅଧ୍ୟକ୍ଷ ବେରିଟ୍‌ ରୈସ୍‌ ଆଣ୍ଡରସେନ୍‌ କହିଛନ୍ତି।
ଇରାନ୍‌ ରାଜଧାନୀ ତେହେରାନ୍‌ର ଉତ୍ତରପଶ୍ଚିମ ଜାନ୍‌ଜନଠାରେ ୧୯୭୨ରେ ନର୍ଗିସ ଜନ୍ମଗ୍ରହଣ କରିଥିଲେ। ସେ ଶାହାଙ୍କ ଶାସନ ବେଳେ ବଢ଼ିଥିଲେ। ୧୯୭୯ର ‘ଇସ୍‌ଲାମିକ୍‌ ରିଭଲ୍ୟୁଶନ’ ଅତ୍ୟାଚାରୀ ଶାହାଙ୍କ ରାଜତନ୍ତ୍ରକୁ ଫିଙ୍ଗିଦେଇଥିଲା। ଉଲ୍ଲେଖଯୋଗ୍ୟ, ମହମ୍ମଦ ରେଜା ପହଲ୍‌ବି ଥିଲେ ଇରାନ୍‌ରେ ଶେଷ ଶାହା। ଫଳରେ ସେଠାରେ ଆୟତୋଲ୍ଲା ଖୋମେଇନିଙ୍କ ଆଶୀର୍ବାଦରେ ଧର୍ମୀୟ ସରକାର ଗଠନ ହୋଇଥିଲା। ସେଥିରେ ନୂଆ ପାର୍ଲାମେଣ୍ଟ ଓ ନିର୍ବାଚିତ ରାଷ୍ଟ୍ରପତି ରହିଲେ। କିନ୍ତୁ ସବୁକିଛି ଧର୍ମୀୟ ନେତାଙ୍କ ନିୟନ୍ତ୍ରଣରେ ରହିଥିଲା। ଯେଉଁ ପ୍ରତିଶ୍ରୁତି ଦେଇ ନୂଆ ସରକାର ଆସିଥିଲା, ତାହା କ୍ରମେ ଭୁଲିବାକୁ ଲାଗିଲା। ଫଳରେ ଇରାନୀୟ ସମାଜର ଉଦାରବାଦୀମାନେ ସରକାରଙ୍କୁ ବିରୋଧ କଲେ। ସେତେବେଳେ ଯେଉଁମାନେ ଗିରଫ ହୋଇଥିଲେ ସେମାନଙ୍କ ମଧ୍ୟରେ ନର୍ଗିସଙ୍କ ଜଣେ ମାମୁ ଓ ଦୁଇ ଜଣ ସମ୍ପର୍କୀୟ ରହିଥିଲେ। ନର୍ଗିସଙ୍କ ସ୍ବାଧୀନଚେତା ଚିନ୍ତାଧାରା ସମ୍ଭବତଃ ସେହିଠାରୁ ଗଡ଼ିଆସିଛି।
ଜାନ୍‌ଜନରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ ଗାଜ୍‌ଭିନ୍‌ସ୍ଥିତ ଇମାମ୍‌ ଖୋମେଇନି ବିଶ୍ୱବିଦ୍ୟାଳୟରେ ଆପ୍‌ଲାଏଡ୍‌ ଫିଜିକ୍ସ ପଢ଼ିଥିଲେ। ସେହି ସମୟରେ ସେ ତାସ୍‌କୋଲ ଦାନିସ୍‌ଜୋଇ ରୋସାନ୍‌ଙ୍ଗରନ୍‌ (ଛାତ୍ରୀ ଗୋଷ୍ଠୀଙ୍କୁ ଆଲୋକିତ କରିବା) ନାମକ ଏକ ସଙ୍ଗଠନର ସହ-ପ୍ରତିଷ୍ଠାତା ହୋଇଥିଲେ। ସେଥିରେ ସେ ମହିଳାଙ୍କ ପ୍ରସଙ୍ଗ ଓ ମୃତ୍ୟୁଦଣ୍ଡ ବିରୋଧୀ ଅଭିଯାନକୁ ଜାଗରଣ କରିଥିଲେ। ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଅନ୍ୟତମ ସାମାଜିକ କର୍ମୀ ତଘ ରାହାମନିଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୧୯୯୯ରେ ତାଙ୍କୁ ବିବାହ କରିଥିଲେ। କଲେଜ ପଢ଼ା ସରିବା ପରେ ସେ ମହିଳା ପତ୍ରିକା ‘ପେଆମ୍‌-ଇ ହାଜର’ ପାଇଁ ଲେଖାଲେଖି କରିଥିଲେ। ଉକ୍ତ ପତ୍ରିକା ଜଣେ ପ୍ରଗତିଶୀଳ ଧର୍ମଗୁରୁ ଆୟତୋଲ୍ଲା ସୟେଦ ମହମୁଦ ଅଲେଇ ତେଲେଘାନିଙ୍କ କନ୍ୟା ଆଜାମ ଅଲେଇ ତେଲେଘାନିଙ୍କ ଦ୍ୱାରା ପ୍ରକାଶ ପାଉଥିଲା। ଜଣେ ସାମ୍ବାଦିକା ଭାବେ ନର୍ଗିସ ମହିଳାଙ୍କ ପ୍ରସଙ୍ଗ ଓ ସଂସ୍କାରଧର୍ମୀ ବିଷୟକୁ ଉତ୍‌ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ସ୍ବାମୀଙ୍କୁ ୨୦୦୧ରେ ଯେତେବେଳେ ଗିରଫ କରାଗଲା ସେତେବେଳେ ସେ ଅଧିକାର ଅଭିଯାନ ଓ ଭଦ୍ରସମାଜ ଆନ୍ଦୋଳନରେ ନିଜକୁ ଅଧିକ ସକ୍ରିୟ କରିଦେଇଥିଲେ। ଏହାର ବର୍ଷକ ପରେ ସେ ଶିରିନ୍‌ ଏବାଦିଙ୍କ ସହ-ପ୍ରତିଷ୍ଠିତ ସଂସ୍ଥା ‘ସେଣ୍ଟର ଫର୍‌ ଡିଫେଣ୍ଡର୍ସ ଅଫ୍‌ ହ୍ୟୁମାନ ରାଇଟ୍ସ’ରେ ଯୋଗଦେଇଥିଲେ। ପ୍ରସିଦ୍ଧ ମାନବ ଅଧିକାର କର୍ମୀ ଏବାଦି ୨୦୦୩ରେ ନୋବେଲ ଶାନ୍ତି ପାଇଥିଲେ। ୨୦୦୭ରେ ନର୍ଗିସ ‘ନ୍ୟାଶନାଲ କାଉନ୍‌ସିଲ ଫର୍‌ ପିସ୍‌’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟା ରହିଥିଲେ। ଇରାନ୍‌କୁ ଆମେରିକା ଆକ୍ରମଣ କରିବା ନେଇ ଉପୁଜିଥିବା ଭୟ ପରିପ୍ରେକ୍ଷୀରେ ଏହି ସଙ୍ଗଠନ ଗଢ଼ାଯାଇ ଶାନ୍ତି ଓ ଯୁଦ୍ଧ ବିରୋଧୀ ଅଭିଯାନ ଚଳାଇଥିଲା। ତେବେ ଇରାନ ସରକାରଙ୍କ ତ୍ରୁଟିକୁ ସମାଲୋଚନା କରିବାରୁ ତାଙ୍କୁ ସନ୍ଦେହରେ ରଖାଯାଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨୦୦୯ରେ ପ୍ରଥମେ ତାଙ୍କ ପାସ୍‌ପୋର୍ଟକୁ ବାଜ୍ୟାପ୍ତି କରିଦିଆଗଲା ଓ ୨୦୧୦ରେ ଗିରଫ କରାଗଲା। ତେବେ କୌଶଳ କରି ତାଙ୍କ ସ୍ବାମୀ ୨୦୧୧ରେ ଫ୍ରାନ୍ସ ପଳାଇଗଲେ। ୨୦୧୫ରେ ତାଙ୍କ ଯାଆଁଳା ସନ୍ତାନ ସ୍ବାମୀଙ୍କ ପାଖକୁ ଗଲେ। ନର୍ଗିସ ୧୩ ଥର ଗିରଫ ହୋଇ ଜେଲ ଯାଇଛନ୍ତି ଓ ସମୁଦାୟ ୩୧ ବର୍ଷ ଜେଲ ଭୋଗିବେ ବୋଲି କୁହାଯାଉଛି। ଏବେ ତାଙ୍କ ମୁକ୍ତି ପାଇଁ ଚାରିଆଡ଼ୁ ଚାପ ପଡ଼ୁଛି। ଜେଲ ଭିତର ଦୁର୍ଦ୍ଦଶାକୁ ଦେଖି ୨୦୨୨ରେ ପ୍ରକାଶିତ ତାଙ୍କ ‘ହ୍ବାଇଟ୍‌ ଟର୍ଚ୍ଚର’ ପୁସ୍ତକରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ କହନ୍ତି- ଜେଲ ତାଙ୍କୁ ଲକ୍ଷ୍ୟସ୍ଥଳରୁ କେବେ ବିଚ୍ୟୁତ କରିପାରିବ ନାହିଁ।

 

— ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri