![](https://www.dharitri.com/wp-content/uploads/2024/04/54-copy-1568x882.jpg)
ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ ପୋଡ଼ିବା ସହ ମାର୍ପିଟ୍ ହୋଇଛି। ଏହାକୁ ନେଇ ଅଭିଯୋଗକ୍ରମେ ଆଗରପଡ଼ା ଥାନାରେ ୩ଟି ମାମଲା ରୁଜୁ କରାଯାଇଛି। କାଦବରାଙ୍ଗ ବଜାରରେ ତେଜରାତି ଦୋକାନ କରିଥିବା ବଳରାମ ଆରଣ ଶୁକ୍ରବାର ଦୋକାନରେ ଥିବା ବେଳେ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେମାନେ ତାଙ୍କୁ ଧକ୍କା ମାରିବା ସହ ପିନ୍ଧିଥିବା ସୁନା ଚେନ୍, ମୁଦି ଓ ଦୋକାନରୁ ଟଙ୍କା ନେଇଯାଇଥିବା ବଳରାମଙ୍କ ଭାଇ ଉମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ଏନେଇ ଥାନାରେ ମାମଲା (ନଂ.୯୪/୨୪) ରୁଜୁ ହୋଇଛି।
ସେହିପରି କାଦବରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗୀରଥି ସେଠୀ ଶୁକ୍ରବାର ଭଦ୍ରକରୁ ଫେରୁଥିବା ବେଳେ କାଦବରାଙ୍ଗ ବଜାରରେ ଆକ୍ରମଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ କନକଲତା ସେଠୀଙ୍କ ଅଭିଯୋଗକ୍ରମେ ଥାନାରେ ଅନ୍ୟ ଏକ ମାମଲା (ନଂ.୯୫/୨୪) ରୁଜୁ ହୋଇଛି। ଅପରପକ୍ଷେ ଉକ୍ତ ବଜାରରେ ସୁରେଶ ଗିରି ତାଙ୍କ ଦୋକାନରେ ବସିଥିବା ବେଳେ କେତେଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗାଳିଗୁଲଜ କରିବା ସହ ଦୋକାନ ବନ୍ଦ କରି ପଳାଇ ଯିବାକୁ ଧମକ ଦେଇଥିଲେ। ସେ ଦୋକାନ ବନ୍ଦ କରି ଯିବା ପରେ ସେମାନେ ତାଙ୍କ ଦୋକାନର ଟେବୁଲ, ଖଟ ଓ ଛପର ଭଙ୍ଗାରୁଜା କରିବା ସହ ଆଗରେ ଥିବା ଲୁଣ ବସ୍ତା ଫିଙ୍ଗି ଦେଇଥିଲେ। ପରେ ବଜାରର ଏକ ଚାଉମିନ ଦୋକାନକୁ ପୋଡ଼ି ଦେଇଛନ୍ତି। ସୁରେଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୯୮/୨୪) ରୁଜୁ କରିଛି। ପୋଲିସ ଏସବୁ ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶଥାଉ କି, ପୂର୍ବରୁ ଏଠାରେ ବାରମ୍ବାର ଏଭଳି ହିଂସାକାଣ୍ଡ ଘଟିଛି।